ବ୍ୟବସାୟୀଙ୍କୁ ଲୁଟିଲେ ନାଇଜେରିଆ ଠକ: ଡଲାର୍ ଲୋଭରେ ଗଲା ୮୭ ଲକ୍ଷ

source:www.skipprichard.com
କଟକ/ଭୁବନେଶ୍ୱର,୫ା୨(ବ୍ୟୁରୋ): ବିଦେଶୀ ଟଙ୍କା (ଡଲାର୍) ଲୋଭରେ ଜଣେ ବ୍ୟବସାୟୀ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ବରଂ ୮୭ ଲକ୍ଷ ଟଙ୍କା ହରାଇଛନ୍ତି । ଆଫ୍ରିକା ମହାଦେଶ ଅନ୍ତର୍ଗତ ନାଇଜେରିଆର ଜଣେ ଯୁବକ ବାରିପଦା ଅଞ୍ଚଳର ଜଣେ ପ୍ରମୁଖ ବ୍ୟବସାୟୀଙ୍କୁ ଡଲାର ଲୋଭ ଦେଖାଇ ୮୭ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହି ଚାଞ୍ଚଲ୍ୟକର ଘଟଣାରେ କ୍ରାଇମବ୍ରାଞ୍ଚ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତତଥା ନାଇଜେରିଆର ସଂପୃକ୍ତ ଠକକୁ ଠାବ କରିପାରିନାହିଁ । ବିହାରର ଦୁଇ ଅଭିଯୁକ୍ତ ବିନୋଦ କୁମାର ସିଂ ଓ ସଞ୍ଜୀବ କୁମାରକୁ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍ ଦିଲ୍ଲୀ ମହାନଗରୀରୁ ଗିରଫ କରି ଆଜି ବାରିପଦା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଇଛି । ଅଭିଯୁକ୍ତ ଦ୍ୱୟଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ, ବାରିପଦା ମଧୁବନ ଅଞ୍ଚଳର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ତପନ କୁମାର ଦାସଙ୍କୁ ତାଙ୍କ ଫେସ୍ବୁକ୍ରେ କେହି ଜଣେ ମହିଳା ନିଜକୁ ଖ୍ରୀଷ୍ଟି ଦାୱସନ୍ ନାମରେ ଦର୍ଶାଇ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ସଂପୃକ୍ତ ମହିଳା ନିଜକୁ ସୁଇଜର୍ଲ୍ୟାଣ୍ଡ୍ର ନାଗରିକ ବୋଲି ପରିଚୟ ଦେଇ ଗତ ସେପ୍ଟେମ୍ବର ମାସରେ ଫେସ୍ବୁକ୍ ଜରିଆରେ ତପନ କୁମାର ଦାସଙ୍କ ସହ ବନ୍ଧୁ ବାନ୍ଧିଥିଲେ । ମହିଳା ଜଣକ ନିଜକୁ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ବୋଲି ପରିଚୟ ଦେବା ସହ ଭାରତରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ବୋଲି ତପନଙ୍କୁ ଫେସ୍ବୁକ୍ରେ ମେସେଜ୍ ଦେଇଥିଲେ । ଫେସ୍ବୁକ୍ରେ ମେସେଜ୍ ଦିଆନିଆ ହେବାର କିଛି ଦିନ ପରେ ଦୁହେଁ ହ୍ୱାଟସ୍ ଆପ୍ରେ ମେସେଜ୍ ଦିଆନିଆ କରିଥିଲେ । ସାମ୍ନାସାମ୍ନି ଦେଖାସାକ୍ଷାତ ହୋଇନଥିଲେ ମଧ୍ୟ ମେସେଜ୍ ଦିଆନିଆ ଭିତରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ତିଆରି ହୋଇଥିଲେ ।
ଭାରତରେ ବ୍ୟବସାୟ ଆରମ୍ଭ କରିବା ପାଇଁ ସଂପୃକ୍ତ ମହିଳା କିଛି ବିଦେଶୀ ମୁଦ୍ରା ପଠାଉଛନ୍ତି ବୋଲି କହି ତପନଙ୍କୁ ହ୍ୱାଟସ୍ଆପ୍ରେ ମେସେଜ୍ ଦେଇଥିଲେ । ପରେ ଅର୍ଥାତ୍ ଗତ ସେପ୍ଟେମ୍ବର ୨୮ ତାରିଖରେ ତପନଙ୍କୁ ମୋବାଇଲ୍କୁ ଏକ କଲ୍ ଆସିଥିଲା । ଦିଲ୍ଲୀ ବିମାନ ବନ୍ଦରର କଷ୍ଟମ୍ ଅଫିସର୍ ପରିଚୟ ଦେଇ ଜଣେ ମହିଳା ତପନଙ୍କ ସହ କଥା ହୋଇଥିଲେ । ସେ କହିଥିଲେ କି, ସୁଇଜରଲ୍ୟାଣ୍ଡ୍ରୁ ଜଣେ ମହିଳା ୩ ଲକ୍ଷ ପାଉଣ୍ଡ୍ ପଠାଇଛନ୍ତି । ଏହାର ମୂଲ୍ୟ ୨ କୋଟି ୮୯ ଲକ୍ଷ ଟଙ୍କା ଭାରତୀୟ ମୁଦ୍ରା ହେବ । ଏତେଗୁଡ଼ିଏ ଟଙ୍କା ପାଇବା କଥା ଶୁଣି ତପନ ଖୁସି ହୋଇଯାଇଥିଲେ । ବିମାନ ବନ୍ଦରରେ ଅଟକିଥିବା ବିଦେଶୀ ପାର୍ସଲ୍ ଟଙ୍କାକୁ ସେ କିପରି ପାଇବେ ଏନେଇ ତପନ ବିଦେଶୀ ମହିଳା ବନ୍ଧୁଙ୍କ ସହ କଥା ହୋଇଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ବିଦେଶୀ ମହିଳା ଜଣକ ତପନଙ୍କୁ ପୁଣି ଚକ୍ମା ଦେଖାଇବା ପାଇଁ ଜଣେ ରିଜର୍ଭ ବ୍ୟାଙ୍କ୍ ଅଫିସର୍ ନାଁରେ ଏକ ଫୋନ୍ କରାଇଥିଲେ । ଉକ୍ତ ବିଦେଶୀ ମୁଦ୍ରାକୁ ବଦଳାଇ ଭାରତୀୟ ମୁଦ୍ରା କରି ନେବା ପାଇଁ ଜିଏସ୍ଟି, ଅନ୍ୟାନ୍ୟ ଟାକ୍ସ ଓ ଫାଇନ୍ ଦେବା ପାଇଁ ପଡ଼ିବ ବୋଲି ନକଲି ରିଜର୍ଭ ବ୍ୟାଙ୍କ୍ ଅଫିସର୍ କହିଥିଲେ । ବିଦେଶୀ ଟଙ୍କା ଲୋଭରେ ପଡ଼ି ତପନ ସମ୍ପୃକ୍ତ ମହିଳାଙ୍କ ପରାମର୍ଶକ୍ରମେ ଏକାଧିକ ଆକାଉଣ୍ଟ୍ରେ ୩୦ ଲକ୍ଷରୁ ଅଧିକ ଟଙ୍କା ପଠାଇଥିଲେ । ତପନଙ୍କ ପାଖରୁ ଏତେଗୁଡ଼ିଏ ଟଙ୍କା ପାଇସାରିଲା ପରେ ମଧ୍ୟ ବିଦେଶୀ ଠକ ସନ୍ତୁଷ୍ଟ ହୋଇନଥିଲେ । ଓଡ଼ିଆ ବ୍ୟବସାୟୀଙ୍କଠାରୁ ପୁଣି ଲକ୍ଷଲକ୍ଷ ଟଙ୍କା ନେବା ପାଇଁ ମହିଳା ଜଣକ ଆଉ ଜଣେ ବିଦେଶୀ ଯୁବକଙ୍କୁ ତପନଙ୍କ ପାଖକୁ ପଠାଇଥିଲେ । ବିଦେଶୀ ଠକ ଜଣକ ଭୁବନେଶ୍ୱରରେ ପହଞ୍ଚି ତପନଙ୍କ ସହ ଏକ ହୋଟେଲ୍ରେ ରହିଥିଲେ । ବିଦେଶରୁ ସାଙ୍ଗରେ ଆଣିଥିବା କଳା କାଗଜ ଏବଂ କେମିକାଲ୍ରେ କିପରି ଡଲାର ପ୍ରସ୍ତୁତ ହେଉଛି ତାର ଏକ ଡେମୋ ସେ ତପନଙ୍କୁ ଦେଖାଇଥିଲେ । କେମିକାଲ୍ ଦ୍ୱାରା କାଗଜ ଡଲାର୍ ହୋଇଯାଉଥିବା ଦେଖି ତପନ ଆହୁରି ଲୋଭରେ ପଡ଼ିଥିଲେ । ଏ ବାବଦରେ ସମ୍ପୃକ୍ତ ବିଦେଶୀ ଯୁବକକୁ ସେ ୫ ଲକ୍ଷ ଟଙ୍କା ହୋଟେଲ୍ରେ ଦେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଠକ ଦିଲ୍ଲୀ ଫେରିଗଲା ପରେ ଡାକ ଯୋଗେ କେମିକାଲ୍ ପଠାଇବ ବୋଲି କହି ତପନଙ୍କଠାରୁ ଆହୁରି ୪୨ ଲକ୍ଷ ବିଭିନ୍ନ ଆକାଉଣ୍ଟ୍ରେ ଠକି ନେଇଥିଲେ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଏହି ଘଟଣାରେ ତପନ ଗତ ଡିସେମ୍ବର ମାସରେ କ୍ରାଇମବ୍ରାଞ୍ଚରେ ଏତଲା ଦାଏର କରିଥିଲେ । ଘଟଣାର ତଦନ୍ତ କରିବା ସମୟରେ ଏହି ଠକାମି ଘଟଣାରେ ନାଇଜେରିଆ ର୍ୟାକେଟ୍ ସମ୍ପୃକ୍ତ ଥିବା ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ସୁଜାତା ଖଣ୍ଡୁଆଳ ଜାଣିବାକୁ ପାଇଥିଲେ । ଉକ୍ତ ଘଟଣାରେ ଅଭିଯୁକ୍ତ ଠକମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଦିଲ୍ଲୀରେ ପହଞ୍ଚିଥିଲା । ନାଇଜେରିଆ ଠକମାନଙ୍କୁ ତଦନ୍ତକାରୀ ଟିମ୍ ଧରି ପାରିନଥିବା ବେଳେ ସେମାନଙ୍କ ଗ୍ୟାଙ୍ଗ୍ରୁ ୨ ଜଣ ବିହାରୀ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା । ମାତ୍ର ଅଭିଯୁକ୍ତମାନଙ୍କଠାରୁ କ୍ରାଇମବ୍ରାଞ୍ଚ ଟଙ୍କାଟିଏ ମଧ୍ୟ ଜବତ କରିପାରିନାହିଁ ।