ନୂଆଦିଲ୍ଳୀ,୨୪।୨: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବୋଲି ସୋମବାର କାନାଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘୋଷଣା କରିଛି। ଏହି ଗସ୍ତ ଏଭଳି ସମୟରେ ହେଉଛି ଯେତେବେଳେ ଆମେରିକା ସହିତ କାନାଡାର ବାଣିଜ୍ୟ ସମ୍ପର୍କରେ ଲଗାତାର ଉତ୍ତେଜନା ଜାରି ରହିଛି। ପ୍ରଧାନମନ୍ତ୍ରୀ କାର୍ନି ଗୁରୁବାର ମୁମ୍ବାଇରେ ପହଞ୍ଚିବେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି, କାରଣ କିଛି ସମୟ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି।

ଭାରତ ଆସିବା ପୂର୍ବରୁ କାର୍ନି କହିଛନ୍ତି,ଏକ ଅନିଶ୍ଚିତ ଦୁନିଆରେ କାନାଡା ସେହି ସବୁ ଜନି ଉପରେ ଧ୍ୟାନ ଦେଉଛି ଯାହାକୁ ଆମେ ନିୟନ୍ତ୍ରଣ କରିପାରିବା। ଆମେ ନିଜର ବ୍ୟାପରକୁ ଅଲଗା ଅଲଗା ଦେଶରେ ବଢାଉଛୁ। ଏହା ସହ ବଡ଼ ପରିମାଣର ନୂତନ ନିବେଶକୁ ଆକର୍ଷିତ କରିବା।’ ତାଙ୍କର ଲକ୍ଷ୍ୟ ଆଗାମୀ ଦଶକରେ ଆମେରିକା ବ୍ୟତୀତ ଦୁଇ ଦେଶ ସହ କାନାଡାର ରପ୍ତାନୀ ଦୁଇଗୁଣ କରିବାକୁ ହେବ।

ଉଲ୍ଲେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ଅର୍ଥନୀତି ଉପରେ ଟାରିଫ୍ ଲଗାଇବାକୁ ବାରମ୍ବାର ଧମକ ଦେଇଛନ୍ତି। ନିକଟରେ ଟ୍ରମ୍ପ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

ଗତ ବର୍ଷ ଭାରତ ଓ କାନାଡା ଦୁଇ ବର୍ଷର ତିକ୍ତ ସମ୍ପର୍କ ପରେ ଏକ ବାଣିଜ୍ୟ ଚୁକ୍ତି କରିବାକୁ ରାଜି ହୋଇଥିଲେ। ୨୦୨୪ ରେ ଭାରତ କାନାଡାର ସପ୍ତମ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ଥିଲା। ଜୁନ୍ ୨୦୨୩ ରେ ଭାନକୁଭର ନିକଟରେ ଜଣେ ଶିଖ କର୍ମୀଙ୍କ ହତ୍ୟା ଘଟଣାରେ କାନାଡା ପୋଲିସ ନୂଆଦିଲ୍ଲୀ ଉପରେ ସମ୍ପୃକ୍ତି ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। କାନାଡା ଏକମାତ୍ର ଦେଶ ନୁହେଁ ଯିଏ ଭାରତୀୟ ଅଧିକାରୀଙ୍କୁ ବିଦେଶୀ ମାଟିରେ ହତ୍ୟା ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିଛି। ୨୦୨୩ ରେ ଆମେରିକାର ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ଅଭିଯୋଗ କରିଥିଲେ ଯେ ଜଣେ ଭାରତୀୟ ସରକାରୀ ଅଧିକାରୀ ନ୍ୟୁୟର୍କରେ ଜଣେ ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ ଏକ ବିଫଳ ଷଡ଼ଯନ୍ତ୍ର ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖନୀୟ ଯେ,ଭାରତ ପରେ କାର୍ନି ଅଷ୍ଟ୍ରେଲିଆର କାନବେରା ମଧ୍ୟ ଗସ୍ତ କରିବେ, ଯେଉଁଠାରେ ସେ ଅଷ୍ଟ୍ରେଲିଆ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ୨୦ ବର୍ଷ ମଧ୍ୟରେ ଏପରି କରିବାରେ ପ୍ରଥମ କାନାଡିୟ ପ୍ରଧାନମନ୍ତ୍ରୀ ହେବେ କାର୍ନି।