ନୂଆଦିଲ୍ଲୀ,୦୯/୦୪: କାମ୍ବୋଡ଼ିଆର ଉତ୍ତର ପ୍ରାନ୍ତ ପ୍ରୀହ ବିହାରରେ ଏକ ମୂଷା ଆଜିକାଲି ଖବରର ଶିରୋନାମା ହୋଇଛି । ଏହାର ନାଁ ରୋନିନ । ଏହା ଏକ ବିଶାଳ ଆଫ୍ରିକୀୟ ପାଉଚ୍‌ଡ ମୂଷା । ବେଲଜିୟମ୍ ଚାରିଟି ସଂଗଠନ ଏପିଓପିଓ ଅନୁସାରେ, ରୋନିନ ଅଗଷ୍ଟ ୨୦୨୧ରୁ ଅଦ୍ୟାବଧି ୧୦୯ ଲ୍ୟାଣ୍ଡମାଇନ ଓ ୧୫ ଅନ୍ୟ ଅନ୍ଏକ୍ସପ୍ଲୋଡେଡ୍ ଅର୍ଡନାନ୍ସ (ୟୁଏକ୍ସଓବିସ୍ଫୋରଣ ହୋଇନଥିବା ବାରୁଦଯୁକ୍ତ ଅସ୍ତ୍ର ଯଥା-ମୋର୍ଟାର, ଗ୍ରେନେଡ୍ ଆଦି) ଠାବ କରିଛି । ଏହା ଜରିଆରେ ରୋନିନ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ଏହା ଏକ ମୂଷା ଦ୍ୱାରା ସର୍ବାଧିକ ବାରୁଦ ସୁଡ଼ଙ୍ଗ ଖୋଜିବାର ବିଶ୍ୱ ରେକର୍ଡ ।

ରୋନିନ ପୂର୍ବରୁ ବିଶ୍ୱ ରେକର୍ଡ କରିଥିବା ମାଗାୱାର ରେକର୍ଡ ଭାଙ୍ଗିଛି । ମାଗାୱା ୫ ବର୍ଷର ସେବାରେ ୭୧ ଲ୍ୟାଣ୍ଡମାଇନ୍ ଓ ୩୮ ୟୁଏକ୍ସଓ ଠାବ କରିଥିଲା । ତାକୁ ୨୦୨୦ରେ ପିଡିଏସ୍ଏ ସ୍ୱର୍ଣ୍ଣ ପଦକ ମିଳିଥିଲା । ରୋନିନର ବୟସ ୫ ବର୍ଷ । ଆହୁରି ୧-୨ ବର୍ଷ ସେ କାମ କରିବାର ସମ୍ଭାବନା ଅଛି । ଏପିଓପିଓ ଏକ ବେସରକାରୀ ସଂଗଠନ, ଯାହା ଆଫ୍ରିକା ଓ ଏସିଆରେ ଲ୍ୟାଣ୍ଡମାଇନ୍ ଓ ଟିବି ଚିହ୍ନଟ ଲାଗି ମୂଷାଙ୍କୁ ତାଲିମ ଦିଏ । ଏହି ମୂଷା ସାଧାରଣ ମୂଷାଙ୍କଠୁ ଖୁବ୍ ବଡ଼ । ଏମାନଙ୍କ ଲମ୍ବା ୩୦- ୪୦ ସେଣ୍ଟିମିଟର । ଏମାନଙ୍କୁ ହିରୋ ର୍ୟାଟ୍ କୁହାଯାଏ । ଏମାନଙ୍କୁ ବିସ୍ଫୋରକ ରସାୟନ (ଯଥା- ଟିଏନ୍ଟି)ର ଗନ୍ଧ ଚିହ୍ନଟ ଲାଗି ତାଲିମ ଦିଆଯାଏ । ଏହି ତାଲିମ ୬-୯ ମାସର ହୋଇଥାଏ । ମୂଷା ହାଲୁକା ହୋଇଥିବାରୁ ଲ୍ୟାଣ୍ଡମାଇନ୍ ଉପରେ ପାଦ ରଖି ମଧ୍ୟ ସୁରକ୍ଷିତ ରହନ୍ତି । ଏମାନେ ଗୋଟିଏ ଦିନରେ ମାତ୍ର ୨୦-୩୦ ମିନିଟ୍ ଯାଏ କାମ କରନ୍ତି ।

ଆହୁରି ପଢନ୍ତୁ-୫ ବିନ୍ଦୁରେ ବୁଝନ୍ତୁ ଟ୍ରମ୍ପଙ୍କ ଆତ୍ମସମର୍ପଣ ପଛର କାରଣ; ଇରାନ ସହିତ ଯୁଦ୍ଧବିରତି ଆମେରିକାର ପରାଜୟ କି?

କାମ୍ବୋଡ଼ିଆରେ ଦୀର୍ଘ ଦଶନ୍ଧି ପୂର୍ବରୁ ହୋଇଥିବା ଗୃହଯୁଦ୍ଧ ଯୋଗୁ ଲକ୍ଷାଧିକ ଲ୍ୟାଣ୍ଡମାଇନ୍ ବିଛେଇ ହୋଇଛି । ଏସବୁ କ୍ଷେତ, ଜଙ୍ଗଲ ଓ ଗାଁରେ ଦବି ରହିଛି । ଏଥିଯୋଗୁ ଲୋକେ ଚାଷ କରିପାରୁ ନାହାନ୍ତି । ପ୍ରତିଦିନ ଦୁର୍ଘଟଣା ହେଉଛି । ରୋନିନକୁ ଅଗଷ୍ଟ ୨୦୨୧ରେ ପ୍ରୀହ ବିହାର ପ୍ରାନ୍ତର ସ୍ରୋର ଏମ୍ କମ୍ୟୁନରେ ମୁତୟନ କରାଯାଇଥିଲା । ସେଠାରେ ସେ ୪ ବର୍ଷରେ ୧୦୯ ଲ୍ୟାଣ୍ଡମାଇନ୍ ଓ ୧୫ ଅନ୍ୟ ବିପଦପୂର୍ଣ୍ଣ ବିସ୍ଫୋରକ ଚିହ୍ନଟ କଲା । ନିଜ ତାଲିମକର୍ତ୍ତାଙ୍କ ସହ ସେ ଏକ ସ୍ୱତନ୍ତ୍ର କବଚ ପିନ୍ଧି କାମ କରେ । ବିସ୍ଫୋରକର ଗନ୍ଧ ବାରିଲେ ଅଟକିଯାଏ । ସେ ସ୍ଥାନକୁ ନଖରେ ରାମ୍ପୁଡ଼େ । ତା’ର ତାଲିମକର୍ତ୍ତାଙ୍କୁ ସଙ୍କେତ ମିଳିଯାଏ । ଏହା ପରେ ସୁରକ୍ଷିତ ଭାବେ ଲ୍ୟାଣ୍ଡମାଇନ୍କୁ ବାହାର କରାଯାଏ । ମଣିଷ ଦ୍ୱାରା ମାଇନ୍କୁ ହଟାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ମହଙ୍ଗା । ମେଟାଲ ଡିଟେକ୍ଟରରେ ଛୋଟ ପ୍ଲାଷ୍ଟିକ୍ ମାଇନ୍ ଠାବ ଓ ମାଟି ଖୋଳିବା ବିପଦପୂର୍ଣ୍ଣ । ମୂଷା ଏହି ସମସ୍ୟାର ଉତ୍ତମ ସମାଧାନ ।