PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବ୍ୟାଙ୍କରେ ନଗଦ ସଂକଟ: ବଢ଼ିବ ଏଫ୍‌ଡି, ଆରଡି ସୁଧ ହାର !

ନୂଆଦିଲ୍ଲୀ,୨୭/୦୯: ଇତିମଧ୍ୟରେ ବ୍ୟାଙ୍କଗୁଡ଼ିକରେ ଦେଖାଦେଇଛି ନଗଦ ସଂକଟ । ୨୦୧୯ ମେ’ ପରେ ପ୍ରଥମ ଥର ପାଇଁ ବ୍ୟାଙ୍କଗୁଡ଼ିକରେ ଏହି ସଂକଟ ଦେଖାଦେଇଛି । ୨୦୨୧ ନଭେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକ ନିକଟରେ ୮ ଲକ୍ଷ କୋଟି ଟଙ୍କାର ବଳକା ନଗଦ ଥିଲା । କିନ୍ତୁ ୨୦୨୨ ସେପ୍ଟେମ୍ବର ୨୦ରେ ବ୍ୟାଙ୍କଗୁଡ଼ିକ ଏହାର ବିପରୀତ ପରିସ୍ଥିତିରେ ପହଞ୍ଚିଯାଇଛନ୍ତି । ରିପୋର୍ଟ ଅନୁସାରେ ବ୍ୟାଙ୍କଗୁଡ଼ିକ ନିକଟରେ ୨୧,୮୭୩ କୋଟି ଟଙ୍କାର ନଗଦ ଅଭାବ ଦେଖାଦେଇଛି । ଋଣ ଚାହିଦା ବୃଦ୍ଧି, କର୍ପୋରେଟଗୁଡ଼ିକ ଦ୍ୱାରା ଅଗ୍ରିମ ଟିକସ ପେମେଣ୍ଟ ଏବଂ ବ୍ୟାଙ୍କଗୁଡ଼ିକ ଦ୍ୱାରା ଜମା ହାର ବୃଦ୍ଧି ନ ହେବା କାରଣରୁ ନଗଦ ସଂକଟ ସ୍ଥିତି ଉପୁଯିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ନଗଦ ଅଭାବ ଯୋଗୁ ସରକାରଙ୍କ ବଣ୍ଡ ୟିଲ୍‌ଡରେ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୨ ଅଗଷ୍ଟ ୨୦ରେ ୧୦ ବର୍ଷିଆ ସରକାରୀ ବଣ୍ଡ ଉପରେ ୭.୧୮% ସୁଧ ହାର ମିଳୁଥିଲା । ସେପ୍ଟେମ୍ବରରେ ଏହା ବଢ଼ି ୭.୨୩% ହୋଇଛି । ଏହାର ଅର୍ଥ ଜମାକାରୀଙ୍କୁ ଟାଣିବା ପାଇଁ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ଜମା ହାରଗୁଡ଼ିକରେ ବୃଦ୍ଧି କରିପାରନ୍ତି । ଆର୍‌ବିଆଇ ଦ୍ୱାରା ରେପୋରେଟ୍‌ ବୃଦ୍ଧି ପରେ ବ୍ୟାଙ୍କଗୁଡ଼ିକ ଜମା ଉପରେ ସୁଧ ହାର ବଢ଼ାଇଛନ୍ତି । କିନ୍ତୁ ଯେଉଁ ହାରରେ ଋଣ ମହଙ୍ଗା ହୋଇଛି ଉକ୍ତ ଅନୁପାତରେ ଜମା ହାର ବଢ଼ିନାହିଁ । ଏବେ ବ୍ୟାଙ୍କ ସ୍ଥାୟୀ ଜମା(ଏଫ୍‌ଡି) ଏବଂ ରେକରିଂ ଜମା(ଆର୍‌ଡି) ଉପରେ ସୁଧ ହାର ବଢ଼ାଇ ଜମାକାରୀଙ୍କୁ ଟାଣିବା ପାଇଁ ଉଦ୍ୟମ କରିବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏହା ମାଧ୍ୟମରେ ବ୍ୟାଙ୍କଗୁଡ଼ିକୁ ନଗଦ ଆସିବ ବୋଲି ଏମାନେ ପ୍ରକାଶ କରିଛନ୍ତି ।

୨୦୨୨ ସେପ୍ଟେମ୍ବର ୩୦ରେ ଅର୍ଥ ମନ୍ତ୍ରାଳୟ ପିପିଏଫ୍‌, ସୁକନ୍ୟା ସମୃଦ୍ଧି ଯୋଜନା, କିଶାନ ବିକାଶ ପତ୍ର ଏବଂ ଏନ୍‌ଏସ୍‌ସି ଭଳି ସଞ୍ଚୟ ଯୋଜନାଗୁଡ଼ିକ ଉପରେ ସୁଧ ହାର ବୃଦ୍ଧି ଘୋଷଣା କରିପାରେ । ସୂଚନାଯୋଗ୍ୟ, ଗତ ଦୁଇ ବର୍ଷରୁ ଊଦ୍ଧ୍ୱର୍ ସମୟ ହେବ ଏହି ସ୍କିମ୍‌ଗୁଡ଼ିକରେ ମିଳୁଥିବା ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେବେ ଏ ସମୟରେ ବ୍ୟାଙ୍କଗୁଡ଼ିକ ଏଫ୍‌ଡି ହାର ବଢ଼ାଇଛନ୍ତି । ଏହି ସ୍କିମଗୁଡ଼ିକରେ ନିବେଶକୁ ବଢ଼ାଇବା ପାଇଁ ସରକାର ସୁଧ ହାର ବୃଦ୍ଧି କରିପାରନ୍ତି । ଫଳରେ ଅଧିକରୁ ଅଧିକ ଲୋକ ଏଥିରେ ନିବେଶ କରିବେ ଏବଂ ବ୍ୟାଙ୍କଗୁଡ଼ିକୁ ନଗଦ ଆସିବ ।

ବ୍ୟାଙ୍କ କ୍ଷୁଦ୍ର ଅବଧିର ଆବଶ୍ୟକତାକୁ ପୂରଣ କରିବା ପାଇଁ ଯେଉଁ ନଗଦ ନିଜ ପାଖରେ ରଖନ୍ତି ତାହାକୁ ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ନଗଦର ସଂଜ୍ଞା ଦିଆଯାଇଥାଏ । ଯଦି ବ୍ୟାଙ୍କ ଲିକ୍ୱିଡିଟି ଆଡ୍‌ଜଷ୍ଟମେଣ୍ଟ ଫ୍ୟାସିଲିଟି ଅଧୀନରେ ଆର୍‌ବିଆଇଠାରୁ ନଗଦ ନିଅନ୍ତି, ଏହାର ଅର୍ଥ ହେଉଛି ବ୍ୟାଙ୍କଗୁଡ଼ିକରେ ନଗଦ ଅଭାବ ରହିଛି । ଯଦି ବ୍ୟାଙ୍କ ଆର୍‌ବିଆଇକୁ ପାଣ୍ଠି ପ୍ରଦାନ କରନ୍ତି ତା’ହେଲେ ବ୍ୟାଙ୍କଗୁଡ଼ିକରେ ବଳକା ନଗଦ ରହିଥିବା ବୁଝାଯାଏ ।