ଭୁବନେଶ୍ୱରରୁ ଆସିକା ଦେଇ ସୋରଡ଼ା ଯିବା ରାସ୍ତାରେ ଖଲ୍ଲିକୋଟ ସହର ପଡ଼ିଲା । ସାଥିରେ ଥିଲେ ଏକ ପ୍ରମୁଖ ଖବରକାଗଜର ଜଣେ ବରିଷ୍ଠ ଅଧିକାରୀ ଓ ଜଣେ ବ୍ୟବସାୟୀ ବାଲ୍ୟବନ୍ଧୁ । ଖଲ୍ଲିକୋଟ ସହରର ମୁଖ୍ୟ ପ୍ରବେଶ ପଥରେ ବାଟ ଓଗାଳିଲା ମାଗୁଣିର ଶଗଡ଼ । କାଳିଆ କଷରା ଦୁଇଟି ବଳଦ ସହ ସାକ୍ଷାତ ମାଗୁଣିକୁ ଦେଖି ତଟସ୍ଥ ହୋଇଗଲା ମନ । ସାଥିରେ ଥିବା ବନ୍ଧୁଙ୍କୁ କହିଲି, ନେତାଙ୍କ ମୂର୍ତ୍ତି ସବୁ ସହରରେ ମାଳ ମାଳ । କିନ୍ତୁ ସମାଜର ଜଟିଳ ଶ୍ରେଣୀ ବ୍ୟବସ୍ଥାରେ ମାଗୁଣିମାନଙ୍କ ସ୍ଥାନ କେଉଁଠାରେ?

ମାଗୁଣି ଭଳି ଜଣେ ଶଗଡ଼ିଆ ଝଂଝାସମ ମଥା ଟେକି ରାଜଦଣ୍ଡରେ ଛିଡ଼ା ହୋଇଛି, ସମାଜବାଦର କି ସୁନ୍ଦର ଛବି! ଏହିପରି କିଛି ଆଲୋଚନା ଆଗକୁ ବଢ଼ିଲା । ବ୍ୟବସାୟୀ ବନ୍ଧୁ ଜଣକ କହିଲେ, ମାଗୁଣି କିଏ? କ'ଣ ହେଇଥିଲା, କାହିଁକି ସେ ଆଜି ଆଲୋଚନାର ପାତ୍ର? ଗୋଦାବରୀଶ ମହାପାତ୍ରଙ୍କ ଲେଖନୀରେ "ମାଗୁଣି କିଏ? ଖଲ୍ଲିକୋଟର ସେ ରାଜା ନୁହେଁ, ଏକଥା ନିଶ୍ଚୟ । ମାଗୁଣି ଖଲ୍ଲିକୋଟର କେହି ନୁହେଁ- ସେ ଜଣେ ଶଗଡ଼ିଆ, ଦୁଇଟା ବଳଦ ଓ ସେ, ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲା । ମୁଣ୍ଡର ଝାଳ ତୁଣ୍ଡରେ ମାରି ଲଢୁଥିଲା ପେଟ ଚାଖଣ୍ଡକ ପାଇଁ ।’ ରଜାଘର ଲୋକେ ଗୋଟିଏ ମାଟରଗାଡ଼ି ଆଣିଲେ, ମାଗୁଣିର ଶଗଡ଼ ସେହି ଗାଡ଼ି ଆଗରେ ତୁଚ୍ଛ ହୋଇଗଲା । ଶଗଡ଼ ଛାଡ଼ି ଲୋକେ ଗାଡ଼ିରେ ବସିଲେ, ମାଗୁଣିର କାଳିଆ କଷରା ଖାଇବାକୁ ନପାଇ ଆଖି ବୁଜିଲେ । ଟିକିଏ ସ୍ତବ୍ଧତା ପରେ ମୁଁ କହିଲି, ଟେକ୍ନୋଲୋଜିର ପ୍ରଭାବ ଯେତେ ସୁଯୋଗ ଆଣିଲେ ବି ସମାଜର ଅର୍ଥନୈତିକ ବ୍ୟବସ୍ଥା ଉପରେ ଏହାର ଭିନ୍ନ ପ୍ରଭାବ ପଡୁଛି ।

ନିକଟରେ ନୂଆଦିଲ୍ଲୀରେ ସମ୍ପନ୍ନ ବିଶ୍ୱ ଏ.ଆଇ. ସମ୍ମିଳନୀରେ ଓରିଆନ୍ କୁକୁର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଘଟଣା ଯାହାବି ହେଉ, ଏହି ବିଷୟ ଅଧିକ ଧ୍ୟାନ ଆକର୍ଷିତ କଲା ଏହି ସମ୍ମିଳନୀରେ ସଂଘଟିତ ବିଭିନ୍ନ ଘୋଷଣା ଓ ଆଲୋଚନା ଉପରେ । ଏ.ଆଇ. ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଷୟରେ ଗୋଟିଏ ପ୍ରମୁଖ ଦାବି ହେଉଛି ଯେ, କମ୍ ମାନବ ସମ୍ବଳରେ ଅଧିକ ତଥା ତ୍ୱରିତ କାର୍ଯ୍ୟ ସାଧନ ହୋଇପାରିବ । ତେବେ ବିଡ଼ମ୍ବନାର ବିଷୟ ଏହା ଯେ, ଏ.ଆଇ.ର ବ୍ୟାପକ ବ୍ୟବହାର ମାନବ ସମ୍ବଳର ସୁନିୟୋଜନକୁ ପ୍ରଭାବିତ କରୁଛି । ବିଶ୍ୱର କିଛି ବୃହତ୍ କମ୍ପାନୀ ଏ.ଆଇ. ବ୍ୟବହାର କରିବା ପରେ ବହୁସଂଖ୍ୟକ କର୍ମଚାରୀଙ୍କୁ ନିଜ ସଂସ୍ଥାରୁ ବାହାର କରିବାରେ ଲାଗିଛନ୍ତି । ଏ.ଆଇ. ଉପଯୋଗ କରି ଆମାଜନ୍ କମ୍ପାନୀ ଚଳିତ ବର୍ଷ ଜାନୁଆରୀ ମାସରେ ୧୬ ହଜାର କର୍ମଚାରୀଙ୍କୁ ଛଟେଇ କଲା । ବିଶ୍ୱର ଅନ୍ୟତମ ପ୍ରମୁଖ କମ୍ପାନୀ ଆସେନ୍ଚର୍ ଗତ ମାସରେ ୧୧ ହଜାର କର୍ମଚାରୀଙ୍କୁ ତଥା ଲାଇଭ୍ସ୍ପେସ୍ କମ୍ପାନୀ ନିଜ ସଂସ୍ଥାରୁ ୧୨ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିଦେଇଛି । ଏକ ବିବରଣୀ ଅନୁସାରେ ଆସନ୍ତା ୫ବର୍ଷ ମଧ୍ୟରେ ଏ.ଆଇ. ଉପଯୋଗ ଯୋଗୁଁ ପ୍ରାୟ ୫୦ ପ୍ରତିଶତ ହ୍ୱାଇଟ୍ କଲାର୍ କର୍ମଚାରୀ ଛଟେଇର ସାମ୍ନା କରିବେ । ତେବେ ଏହି ସନ୍ଦର୍ଭରେ ଓପନ୍ ଏ.ଆଇ. କମ୍ପାନୀର ମାଲିକ ସାମ୍ ଅଲ୍ଟମ୍ୟାନ୍ଙ୍କ ମତ କିନ୍ତୁ ଭିନ୍ନ ।

ବିଶ୍ୱର ପ୍ରମୁଖ କମ୍ପାନୀଗୁଡ଼ିକ ଦ୍ୱାରା ଚାଲିଥିବା ଛଟେଇକୁ "ଏ.ଆଇ. ୱାସିଙ୍ଗ’ ବୋଲି ଅଭିହିତ କରିଛନ୍ତି ଅଲ୍ଟମ୍ୟାନ୍ । ନୂଆଦିଲ୍ଲୀରେ ଆୟୋଜିତ ଏ.ଆଇ. ସମ୍ମିଳନୀରେ ଯୋଗଦେବା ଅବସରରେ ଅଲ୍ଟମ୍ୟାନ୍ କହିଛନ୍ତି, ଚାକିରିରୁ ଛଟେଇ କରିବା ନେଇ ଏ.ଆଇ. ବ୍ୟବହାରକୁ ଦାୟୀ କରିବା ଅନୁଚିତ । ବରଂ, ଏ.ଆଇ.ର ଉପଯୁକ୍ତ ବ୍ୟବହାର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ବୋଲି ଯୁକ୍ତି ବାଢ଼ିଛନ୍ତି ଅଲ୍ଟମ୍ୟାନ୍ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମାତ୍ରାଧିକ ବ୍ୟବହାର ଆଗାମୀ ଦିନରେ ନୂଆ ଅର୍ଥନୈତିକ ବୈଷମ୍ୟତାକୁ ଜନ୍ମ ନଦେଉ । ଟେକ୍ନୋଲୋଜିର ବ୍ୟବହାରରେ ‘କାଳିଆ-କଷରା’ର ଅକାଳ ମୃତ୍ୟୁ ଭଳି ଏ.ଆଇ.ର ବ୍ୟାପକତା ଅସଂଖ୍ୟ ମାଗୁଣିଙ୍କ ଶଗଡ଼ର ବାଟ ନ’ ଓଗାଳୁ ।