ଭୁବନେଶ୍ୱର,୨୦/୧୨:  ପୁଲିସ ଏସ୍‌ଆଇ ନିଯୁକ୍ତି ଜାଲିଆତି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ  ୩ଜଣ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।  ସେମାନଙ୍କୁ ଜେରା କରି ଜାଲିଆତିରେ ଗାଏବ ହୋଇଥିବା ପ୍ରମାଣପତ୍ର ବାବଦରେ ତଥ୍ୟ ଖୋଜୁଛି । ଶଙ୍କର ସହ ସିଲିକନ ଟେକଲ୍ୟାବର  ନିର୍ଦ୍ଦେଶକ ସୁରେଶ ନାୟକ ଓ ସାଗର ଗୌଡ଼ଙ୍କୁ ଜାମିନ୍‌ରେ ନେବାକୁ ଗୁରୁବାର ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଥିଲେ ।  ସିବିଆଇ ଟିମ୍‌ ଶୁକ୍ରବାର ପୂର୍ବାହ୍ଣରେ ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନିଜ ହେପାଜତକୁ ନେଇଛି । ସେମାନଙ୍କୁ ସାମ୍ନାସାମ୍ନି ଜେରା ଚାଲିଛି । ଶଙ୍କର ଓ ସୁରେଶ ଉଭୟେ କେବେଠୁ ପରସ୍ପରକୁ ଚିହ୍ନିଲେ? ସମୁଦାୟ କେତେଜଣ ଆଶାୟୀଙ୍କୁ ଚାକିରି କରାଇଦେବା ପାଇଁ  କେତେ ଟଙ୍କାର ଡିଲ୍‌ ହୋଇଥିଲା ?  ରିମାଣ୍ଡ ବେଳେ ଏସବୁର ତଥ୍ୟ ହାସଲ କରିବା ସିବିଆଇର ମୁଖ୍ୟ ଲକ୍ଷ୍ୟ ।  

ଭୁବନେଶ୍ୱର ରଘୁନାଥପୁରରେ ଶ୍ରୀଲିଙ୍ଗରାଜ ଇନଫୋସେଲର ପରୀକ୍ଷା ଲ୍ୟାବ ନାମରେ ଶଙ୍କର ଏକ ନିଯୁକ୍ତି  କେନ୍ଦ୍ର ଖୋଲିଥିଲା । ଗତ ଅକ୍ଟୋବର ୫ ତାରିଖରେ ପୁଲିସ ଉକ୍ତ ନିଯୁକ୍ତି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରମାଣପତ୍ର ଗାଏବ ହୋଇ ଯାଇଥିଲା । ଉକ୍ତ ଅଫିସରୁ ପୁଲିସକୁ ଗୋଟିଏ ବି କମ୍ପ୍ୟୁଟର କି ପରୀକ୍ଷା  ଉପକରଣ ମିଳିନଥିଲା । ଅଫିସରୁ ସିସି କ୍ୟାମେରା ଓ ଏସି ୟୁନିଟ୍‌କୁ କେହି କାଢ଼ି ନେଇଥିଲେ । ଗାଏବ୍‌ ହୋଇଥିବା ପ୍ରମାଣପତ୍ର ମିଳିଲେ, ଜାଲିଆତି ତଦନ୍ତରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ  ତଥ୍ୟ ମିଳିପାରିବ । ସେହି ଉଦ୍ଦେଶ୍ୟରେ ଶଙ୍କରକୁ ମାରାଥନ୍‌ ଜେରା ଚାଲିଛି ।  

ଡିଜିଟାଲ ପ୍ରମାଣ ସଂଗ୍ରହ ବେଳେ ଝୁଣ୍ଟିଥିବା ସିବିଆଇ ଅଦାଲତ ଅନୁମତି କ୍ରମେ ଜବତ ହୋଇଥିବା ୧୩୩ଟି ମୋବାଇଲ୍‌କୁ ନିଜସ୍ୱ ଫରେନ୍ସିକ ଟିମ୍‌କୁ ପଠାଇଛି । ସପ୍ତାହେ ଭିତରେ ଏସବୁ ମୋବାଇଲ୍‌ରୁ ଡିଲିଟ୍‌ ହୋଇଥିବା ହ୍ୱାଟସ୍‌ଆପ୍‌ ଚାର୍ଟକୁ ରିକଭର୍‌ କରାଯିବ । ସେଥିରୁ ତଦନ୍ତ ପାଇଁ ଅନେକ ତଥ୍ୟ ମିଳିପାରେ ବୋଲି ସିବିଆଇ ଆଶା ରଖିଛି।

​​​​​​​