ନବଙ୍କ ହତ୍ୟା ଛାଡ଼ିଗଲା ଅନେକ ପ୍ରଶ୍ନ… ସୁପାରି ନା ବ୍ୟକ୍ତିଗତ ରାଗ ? ତାହାକୁ ନେଇ ଜୋର ଧରିଲା ଚର୍ଚ୍ଚା

ଝାରସୁଗୁଡ଼ା ୩୦/୦୧: ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେଡ଼ିର ହେଭିୱେଟ୍ ନେତା ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ଘଟଣା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ଏହି ହତ୍ୟାକାଣ୍ଡ ପଛର କାରଣକୁ ନେଇ ଲୋକଙ୍କ ଭିତରେ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ଜଣେ ପୁଲିସ ଏଏସ୍ଆଇ କେଉଁ କାରଣରୁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଆଗେଇ ଗଲେ । ଏହାର କାରଣ ଖୋଜିବାରେ କ୍ରାଇମବ୍ରାଞ୍ଚ ଲାଗି ପଡ଼ିଥିବା ବେଳେ ଲୋକେ ଏହାର ବିଭିନ୍ନ ଦିଗକୁ ନେଇ ତର୍ଜମା କରିବାକୁ ଲାଗିଛନ୍ତି । ଏହି ଘଟଣା ପାଇଁ ସଂପୃକ୍ତ ପୁଲିସ୍ ଏଏସ୍ଆଇ ଗୋପାଳକୃଷ୍ଣ ଦାସ କାହାରିଠୁ ସୁପାରି ନେଇଥିଲେ ନା ତାଙ୍କର ବ୍ୟକ୍ତିଗତ ରାଗ ଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସଂପୃକ୍ତ ପୁଲିସ୍ ଏଏସ୍ଆଇ ଗାନ୍ଧୀଛକ ଫାଣ୍ଡିରେ ପ୍ରାୟ ଦୁଇ ବର୍ଷ ହେବ ଫାଣ୍ଡି ଅଧିକାରୀ ରହିଛନ୍ତି । ତା ପୂର୍ବରୁ ସେ ବଡ଼ମାଲ ଥାନା, କୋଲାବିରା ଥାନା, ଝାରସୁଗୁଡ଼ା ଥାନା ଆଦିରେ କାର୍ଯ୍ୟ କରିଥିଲେ । ଯଦିଓ ସେ ଜଣେ ମାନସିକ ରୋଗୀ ଥିଲେ ବୋଲି ତାଙ୍କର ପତ୍ନୀ ଗୁଳିକାଣ୍ଡ ଘଟଣା ପରେ ଗଣମାଧ୍ୟମକୁ କହିଛନ୍ତି ହେଲେ ତାଙ୍କର କାର୍ଯ୍ୟକଳାପରୁ ସେଭଳି କିଛି ଲକ୍ଷଣ ସାଧାରଣ ଲୋକେ ଜାଣି ପାରୁ ନ ଥିଲେ । ସେ ଅନ୍ୟମାନଙ୍କ ପରି ସ୍ୱାଭାବିକ ବ୍ୟବହାର ଦେଉଥିଲେ । ରବିବାର ଘଟଣା ଘଟିବା ପୂର୍ବରୁ ନିଜ ଝିଅଙ୍କୁ ଭିଡିଓ କଲ କରି ସ୍ୱାଭାବିକ କଥାବାର୍ତ୍ତା କରିଥିଲେ । ଆଉ ତାଙ୍କ ଭିତରେ କୌଣସି ପ୍ରକାର ମାନସିକ ବିଷାଦ ଅବା ଚାପ ସେମାନେ ଦେଖିବାକୁ ପାଇ ନ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ନବ ଦାସ ଦଳୀୟ ସମାବେଶରେ ଯୋଗ ଦେବାକୁ ଯିବା ପୂର୍ବରୁ ସେଠାରେ ସଂପୃକ୍ତ ଏଏସ୍ଆଇ ପହଞ୍ଚି ଅନେକ ବିଜେଡ଼ି କର୍ମୀଙ୍କ ସହ ସ୍ୱାଭାବିକ ଭାବେ କରମର୍ଦନ କରିବା ସହ କଥାବାର୍ତ୍ତା କରିଥିଲେ । ସେ କୌଣସି ପ୍ରକାର ଚାପରେ ଥିବା ଭଳି ଜଣା ପଡ଼ୁ ନ ଥିଲା ବୋଲି ଅନେକେ କହିଛନ୍ତି। ମାତ୍ର ହଠାତ ନବ ବାବୁ କାର୍ରେ ପହଞ୍ଚିବା କ୍ଷଣି ସେ କାର ନିକଟକୁ ଧାଇଁ ଯାଇ ଛାତିକୁ ଗୁଳି ନିକ୍ଷେପ କରିବା ଘଟଣା ଲୋକଙ୍କୁ ବିସ୍ମିତ କରିଛି । ନବ ବାବୁଙ୍କ ସହ ସେ ବିଶେଷ ସଂପର୍କରେ ନ ଥିବା ସହ କେବେ କୌଣସି ପ୍ରସଙ୍ଗରେ ହଇରାଣ ହରକତ ହୋଇଥିବାର ନଜିର ନାହିଁ । ହେଲେ ସେ କେଉଁ କାରଣରୁ ଲୋକଙ୍କ ଭିଡ଼ ଭିତରେ ହତ୍ୟା କରିବାର ଦୁଃସାହାସ କଲେ? ଏହା ପଛରେ ତାଙ୍କର ବ୍ୟକ୍ତିଗତ ରାଗ ନା ସେ କାହାରିଠାରୁ ମୋଟା ରକମ ନେଇ ସୁପାରି କିଲରର ଭୂମିକା ନେଇଥିଲେ ବୋଲି ପ୍ରଶ୍ନ ହେଉଛି ।
ରବିବାର ଘଟଣାସ୍ଥଳରେ ପହଞ୍ଚିବା ବେଳେ ସେ ସ୍ୱାଭାବିକ ଭାବେ ବାଇକ ରଖି ଲୋକଙ୍କ ଗହଣକୁ ଯାଇଥିଲେ । ତାଙ୍କର ହାବଭାବରେ ବି କୌଣସି ପ୍ରକାର ଅସ୍ୱାଭାବିକତା ନ ଥିଲା । ଯଦି ସେ ବ୍ୟକ୍ତିଗତ ରାଗ ନ ଥାଇ କାହାରି ଦ୍ୱାରା ହତ୍ୟା ପାଇଁ ନିୟୋଜିତ ହୋଇଥିଲେ ତାହେଲେ ଏଭଳି କେଉଁ ଶତ୍ରୁତା ନବ ବାବୁଙ୍କୁ ହତ୍ୟା କରାଇବା ଲାଗି ଶତ୍ରୁ ଶ୍ରେଣୀଙ୍କୁ ପ୍ରେରିତ କରିଥିଲା । ନବ ବାବୁ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ହେବା ଦିନ ଠାରୁ ନିଜର ପତିଆରା ଜାହିର କରି ଚାଲିଛନ୍ତି । ନିର୍ବାଚନ ସମୟରେ ଯାହାର ହାୱା ବହୁଥିଲେ ବି ସେ ନିର୍ବାଚନ ଜିଣୁଥିଲେ । ପ୍ରତିପକ୍ଷଙ୍କ ଯେ କୌଣସି ହାୱା ଏବଂ ନିର୍ବାଚନୀ ରଣନୀତି ତାଙ୍କ ଆଗରେ ଫିକା ପଡ଼ୁଥିଲା । ରାଜନୈତିକ କ୍ୟାରିୟର ମଧ୍ୟରେ ସମ୍ବଲପୁର ଠାରୁ ସୁନ୍ଦରଗଡ଼ ଯାଏ ସେ ଅନେକ ରାଜନୈତିକ ଶତ୍ରୁଙ୍କୁ ଜନ୍ମ ଦେବା ସ୍ୱାଭାବିକ । ଦଳ ଭିତରେ ଦଳ ବାହାରେ ବି ଶତ୍ରୁତାକୁ ସାମ୍ନା କରି ଚାଲିଥିଲେ ।
ଅନ୍ୟପକ୍ଷରେ ସମ୍ବଲପୁର-ସୁନ୍ଦରଗଡ଼ ଶିଳ୍ପ କରିଡର୍ରେ ନବ ବାବୁ ଖଣିଜ ଏବଂ ଶିଳ୍ପ ସଂସ୍ଥାଙ୍କ କଞ୍ଚାମାଲ ଯୋଗାଣ ଓ ଅନ୍ୟାନ୍ୟ ଠିକା କାର୍ଯ୍ୟକୁ ନେଇ ନିଜର ପ୍ରାଧାନ୍ୟ ଜାହିର କରି ଆସିଛନ୍ତି । ଅନ୍ୟ ନେତା ନବ ବାବୁଙ୍କ ବଳୟ ଭେଦ କରିବା କଷ୍ଟକର ହୋଇଥାଏ । ଏଭଳି ପରିସ୍ଥିତିରେ ରାଜନୈତିକ କ୍ଷମତାର ପ୍ରଭାବରେ ଚାଲିଥିବା ବ୍ୟବସାୟରେ ଶତ୍ରୁତା ବି କିଛି କମ ନୁହେଁ । ହେଲେ ପୁଲିସ ଏଏସ୍ଆଇ ଏଭଳି କୌଣସି ଶତ୍ରୁତା ପାଇଁ ବ୍ୟବହାର ହୋଇ ନାହାଁନ୍ତି ତ ବୋଲି ପ୍ରଶ୍ନ ଉଠୁଛି । ନିକଟରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳରେ କୋଇଲା ପରିବହନ ବ୍ୟବସାୟକୁ ନେଇ ନବ ସମର୍ଥକଙ୍କୁ ମାରପିଟ୍ ହେବା ଘଟଣା ନବଙ୍କ ପ୍ରତି ବର୍ଦ୍ଧିତ ବ୍ୟବସାୟିକ ଶତ୍ରୁତାର ପରିଚାୟକ ଭାବେ ବିବେଚନା କରାଯାଉଛି ।