କଟକ,୦୮/୧୨; ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ୍ । ବାରବାଟୀରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ । ଏ ନେଇ ଦୁଇ ଦଳର ଖେଳାଳି ବାରବାଟୀରେ ପ୍ରାକ୍ଟିସ୍ କରିଛନ୍ତି । ମୁକାବିଲା ପୂର୍ବରୁ ବାରବାଟୀରେ ପ୍ରେସମିଟ୍ କରିଛନ୍ତି ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଟିମ୍ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଏହା ସହିତ ଟି-ଟ୍ୱେଣ୍ଟି ବିଶ୍ୱକପ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖି ସୂର୍ଯ୍ୟ କହିଛନ୍ତି, ପରୀକ୍ଷା ଆରମ୍ଭର ୪ ଦିନ ପୂର୍ବରୁ ସବୁ ପାଠ ପଢାଯାଏ ନାହିଁ । ଏ ନେଇ ଆମ ପ୍ରସ୍ତୁତି କେବେଠୁ ଚାଲିଛି ।

କ୍ୟାପ୍ଟେନ୍ ସୂର୍ଯ୍ୟକୁମାର କହିଛନ୍ତି, ଗତ ୫ରୁ୬ ସିରିଜରେ ଟିମ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନ କରିନାହୁଁ ତେଣୁ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ । ଆଗକୁ ବି ବେଶୀ ଅଦଳବଦଳ କରିବୁ ନାହିଁ । ଆଶା କରୁଛି ସବୁ ଭଲ ହେବ । ଶୁଭମନ ଗିଲ୍ ଫିଟ୍ ହୋଇ ଫେରିଛନ୍ତି । ତେଣୁ ସେ ତାଙ୍କ ସ୍ଥାନରେ ଖେଳିବେ । ସଞ୍ଜୁ ସାମସନ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା,  ଶୁବମ ଦୁବେ ଅଲରାଉଣ୍ଡର, କାହାକୁ କାହା ସହ ତୁଳନା କରିବା ଠିକ୍ ନୁହେଁ । ୩ ନମ୍ବରରୁ ୭ ଯାଏ ସବୁ ବ୍ୟାଟର ଯେ କୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ । ବାରବାଟୀରେ ବହୁ ପୂର୍ବରୁ ଘରୋଇ ମ୍ୟାଚ ଖେଳିବାର ଅନୁଭୂତି ରହିଛି । ନିଜ ପ୍ରସ୍ତୁତି ଗୁରୁତ୍ୱ ବହନ କରେ । ଘରୋଇ କ୍ରିକେଟରେ କିଛି ଖେଳାଳି ବେଶ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଅଧିନାୟକ କହିଥିଲେ, ‘ଘରୋଇ କ୍ରିକେଟ୍‌ ହେଉଛି ମୂଳ । ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଜଣେ ଖେଳାଳିର ତ୍ରୁଟି ହିଁ ସେଠାରେ ସୁଧାରି ହୋଇଥାଏ ।

ଟି-ଟ୍ୱେଣ୍ଟି ଫର୍ମାଟରେ ଆସନ୍ତା ବିଶ୍ୱକପ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖି ସୂର୍ଯ୍ୟକୁମାର କହିଛନ୍ତି, ''ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢାଯାଏ ନାହିଁ । ପୁରା ବର୍ଷ ତମାମ ପାଠ ପଢାଯାଏ । ତେଣୁ ଆମେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ । ସେବେଠୁ ଆମେ ନୂଆ ନୂଆ ଜିନିଷ ଚେଷ୍ଟା କରି ଆସୁଛୁ ଯାହା ଆମକୁ ସାହାଯ୍ୟ କରିଛି । ଆଶା କରୁଛୁ ସବୁ ଭଲ ହେବ । ''

​​​​​​​