୬୦୦ କର୍ମଚାରୀଙ୍କୁ ବିଦା କଲା ଏହି କମ୍ପାନୀ: କହିଲା, ‘ପ୍ରତି ବର୍ଷ ହେବ ଏମିତି’

ନୂଆଦିଲ୍ଲୀ ୧୯/୫: ସେକେଣ୍ଡ ହ୍ୟାଣ୍ଡ କାର ବିକୁଥିବା ଇ-କମର୍ସ କାର୍ସ ୨୪ (Cars24) ୬୦୦ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ କହିଛି । କମ୍ପାନୀ ଅନ୍ତର୍ଜାତୀୟ ସ୍ତରରେ ନିଜର ବିସ୍ତାର କରିବା ପାଇଁ ଯୋଜନା କରୁଛି । ତେବେ ଏହା ମଧ୍ୟରେ କମ୍ପାନୀର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । କହିରଖୁଛୁ କାର୍ସ ୨୪ରେ ପ୍ରାୟ ୯ ହଜାର କର୍ମଚାରୀ କାମ କରନ୍ତି ଏବଂ କମ୍ପାନୀକୁ Softbank ଏବଂ Alpha Wave Innovation ଭଳି ନିବେଶକ ସମର୍ଥନ କରନ୍ତି ।
କମ୍ପାନୀ ତରଫରୁ ଏହି ଛଟେଇକୁ ପ୍ରତ୍ୟାଖାନ କରାଯାଇଛି । କମ୍ପାନୀର ମୁଖପାତ୍ରଙ୍କ ତରଫରୁ କୁହାଯାଇଛି କି ଏହା ଏକ ସାଧାରଣ ପ୍ରକ୍ରିୟା ଏବଂ କମ୍ପାନୀର ଭଲ ପ୍ରଦର୍ଶନ ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକ୍ରିୟାକୁ ପ୍ରତି ବର୍ଷ ଫଲୋ କରାଯିବ । ମିଡିଆ ରିପୋର୍ଟ୍ସ ଅନୁସାରେ ଛଟେଇ ହୋଇଥିବା ସମସ୍ତ କର୍ମଚାରୀ ଭାରତର ଏବଂ ସମସ୍ତେ ଜୁନିୟର ପୋଷ୍ଟରେ କାମ କରୁଥିଲେ ।
କମ୍ପାନୀର ଭାଲ୍ୟୁ ୩.୩ ଅରବ ଡଲାର
୨୦୧୫ରେ ସ୍ଥାପିତ କାର୍ସ ୨୪ ଟେକନିକ୍ ମାଧ୍ୟମରେ ଗ୍ରାହକଙ୍କୁ କାର୍ କିଣିବା, ବିକିବା ଏବଂ ଫାଇନାନ୍ସ କରାଇବାରେ ସାହାଯ୍ୟ କରେ । କାର୍ସ ୨୪ ଡିସେମ୍ବରରେ ଇକ୍ୱିଟି ମାଧ୍ୟମରେ ୩୦ କୋଟି ଡଲାର ଏବଂ ଅତିରିକ୍ତ ୧୦ କୋଟି ଡଲାରର ଫଣ୍ଡ ଏକତ୍ରିତ କରିଥିଲା । ସେହି ସମୟରେ କମ୍ପାନୀର ଭାଲ୍ୟୁ ୩.୩ ଅରବ ଡଲାର ଆକଳନ ହୋଇଥିଲା । ଏହି ଫଣ୍ଡରେ କମ୍ପାନୀ ଅନ୍ୟ ଦେଶରେ ନିଜ କାରବାର ବିସ୍ତାର କରାଇବା ନେଇ କହିଥିଲା । କାର୍ସ ୨୪ର ସଂସ୍ଥାପକ ବିକ୍ରମ ଚୋପ୍ରା କହିଥିଲେ କି କମ୍ପାନୀର ଭବିଷ୍ୟତ ପ୍ଲାନ୍ ବହୁତ ଆକ୍ରାମକ ରହିଛି । ଏଥିରେ ଗ୍ରାହକଙ୍କୁ ନୂଆ ଅନୁଭବ ମିଳିବ ।