ଭୁବନେଶ୍ୱର,୨୪/୦୫: ଆଗେଇବ କ୍ୟାପିଟାଲ ରିଜନ ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ । ପ୍ରସ୍ତାବିତ ୧୧୧ କିଲୋମିଟର ରାସ୍ତା ମଧ୍ୟରୁ  ପ୍ରଥମ ପର୍ଯ୍ୟାୟରେ ୭୦ କିମି ପାଇଁ ପ୍ରସ୍ତୁତ ଡିଜାଇନକୁ ଅନୁମୋଦନ ଦେଇଛି କେନ୍ଦ୍ର ରାଜପଥ ମନ୍ତ୍ରଣାଳୟ । ଏବେ ଟେଣ୍ଡର ପ୍ରକ୍ରିୟାକୁ ବଳ ମିଳିବା ସହ ଖୁବଶୀଘ୍ର ଏହା ଚୂଡ଼ାନ୍ତ ରୂପ ନେବ । 

କ୍ୟାପିଟାଲ ରିଜନ ରିଙ୍ଗ୍‌ରୋଡ୍‌ ପ୍ରକଳ୍ପରେ  ଖୋର୍ଦ୍ଧା ରାମେଶ୍ୱରରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ୬  ଲେନ୍‌ ବିଶିଷ୍ଟ ୧୧୧ କିଲୋମିଟର ବିଶିଷ୍ଟ ନୂଆ ସଡ଼କ ନିର୍ମାଣ ହେବ । ପ୍ରସ୍ତୁତ ଡିଜାଇନ ଅନୁସାରେ ପୂରା ରାସ୍ତା ୬ ଲେନ୍‌ ହେବ । ରାସ୍ତାର ଦୁଇ ପାଶ୍ୱର୍ରେ ଖୋଲା ଲେନ୍‌ (ପେଭ୍‌ଡ ସୋଲଡର)  ରହିବ । ଅନୁମୋଦନ ପାଇଥିବା ଡିଜାଇନ  ଭିତରେ ଖୋର୍ଦ୍ଧାର ରାମେଶ୍ୱରମଠାରୁ ବାଙ୍କୀ  ପାଖ ବିଲିପଡ଼ା ପର୍ଯ୍ୟନ୍ତ ୪୦ କିମି ବିଳିପଡ଼ାରୁ  ଗୋବିନ୍ଦପୁରକୁ ୩୦ କିମି ରାସ୍ତା । ଏହି ୭୦ କିମି ରାସ୍ତା ପାଇଁ ଏବେ ଡିଜାଇନକୁ ଅନୁମୋଦନ  ମିଳିଛି । 

ଆଶା କରାଯାଉଛି, ଚଳିତବର୍ଷ ହିଁ ଏହାର  କାମ ଆରମ୍ଭ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଗୋବିନ୍ଦପୁରରୁ କଟକ ଟାଙ୍ଗୀ ବନ୍ଦାଳ ଟୋଲ ପ୍ଲାଜା (ଏନଏଚ୍‌-୧୬) ପର୍ଯ୍ୟନ୍ତ ୪୦ କିମି ପର୍ଯ୍ୟନ୍ତ  ଡିଜାଇନକୁ ଅନୁମୋଦନ ମିଳିବ । ଅନୁମୋଦିତ ଡିଜାଇନ ଅନୁସାରେ ଏହି  ରାଜପଥ ନିର୍ମାଣ ହେଲେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଆଠଗଡ଼ ମୁଖ୍ୟ ରାସ୍ତାରେ ଗାଡ଼ିମୋଟର  ଭିଡ଼ କମିବ । ଏନଏଚ୍‌ ୧୬, ୫୫, ୫୭ ସହ  କଟକ-ଅନୁଗୁଳ ମୁଖ୍ୟ ରାସ୍ତାରୁ ଟ୍ରାଫିକ ଭିଡ଼କୁ  ଏହା କମାଇବ । ବଡ଼ କଥା ହେଲା, ମନଇଚ୍ଛା ସବୁ ସ୍ଥାନରେ ଏହି ରାଜପଥ ଅନ୍ୟ ସଡ଼କ ସହ  ସଂଯୋଗ ହେବନି । ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା  ରହିବ । ଏହାକୁ ହାଇସ୍ପିଡ୍‌ କରିଡର ଭାବେ  ବ୍ୟବହାର କରାଯିବ । ବାଙ୍କୀ ନିକଟରେ ମହାନଦୀ  ଉପରେ ଏକ ବଡ଼ ସେତୁ ନିର୍ମାଣ ହେବ ।  

ରାମେଶ୍ୱର, ସାରୁଅ, ଗୋବିନ୍ଦପୁର ସମେତ  କିଛି ପ୍ରମୁଖ ସ୍ଥାନରେ ଟ୍ରମ୍ପେଟ ଇଣ୍ଟରଚେଞ୍ଜ (ତୂରୀ  ଆକୃତିର) ନିର୍ମାଣ ହେବ । ଏହା ଏକ ଅତ୍ୟାଧୁନିକ  ଗୋଲେଇ ଛକ ଭଳି କାମ କରିବ । ପୁରୀ  ଶ୍ରୀସେତୁରେ ପୂର୍ବରୁ ଏଭଳି ଅତ୍ୟାଧୁନିକ ଟ୍ରମ୍ପେଟ  ଇଣ୍ଟରଚେଞ୍ଜ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପର  ମେଡିଆନର ଚଉଡ଼ା ପ୍ରାୟ ୭ ମିଟର ରହିବ ।  ଏଥିରେ ଗଛ ଲାଗିବ । ଏହାସହ କେତେକ  ସ୍ଥାନରେ ଲ୍ୟାଣ୍ଡସ୍କେପିଂ ବ୍ୟବସ୍ଥା କରାଯିବ ।  

ସୂଚନାଯୋଗ୍ୟ, ଗତ ନଭେମ୍ବରରେ ଏହି ପ୍ରକଳ୍ପ ପାଇଁ ୩ଟି ପ୍ୟାକେଜରେ ଟେଣ୍ଡର  ଡକାଯାଇଥିଲା । ମାତ୍ର ଡିଜାଇନ ଅନୁମୋଦନ ହୋଇନଥିବାରୁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ରୂପ ନେବାରେ ବିଳମ୍ବ ହେଉଥିଲା । ଏବେ ୭୦ କିମି  ପାଇଁ ଡିଜାଇନ ଅନୁମୋଦନ ହେବା ପରେ ଟେଣ୍ଡର  ପ୍ରକ୍ରିୟା ଆଗେଇବା ଆଶା ବଢ଼ିଛି । ପ୍ୟାକେଜ୍‌-୧ରେ  ଖୋର୍ଦ୍ଧାର ରାମେଶ୍ୱରମଠାରୁ ବାଙ୍କୀ ପାଖ ବିଲିପଡ଼ା  ପର୍ଯ୍ୟନ୍ତ ୪୦ କିମି ରାସ୍ତା ନିର୍ମାଣ ପାଇଁ ୧୭୧୫ କୋଟି  ଟଙ୍କା ବ୍ୟୟ ହେବ । 

ପ୍ୟାକେଜ୍‌-୨ରେ ବିଲିପଡ଼ାରୁ ଗୋବିନ୍ଦପୁରକୁ ୩୦ କିମି ରାସ୍ତା ପାଇଁ ୧୪୦୨ କୋଟି,  ପ୍ୟାକେଜ-୩ରେ ଗୋବିନ୍ଦପୁରରୁ ଟାଙ୍ଗୀ ବନ୍ଦାଳ ଟୋଲ ପ୍ଲାଜା ପର୍ଯ୍ୟନ୍ତ ୪୦ କିମି ରାସ୍ତା ପାଇଁ ୧୧୮୫  କୋଟି ଟଙ୍କା ବ୍ୟୟ ହେବ ବୋଲି ଜଣାପଡ଼ିଛି । ପ୍ରକଳ୍ପ  ପାଇଁ ଜମି ଅଧିଗ୍ରହଣ ଜାରି ରହିଛି । ୨୦୧୫ ଜାନୁଆରୀରେ ଭୁବନେଶ୍ୱରରେ  ଭାରତୀୟ ସଡ଼କ କଂଗ୍ରେସ (ଆଇଆର୍‌ସି)  ଆୟୋଜିତ ହୋଇଥିବାବେଳେ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା । ଏହି ନୂଆ ସଡ଼କ  ଫିଟିଲେ କଟକ ଓ ଭୁବନେଶ୍ୱର ସହର ଭିତରକୁ  ଭାରୀଯାନ ପ୍ରବେଶ କମିଯିବ । ଦୂରକୁ ଯାଉଥିବା ଯାନବାହନ ସହର ଟ୍ରାଫିକ ଭିଡ଼ରେ ଫସିବେନି । ଏପଟେ ଟ୍ୱିନ୍‌ ସିଟିରେ ଟ୍ରାଫିକ ଚାପ କମିବ ।