ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ

ବାରିପଦା, ୨୮ା୧(ଆପ୍ର): ପୂର୍ବତନ ଶିକ୍ଷାମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କର ସୋମବାର ସକାଳେ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କୁ ୯୦ ବର୍ଷ ହୋଇଥିଲା । ସ୍ୱର୍ଗତ ମାଝୀ ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଗତକାଲି ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୋମବାର ସକାଳେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଭୁବନେଶ୍ୱରର ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ସମେତ ତାଙ୍କୁ ଭଲ ପାଉଥିବା ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । ଅପରାହ୍ନ ପ୍ରାୟ ୨ଟାରେ ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ବାରିପଦା ଅଣାଯାଇଥିଲା । ପ୍ରଥମେ ବିଜେଡି କାର୍ଯ୍ୟାଳୟରେ ରଖାଯାଇଥିଲା । ଦଳର ବରିଷ୍ଠ ନେତାମାନେ ଶେଷ ଦର୍ଶନ କରିଥିଲେ । ଏହାପରେ ମରଶରୀରକୁ ବାଘଡାରୋଡ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସେଠାରୁ ମରଶରୀରକୁ ତିରିଂ ଥାନା ଅନ୍ତର୍ଗତ ଚାଙ୍ଗୁଆ ସ୍ଥିତ ତାଙ୍କ ପୈତୃକ ବାସଭବନକୁ ନିଆଯାଇଛି । ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।