ବାଉଁଶୁଣୀ,୦୩/୦୮; ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାଘ ନଦୀ ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା । ଏକ କାର୍ ଏବଂ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ମନମୁଣ୍ଡା ଥାନା ସାହୁପଡା ଗ୍ରାମର ବିକାଶ ଦେହୁରୀ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଏକ କାର୍ ବୌଦ୍ଧ ଦିଗରୁ ସୋନପୁର ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଅର୍ଥାତ୍ ସୋନପୁର ପଟୁ ବାଇକ୍‌ ଆସୁଥିଲା । ଉଭୟ ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‌ ଆରୋହୀ ଛିଟିକି ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବାଉଁଶୁଣୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳବାହିନୀ ପହଞ୍ଚି ଗୁରୁତର ଯୁବକଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ବାଇକ୍ ଆରୋହୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।