ବ୍ୟବସାୟୀଙ୍କ ଘରୁ ବଡଧରଣର ଚୋରି କଲେ ଲୁଟେରା, ୫ ଭରି ସୁନା ସହ ନେଇଗଲେ କେଜିଏରୁ ଅଧିକ ରୁପା ଅଳଙ୍କାର

ରାୟଗଡ଼ା ୦୭/୦୨: ଚୋର ଓ ଲୁଟେରା ଗ୍ୟାଙ୍ଗ ରାୟଗଡ଼ା ଜିଲ୍ଲାରେ ପୁଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି। ପ୍ରତିଦିନ ରାୟଗଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଲୁଟ, ଚୋରି ଓ ରାହାଜାନୀ ବଢ଼ିବାରେ ଲାଗିଛି। ଯାହାର ପୁନରାବୃତ୍ତି ଆଜି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ ବ୍ୟବସାୟୀଙ୍କ ଘରୁ ବଡଧରଣର ଚୋରି କରିଛନ୍ତି ଲୁଟେରା।
ଗତକାଲି ରାତିରେ ଚୋରମାନେ ସଂଘବଦ୍ଧ ଭାବେ ଘରେ ପଶି ସମସ୍ତ ସୁନା ଓ ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି କରିଛନ୍ତି। ୫ ଭରି ସୁନା ଅଳଙ୍କାର ସମେତ ୧ କେଜି ଅଧିକ ରୁପା ଓ ନଗଦ ଦେଢ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଏହି ଘରେ ରହୁଥିବା ବ୍ୟବସାୟୀ ପି. ରାମବାବୁ ନିଜ ମା’ଙ୍କୁ ନେଇ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଛନ୍ତି। ଗତ ମଙ୍ଗଳବାର ଦିନ ସପରିବାର ଯାଇଥିବା ବେଳେ ଏହାର ସୁଯୋଗ ନେଇ ଗତକାଲି ରାତିରେ ଏହି ଘରେ ପଶି ସମସ୍ତ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ଜଣାପଡିଛି।
ପ୍ରଥମ ମହଲା ଘରେ ଏହି ଚୋରି ହୋଇଥିବା ବେଳେ ତଳ ମହଲାରେ ଥିବା ଘରେ ମଧ୍ୟ ଭଙ୍ଗାରୁଜା କରିଥିବା ନଜରକୁ ଆସିଛି। ତେବେ ସେହି ଘର ମାଲିକ ମଧ୍ୟ ବାହାରେ ରହୁଥିବା କାରଣରୁ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ରାୟଗଡା ପୁଲିସର ଅପାରଗତା ସ୍ପଷ୍ଟ ଭାବରେ ନଜରକୁ ଆସିଛି। ପୁଲିସ ସହର ଭିତରେ ନିଷ୍କ୍ରିୟ ଥିବା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଫଳରେ ଲଗାତାର ଭାବେ ଏହିଭଳି ଘଟଣା ଲୋକଙ୍କ ଚିନ୍ତା ବଢ଼ାଇବା ସହିତ ମାନସିକ ସ୍ଥିତିକୁ ଅସନ୍ତୁଳିତ ମଧ୍ୟ କରୁଛି। ତେବେ ଦେଖିବାର କଥା କେବେ ଏଥିରେ ନିୟନ୍ତ୍ରଣ ଆସୁଛି।