ଚମ୍ପୁଆ,୯/୧୧ : କେନ୍ଦୁଝର -ମୟୁରଭଞ୍ଜ ସୀମା ବୈତରଣୀ ନଦୀକୂଳରେ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କୁ ଡକାୟତି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ମୟୁରଭଞ୍ଜ ଜିଲ୍ଲା ଘାଗରବେଡ଼ା ଥାନା ଅନ୍ତର୍ଗତ କେନ୍ଦୁଆ ବୈତରଣୀ ନଦୀକୂଳରେ ଘଟିଛି । ମୃତକ ହେଲେ ଘାଗରବେଡା ଥାନା ଅନ୍ତର୍ଗତ ବାଉଁଶପୁରର ହାରାନନ୍ଦ ମହାନ୍ତ(୫୦) । ସେ ଦୀର୍ଘଦିନ ହେବ ଚମ୍ପୁଆ ବ୍ଲକ ଷଡଙ୍ଗୀ ଖୁଣ୍ଟାପଡ଼ାରେ ରହି ଆସୁଥିଲେ ।

ସୂଚନା ଅନୁସାରେ, ହାରାନନ୍ଦ ଆଜି ଦୁଇ ଜଣ ସାଥୀଙ୍କ ସହ ମୟୁରଭଞ୍ଜ ଅଙ୍ଗାରପଦା ହାଟକୁ ବଳଦ କିଣିବା ପାଇଁ ଯାଇ ବାଇକରେ ଫେରୁଥିଲେ । ଏହି ସମୟରେ ବାଇକରେ ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ । କେନ୍ଦୁଆ ବୈତରଣୀ ନଦୀକୂଳରେ ନିର୍ମାଣାଧୀନ ପୋଲ ଉପରେ ବାଇକକୁ ଠେଲି ଉଠାଇବାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରି ହାରାଧନଙ୍କ ନିକଟରେ ଥିବା ୫୦ହଜାର ଟଙ୍କା ଲୁଟି ନେବା ସହ ତାଙ୍କୁ ଛାତିରେ ଗୁଳି କରି ହତ୍ୟା କରିଛନ୍ତି I ଭୂଜାଲି ଆକ୍ରମଣରେ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।  ଖବରପାଇ ଘାଗର ବେଡ଼ା ଓଆଇସି ବଳରାମ ମହାରଣା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି କରଞ୍ଜିଆ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି I