ଭୁବନେଶ୍ୱର, ୧୪/୧୨: ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ୍ ରୁଫ୍‌ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଗିରଫ ହେବା ପରେ ଦିନକୁ ଦିନ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି ।  ଏହି ଲାଞ୍ଚ ମାମଲାରେ ଜଣେ ବିବାଦୀୟ ବରିଷ୍ଠ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ୍ କରିଛି। ତେବେ ୧୧ ତାରିଖ ହାଜର ହେବାକୁ ନୋଟିସ୍ ହୋଇଥିଲା। ଶ୍ରୀ ସେଠୀ ହାଜର ହୋଇଛନ୍ତି ନାହିଁ ଜଣାପଡି ନାହିଁ। ଶୁକ୍ରବାର  ଆଇଏଏସ୍‌ ଅଫିସରଙ୍କ  ଡ୍ରାଇଭରଙ୍କୁ ଜେରା କରିଥିଲା ସିବିଆଇ । ୭ ଘଣ୍ଟାରୁ ଅଧିକ ସମୟ ଜେରାରେ ସିବିଆଇ କିଛି ତଥ୍ୟ ପାଇଥିବା ଜଣାପଡିଛି । ତେବେ  ପୁଣି ତାଙ୍କୁ ଜେରା କରାଯିବ ବୋଲି ଜଣାପଡିଛି।  

ଚଞ୍ଚଲଙ୍କ ସହ ମିଡିଲ୍‌ ମ୍ୟାନ୍‌ ତଥା  ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ’  ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ  ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । ପ୍ରଥମେ ୩ ଦିନ ଜେରା କରିଥିଲା । ଏହି ସମୟରେ  ଜଣାପଡିଥିଲା ଏକାଧିକ ବିଭାଗ ନିଜ ପାଖରେ  ରଖିଥିବା ଜଣେ ଆଇଏଏସ୍‌ ଅଫିସରଙ୍କ ସହଯୋଗୀ ହେଉଛନ୍ତି ସନ୍ତୋଷ ଓ ଦେବଦତ୍ତ । ଆଇଏଏସ୍‌  ଅଫିସର ଜଣଙ୍କ ସନ୍ତୋଷଙ୍କ ପାଖରେ କୋଟି କୋଟି  ଅର୍ଥ ନିବେଶ କରିଛନ୍ତି । ଆଇଏଏସ୍‌ ଅଫିସର  ଜଣଙ୍କ ନିଜ ପକ୍ଷରୁ ଅର୍ଥ କାରବାର କରିନାହାନ୍ତି ।  ସେଥିପାଇଁ ସେ ସବୁବେଳେ ନିଜ ଡ୍ରାଇଭରମାନଙ୍କୁ  ବ୍ୟବହାର କରିଛନ୍ତି । ୧୦ ବର୍ଷ ହେବ ତାଙ୍କ ପାଖରେ  କାମ କରୁଥିବା ଡ୍ରାଇଭରମାନଙ୍କ ଆକାଉଣ୍ଟରେ  ଏ ସବୁ କାରବାର କରୁଥିଲେ । ଏହା ଜଣାପଡ଼ିବା  ପରେ ଚଞ୍ଚଳ, ସନ୍ତୋଷ ଓ ଦେବଦତ୍ତଙ୍କୁ ସିବିଆଇ  ପୁଣି ୫ ଦିନ ରିମାଣ୍ଡରେ ନେଇ ଜେରା କରୁଛି।  ଏହି ସମୟରେ ସିବିଆଇ ଉକ୍ତ ଆଇଏଏସ୍‌ ଅଫିସରଙ୍କ ପାଖରେ ବିଗତ ବର୍ଷ ଗୁଡିକରେ  କାମ କରୁଥିବା ଏକାଧିକ ଡ୍ରାଇଭରଙ୍କୁ ଜେରା  କରିବାକୁ ସମନ କରିଥିଲା । ପ୍ରଥମ ପର୍ଯ୍ୟୟରେ  ଆଇଏଏସ୍‌ଙ୍କ ବର୍ତ୍ତମାନ ଡ୍ରାଇଭରଙ୍କୁ ଶୁକ୍ରବାର ସିବିଆଇ ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଛି ।  ଅନ୍ୟ ଡ୍ରାଇଭରମାନେ ଖୁବ୍‌ଶୀଘ୍ର ଜେରା ହେବେ  ବୋଲି ଜଣାପଡିଛି । ଆଇଏଏସ୍‌ ଅଫିସରଙ୍କ  ଡ୍ରାଇଭରମାନଙ୍କ ସହ ଗିରଫ ହୋଇଥିବା ୩  ଅଭିଯୁକ୍ତଙ୍କ ଲିଙ୍କ୍‌ ଥିବା ସିବିଆଇ ଜାଣିବାକୁ ପାଇଛି । ଶନିବାର ବରିଷ୍ଠ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି । 

ସୂଚନା ମୁତାବକ, ନାଲ୍‌କୋ ପକ୍ଷରୁ କୋରାପୁଟ  ଦାମନଯୋଡ଼ି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ  ୨ଟି ବଡ଼ କାମ ଚାଲିଛି । ଉକ୍ତ କାମ ବ୍ରିଜ ଆଣ୍ଡ  ରୁଫ୍‌ ଗ୍ରୁପ ଦ୍ୱାରା କରାଯାଉଛି । ଟେଣ୍ଟର ପାଇ କାମ  କରୁଥିଲା ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥା । କିଛି ଦିନ କାମ କରିବା ପରେ  ସଂସ୍ଥାର କିଛି ବେଆଇନ କାର୍ଯ୍ୟ ଜଣାପଡ଼ିଥିଲା ।  ତେବେ ଏନେଇ ବ୍ରିଜ ଆଣ୍ଡ ରୁଫ୍‌ ଗ୍ରୁପ ଜେନେରାଲ  ମ୍ୟାନେଜର ଚଞ୍ଚଲ ଖୋଳତାଡ ଆରମ୍ଭ କରିଥିଲା ।  ଏହା ଜାଣିବା ପରେ ସନ୍ତୋଷ ଓ ତାଙ୍କ ବାପା  ମନମୋହନ ମୋଟା ଅଙ୍କର ଟଙ୍କା ଦେଇ ଚଞ୍ଚଲ  ମୁଖାର୍ଜୀଙ୍କ ମୁହଁ ବନ୍ଦ କରିବାକୁ ଯୋଜନା କରିଥିଲେ ।  ମିଡିଲ୍‌ମ୍ୟାନ୍‌ ଦେବଦତ୍ତଙ୍କ ସହଯୋଗରେ ଚଞ୍ଚଲଙ୍କୁ  ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିଲେ । ୭ ତାରିଖ  ଦିନ ମେ ଫେୟାର ହୋଟେଲ୍‌ରେ ଚଞ୍ଚଲ ଲାଞ୍ଚ  ନେଉଥିବା ସମୟରେ ଗିରଫ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ଏହି ଲାଞ୍ଚ କାରବାରରେ  ଅନ୍ୟ କେତେକ ବରିଷ୍ଠ ଅଧିକାରୀ  ସଂପୃକ୍ତ ଥିବା ସିବିଆଇକୁ ସୁରାକ ମିଳିଛି ।