ବ୍ରହ୍ମଗିରି, ୧୫/୧୨ : କେନାଲ ଖୋଳାକୁ ନେଇ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ମୁହାଁମୁହିଁ। ପୁଲିସ ଉପରକୁ କାଦୁଅ ମାଡ଼। ଜାଡ଼ି ନଦୀ କେନାଲ ଖୋଳାକୁ ନେଇ ସୋମବାର ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗାଁରେ ଏଭଳି ଘଟଣା ଘଟିଛି। ପୁଲିସ ବଳ ପୂର୍ବକ ପ୍ରାୟ ୪୦ ଗ୍ରାମବାସୀଙ୍କୁ ଉଠାଇ ଆଣି ଅଟକ ରଖିଛି। 

ସୂଚନାନୁଯାୟୀ, ଜାଡ଼ି ନଦୀ କେନାଲକୁ କେନ୍ଦ୍ରକରି ହରିଦାସ ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। କେନାଲ ଖୋଳା ଚାଲିଥିବା ବେଳେ ହରିଦାସ ଗାଁର ଲୋକମାନେ ଏହାକୁ ବିରୋଧ କରିଥିଲେ। ଚାଷରେ ସମସ୍ୟାକୁ ଆଖି ଆଗରେ ରଖି ଏ ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଆଲୋଚନା ହୋଇଥିଲା। ହରିଦାସ ଗ୍ରାମବାସୀଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ସୁସମାଧନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ତେଣୁ ବାଧ୍ୟ ହୋଇ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ସେହି ସ୍ଥାନରେ BNS 163 ଘୋଷଣା କରାଯାଇଥିଲା। ଆଜି ସକାଳୁ ଜିଲ୍ଲା ପ୍ରଶାସନ ପୁଲିସ ପ୍ରଶାସନ ସହିତ କେନାଲରୁ ଅବରୋଧ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲ। 

ସେପଟେ ପୂର୍ବରୁ ସୂଚନା ପାଇ ହରିଦାସ ଗାଁର ଶତାଧିକ ମହିଳା ପୁରୁଷ ରାସ୍ତା ଅବରୋଧ କରିବା ସହ କେନାଲ ନିକଟରେ ବସି ରହିଥିଲେ। ଯାହାଫଳରେ ଜିଲ୍ଲା ପ୍ରଶାସନ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଠେଲାପେଲା ଧସ୍ତାଧସ୍ତି ଚାଲିଥିବା ବେଳେ ମହିଳାମାନେ ପୁଲିସ ଉପରକୁ ପଙ୍କ କାଦୁଅ ଫିଙ୍ଗିଥିଲେ। ଅନ୍ୟପଟେ ପୁଲିସ ବଳ ପୂର୍ବକ କିଛି ମହିଳା ଓ ପୁରୁଷଙ୍କୁ ଟାଣି ଅଟକ ରଖିଛି। ସେପଟେ ପ୍ରଶାସନ କେନାଲ ଖୋଳିବାରେ ସଫଳ ହୋଇଛି। ବର୍ତ୍ତମାନ ଘଟଣା ସ୍ଥଳରେ ପୁଲିସ ପ୍ରଶାସନ ଜଗି ରହିଛି। ୭୦ ଜଣରୁ ଉର୍ଦ୍ଧ୍ବ ମହିଳା ପୁରୁଷଙ୍କୁ ପୁଲିସ ଅଟକ ରଖିଛି। ଦୁଇ ଜଣ ଆହତ ହୋଇ ଆମ୍ବୁଲାନ୍ସରେ ମେଡିକାଲ ଯାଇଛନ୍ତି।

​​​​​​​