ନୂଆଦିଲ୍ଲୀ: ଆଉ ମାତ୍ର ପାଞ୍ଚ ବର୍ଷ ଭିତରେ ହଜିଯିବ ମାଉସ ଓ କିବୋର୍ଡ । ଆଉ ଦେଖିବାକୁ ମିଳିବ ନାହିଁ ଏହି ଦୁଇଟି ଗାଜେଟ। ଆମ ଦୌନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଏହି ଦୁଇ ମୁଖ୍ୟ ଗାଜେଟ ଅଦୃଶ୍ୟ ହେବାକୁ ଯାଉଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ଆଗାମୀ ୨୦୩୦ ସୁଦ୍ଧା ଲାପଟପ ବ୍ୟବହାର ମାଉସ ଓ କିବୋର୍ଡ ବିନା କେବଳ ଭୟେସ କମାଣ୍ଡ ଏବଂ ସଙ୍କେତ (ଜେସ୍ଚର) ମାଧ୍ୟମରେ ଚାଲିବ ବୋଲି ଏକ ରିପୋର୍ଟରେ ପ୍ରକାଶ ଯାଇଛି। ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ଏହାକୁ ସମ୍ଭବ କରିବ ବୋଲି ଏହି ରୋପୋର୍ଟରେ ପ୍ରକାଶ ପାଇଛି।
ମାଇକ୍ରୋସଫ୍ଟର କର୍ପୋରେଟ ଭାଇସ ପ୍ରେସିଡେଣ୍ଟ ଡେଭିଡ ଓଏସ୍ଟନ ଏନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଆସନ୍ତା ୨୦୩୦ ସୁଦ୍ଧା ମାଉସ ଓ କିବୋର୍ଡ ବ୍ୟବହାର ଜେନ ଜି ପାଇଁ ଅଜଣା ଲାଗିବ। ଯେମିତି ଡସ (DOS) ବ୍ୟବହାର ଆଜି ଅଜଣା ଲାଗୁଛି। ସେ କହିଛନ୍ତି, ଭବିଷ୍ୟତରେ ଉଇଣ୍ଡୋଜ ମଲ୍ଟି-ମଡେଲ ହେବ। ଯେଉଁଠାରେ ବ୍ୟବହାରକାରୀମାନେ କଥାବାର୍ତ୍ତା, ସଙ୍କେତ କିମ୍ବା ଦୃଷ୍ଟି ମାଧ୍ୟମରେ କମ୍ପ୍ୟୁଟର ସହ ଯୋଗାଯୋଗ କରିପାରିବେ।
ମାଇକ୍ରୋସଫ୍ଟର ଏଆଇ-ଚାଳିତ ‘କୋପାଇଲଟ’ ଚାଟବଟ ଉଇଣ୍ଡୋଜ ଓ ଅଫିସରେ ସାମିଲ ହୋଇଛି। ଯାହା ବ୍ୟବହାରକାରୀଙ୍କୁ “ହେ କୋପାଇଲଟ” କହି ସେଟିଂ ପରିବର୍ତ୍ତନ କିମ୍ବା ସର୍ଚ୍ଚ କରିବାରେ ସାହାଯ୍ୟ କରୁଛି। ଏଆଇ ସ୍ପ୍ରେଡସିଟ ତିଆରି କିମ୍ବା ଖର୍ଚ୍ଚ ରିପୋର୍ଟ ପ୍ରସ୍ତୁତି ପରି କାର୍ଯ୍ୟକୁ ସ୍ୱୟଂଚାଳିତ କରି ସମୟ ବଞ୍ଚାଇବ। ଏହା ସୁରକ୍ଷା କ୍ଷେତ୍ରରେ ମଧ୍ୟ ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ସୁରକ୍ଷା ସେବାକୁ ସୁଗମ କରିବ। ଯାହା ସମ୍ପୂର୍ଣ୍ଣ ଭାବେ ଏଆଇ ମଡେଲ ଉପରେ କାର୍ଯ୍ୟ କରିବ।
ଇଣ୍ଡିଆ ଏଆଇ ମିଶନ ଅଧୀନରେ ସରକାର ଭାରତରେ ସ୍ୱଦେଶୀ ଏଆଇ ମଡେଲ ବିକଶିତ କରୁଛନ୍ତି। ଯାହା ଭାରତୀୟ ଭାଷା ଓ ସଂସ୍କୃତି ଉପରେ ଆଧାରିତ ଏକ ଏଆଇ ମଡେଲ। ୧୮,୦୦୦ରୁ ଅଧିକ ଜିପିୟୁ ସହ ଏକ ଆଧୁନିକ ଏଆଇ ସୁବିଧା ମଧ୍ୟ ସ୍ଥାପନ ହେଉଛି। ଯାହା ଭାରତକୁ ବିଶ୍ୱ ଏଆଇ କ୍ଷେତ୍ରରେ ଅଗ୍ରଣୀ କରିବ। ଏଣୁ ବହୁ ଜଲଦି ଏହି ଟେକ୍ନୋଲୋଜି ଭାରତରେ ପହଞ୍ଚି ଯିବ ବୋଲି ଅନୁମାନ କରାଯାଉଛି।
ଏଆଇ-ଚାଳିତ ଭୟେସ ଓ ସଙ୍କେତ ଇଣ୍ଟରଫେସ ଲାପଟପ ବ୍ୟବହାରକୁ ସହଜ ଓ ଅଧିକ ଉତ୍ପାଦକ କରିବ। ଏହା ସାଧାରଣ ବ୍ୟବହାରକାରୀ ଓ ବ୍ୟବସାୟୀଙ୍କ ପାଇଁ ଟେକ୍ନୋଲୋଜିକୁ ଅଧିକ ସୁଗମ କରିବ।