ନୂଆଦିଲ୍ଲୀ,୧୭/୦୫; ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ପୁନେରୁ ଦ୍ୱିତୀୟ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି । ସେ ହେଉଛନ୍ତି ବଟାନି ପ୍ରଫେସର ମନୀଷା ଗୁରୁନାଥ ମନ୍ଧାରେ । ଦିଲ୍ଲୀରେ ତାଙ୍କୁ ସିବିଆଇ ମୁଖ୍ୟାଳୟରେ ଅନେକ ଘଣ୍ଟା ଧରି ଜେରା କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି । ନିଟ୍ ପରୀକ୍ଷାର ସଫଳ ଆୟୋଜନ ଲାଗି ଯେଉଁ ଏକ୍ସପର୍ଟ କମିଟି ଗଢ଼ାଯାଇଥିଲା, ମନ୍ଧାରେ ସେଥିରେ ସଦସ୍ୟା ରହିଥିଲେ ।
ଅଧିକାରୀଙ୍କ ଅନୁସାରେ, ମନ୍ଧାରେଙ୍କ ପାଖରେ ବଟାନି ଓ ଜୁଲୋଜିର ପ୍ରଶ୍ନଗୁଡ଼ିକ ନେଇ ସୂଚନା ଥିଲା । ତାହାର ଫାଇଦା ଉଠାଇ ସେ ପରୀକ୍ଷା ପୂର୍ବରୁ ନିଜ ପୁନେସ୍ଥିତ ବାସଭବନରେ ସ୍ୱତନ୍ତ୍ର କୋଚିଂ କ୍ଲାସ ଚଳାଇଥିଲେ । ସେଠାରେ ନିଟ୍ ଆଶାୟୀଙ୍କୁ ଉଭୟ ବିଷୟର ପ୍ରଶ୍ନଗୁଡ଼ିକ ବାବଦରେ କହିଥିଲେ । ନୋଟବୁକରେ ଲେଖାଇବା ସହ ବହିରେ ବି ଚିହ୍ନିତ କରିଥିଲେ । ଚଳିତବର୍ଷ ଏପ୍ରିଲରେ ମନ୍ଧାରେ ପୁନେରେ ରହୁଥିବା ମନୀଷା ୱାଘମାରେଙ୍କ ଜରିଆରେ ନିଟ୍ ଆଶାୟୀ ଯୋଗାଡ଼ କରିଥିଲେ । ଲିକ୍ ପ୍ରଶ୍ନପତ୍ର ଶେୟାର କରିବା ବଦଳରେ ଲକ୍ଷ ଲକ୍ଷ ଟଙ୍କା ହାସଲ କରିଥିଲେ । ମନୀଷା ୱାଘମାରେଙ୍କୁ ସିବିଆଇ ଗତ ୧୪ ତାରିଖରେ ଗିରଫ କରିଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାର ପ୍ରଥମ ମାଷ୍ଟରମାଇଣ୍ଡ ପି ଭି କୁଲକର୍ଣ୍ଣୀଙ୍କୁ ଜେରା ବେଳେ ମିଳିଥିବା ତଥ୍ୟ ଆଧାରରେ ହିଁ ମନ୍ଧାରେଙ୍କ ପାଖରେ ପହଞ୍ଚିଥିଲା ସିବିଆଇ । ମାମଲାରେ ଅଦ୍ୟାବଧି ୯ ଜଣଙ୍କୁ ଗିରଫ କରାଗଲାଣି ।
ସିବିଆଇ କହିଛି, ମନୀଷା ମନ୍ଧାରେଙ୍କ କୋଚିଂ କ୍ଲାସରେ କୁହାଯାଇଥିବା ଅଧିକାଂଶ ପ୍ରଶ୍ନ ପ୍ରକୃତ ନିଟ୍ ପ୍ରଶ୍ନଗୁଡ଼ିକ ସହ ସମ୍ପୂର୍ଣ୍ଣ ମେଳ ଖାଇଥିଲା । ତେବେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ ହୋଇଥିଲା । ସିବିଆଇ ଶୁକ୍ରବାର ଲାତୁରରୁ କେମିଷ୍ଟ୍ରି ଏକ୍ସପର୍ଟ ପ୍ରଫେସର ପି ଭି କୁଲକର୍ଣ୍ଣୀଙ୍କୁ ଗିରଫ କରିଥିଲା । କୁଲକର୍ଣ୍ଣୀ ଅନେକ ବର୍ଷ ପର୍ଯ୍ୟନ୍ତ ନିଟ୍ ପ୍ରଶ୍ନପତ୍ର ସ୍ଥିର କରୁଥିବା ପ୍ୟାନେଲ୍ରେ ସାମିଲ ଥିଲେ । ସେ ଏପ୍ରିଲ ଶେଷ ସପ୍ତାହରେ ନିଜ ଘରେ ସ୍ୱତନ୍ତ୍ର କ୍ଲାସ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ, ବିକଳ୍ପ ଏବଂ ଉତ୍ତର ସବୁ ବତାଇଥିଲେ ।
ଏହା ବି ପଢନ୍ତୁ...NEET Paper Leak: ୨୦୨୫ ରେ ପାଠରେ ଦୁର୍ବଳ ପୁଅକୁ ପ୍ରଶ୍ନ ପତ୍ର ଦେଇ ପାସ୍ କରାଇଥିଲେ ଅଭିଯୁକ୍ତ ମାଙ୍ଗିଲାଲ୍
ଏନ୍ଟିଏ ରଦ୍ଦ ଦାବିରେ ପିଟିସନ- ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଯୋଗୁ ଶିକ୍ଷା ବ୍ୟବସ୍ଥା ତାର ବିଶ୍ୱସନୀୟତା ହରାଉଛି ବୋଲି ଅଭିଯୋଗ କରି ମିଳିତ ଡାକ୍ତର ସାମ୍ମୁଖ୍ୟ (ୟୁଏଡିଏଫ୍) ସୁପ୍ରିମକୋର୍ଟରେ ଏକ ପିଟିସନ ଫାଇଲ କରିଛି । ସେଥିରେ ବର୍ତ୍ତମାନ ପରୀକ୍ଷା ପରିଚାଳନା କରୁଥିବା ଏନ୍ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)କୁ ରଦ୍ଦ କରିବା ସହ ସଂସଦରେ ଆଇନ ଆଣି ଏକ ନୂଆ ପରୀକ୍ଷା ପ୍ରାଧିକରଣ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଦାବି କରାଯାଇଛି । ଏନଟିଏର ବର୍ତ୍ତମାନର ରୂପରେଖକୁ ସମ୍ପୂର୍ଣ୍ଣ ଭାବେ ବଦଳାଯିବା ଆବଶ୍ୟକ । ସେଥିପାଇଁ ଏହାକୁ ଭାଙ୍ଗି ଦିଆଯାଉ ନଚେତ ଏହାର ପୁନର୍ଗଠନ କରାଯାଉ । ନହେଲ ସଂସଦରେ ଆଇନ ଆଣି ପରୀକ୍ଷା ପରିଚାଳନା କରିବା ଲାଗି ଏକ ନୂଆ ସାମ୍ବିଧାନିକ ପ୍ରାଧିକରଣ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ବର୍ତ୍ତମାନ ଏନ୍ଟିଏ ୧୮୬୦ ସୋସାଇଟି ପଞ୍ଜିକରଣ ଆଇନ ଅନୁସାରେ କାର୍ଯ୍ୟ କରୁଛି । ଏନଜିଓ ଭଳି ମାନଦଣ୍ଡରେ ଚାଲୁଥିବା ଏଭଳି ସଂସ୍ଥାରେ ପରିବର୍ତ୍ତନ ଅଣାଯିବା ଉଚିତ । ଏଥିସହ ଜାତୀୟ ସ୍ତରୀୟ ପରୀକ୍ଷାର ତଦାରଖ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ କମିଟି ମାଧ୍ୟମରେ କରିବାକୁ ପିଟିସନରେ ଦାବି କରାଯାଇଛି ।