ବାରିପଦା,୧୩/୦୭: ବାରିପଦାରେ ଶନିବାର ଅପରାହ୍ନରେ ଭୟଙ୍କର ବର୍ଷା ଫଳରେ ବିଦ୍ୟୁତ ସରବରାହରେ ବ୍ୟାଘାତ ଯୋଗୁଁ  ଇଗ୍ନୋ ପରୀକ୍ଷା କେନ୍ଦ୍ରରେ କ୍ୟାଣ୍ଡେଲ ଲାଇଟ୍‌ରେ ପରୀକ୍ଷା ଦେବାକୁ  ପରୀକ୍ଷାର୍ଥୀ ବାଧ୍ୟ ହୋଇଛନ୍ତି । 

ସୂଚନା ମୁତାବକ ଶନିବାର ଦୁଇଟି  ସିଟିଂରେ ଇଗ୍ନୋର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦିନ ୧୦ଟାରୁ  ଗୋଟାଏ ମଧ୍ୟରେ ହୋଇଥିବା ପରୀକ୍ଷାରେ କୌଣସି ଅବ୍ୟବସ୍ଥା  ହୋଇ ନଥିବା ବେଳେ ଦ୍ୱିତୀୟ ସିଟିଙ୍ଗରେ ଦିନ ୨ଟାରୁ ଅପରାହ୍ନ ୫ଟା  ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିବା ବେଳେ ଭୟଙ୍କର ବର୍ଷା ହେବାରୁ ବିଦ୍ୟୁତ  ସରବରାହ ଠପ୍‌ ହୋଇ ଯାଇଥିଲା । ସେପଟେ ମହାବିଦ୍ୟାଳୟର ଡିଜି  କାମ ନ କରିବାରୁ ୫୨ନଂ ଏବଂ ୫୩ ନଂ ପରୀକ୍ଷା ହଲରେ ଅନ୍ଧାର ରାଜୁତି କରିଥିଲା । ପରୀକ୍ଷାର୍ଥୀଙ୍କ ଅଭିଯୋଗ କ୍ରମେ କ୍ୟାଣ୍ଡେଲ ଲାଇଟ୍‌ର  ବ୍ୟବସ୍ଥା କରାଯାଇଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କୁ ଅନ୍ୟ ହଲକୁ  ସ୍ଥାନାନ୍ତର କରାଯାଇଥିଲା । 

ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ(ଇଗ୍ନୋ) ର ସଂଯୋଜକ ଦାୟିତ୍ୱରେ ଥିବା ଏମ୍‌ପିସି ମହାବିଦ୍ୟାଳୟର ପ୍ରଫେସର  ଜ୍ଞାନେନ୍ଦ୍ର ନାଏକ କହିଛନ୍ତି ଯେ, ଦୈବୀଦୁର୍ବିପାକ ଯୋଗୁଁ ଏଭଳି  ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି  । ପିଲାଙ୍କୁ ଏଥିପାଇଁ ୧୦ମିନିଟ୍‌  ଅଧିକ ସମୟ ମଧ୍ୟ ଦିଆ ଯାଇଛି  । ତେବେ ପରୀକ୍ଷା ଚାଲିଥିବା  ହଲରେ ବର୍ଷା ଯୋଗୁଁ ଛାତରୁ ପାଣି ଗଳୁଥିବା ନେଇ କେତେକ  ପରୀକ୍ଷାର୍ଥୀ ଅଭିଯୋଗ କରିଥିବା ବେଳେ ଏ ସଂପର୍କରେ ମହାବିଦ୍ୟାଳୟର  ଅଧ୍ୟକ୍ଷା ଡଃ ଆଲବର୍ଟିନା ତିର୍କୀ କହିଛନ୍ତି ଯେ, କୋଠା ଗୁଡିକ ପୁରୁଣା  ହୋଇଯାଇଥିବାରୁ ଜୋର ବର୍ଷା ହେଲେ ପାଣି ଗଳୁଛି । ଏହାର ମରାମତି  ସଂପର୍କରେ ପିଡବ୍ଲ୍ୟୁଡି ନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇଛି । 

 ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାଣିପାଗକେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଶନିବାର ବାରିପଦାରେ ଘଡଘଡି ସହ ଭୟଙ୍କର ବର୍ଷା ହୋଇଥିଲା । ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବା ବେଳେ  ଶନିବାର ଦିନ ଦୁଇଟା ପର୍ଯ୍ୟନ୍ତ ପାଗ ଶୁଖିଲା ଥିଲେ ମଧ୍ୟ ହଠାତ୍‌  ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା  । ପ୍ରବଳ ବର୍ଷା ଯୋଗୁଁ  ସହର ମଧ୍ୟ ଦେଇ ପ୍ରବାହିତ ଜରାଳୀ ସରାଳୀ ଏବଂ ଶୁକଯୋଡା  ନଦୀରେ ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ କେତେକ ସ୍ଥାନ ଜଳ  ମଗ୍ନ ହୋଇଥିଲା । ଏହି ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଗଛପଡି  ବିଦ୍ୟୁତ ସରବରାହରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେବେ  ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶନିବାର ଇଗ୍ନୋ  ପରୀକ୍ଷା ଚାଲିଥିବା ବେଳେ ଛାତରୁ ପାଣି ଗଳିବା ପୁଣି ଡିଜି କାମ ନ  କରିବାରୁ ଅନ୍ଧାରରେ ଛାତ୍ର ଛାତ୍ରୀ କ୍ୟାଣ୍ଡେଲ ଲାଇଟ୍‌ରେ ପରୀକ୍ଷା  ଦେବା ଭଳି ସ୍ଥିତିକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି  ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।