ପିପିଲି ମାମଲା: ହାଇକୋର୍ଟରେ କ୍ରାଇମ୍ ବ୍ରାଞ୍ଚ

କଟକ,୧୭ା୧(ବ୍ୟୁରୋ): ବହୁଚର୍ଚ୍ଚିତ ପିପିଲି ଗଣବଳା+ାର ଓ ହତ୍ୟା ମାମଲାରେ ନିମ୍ନ ଅଦାଲତ ଦେଇଥିବା ରାୟ ବିରୋଧରେ କ୍ରାଇମ୍ବ୍ରାଞ୍ଚ୍ ହାଇକୋର୍ଟକୁ ଆସିଛି । ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗତ ଡିସେମ୍ବର ୨୪ ତାରିଖରେ ମାମଲାର ରାୟ ପ୍ରକାଶ କରି ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓରଫ ପଶିଆ ଏବଂ ତା’ ଭାଇ ସୁକାନ୍ତ ପ୍ରଧାନକୁ ଆବଶ୍ୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଦାଲତଙ୍କ ଏହି ରାୟ ନେଇ ରାଜ୍ୟ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ସାଧାରଣରେ ଅନାସ୍ଥା ଓ ଭର୍ତ୍ସନାର ଶିକାର ହେବା ପରେ କ୍ରାଇମ୍ବ୍ରାଞ୍ଚ ନିମ୍ନ ଅଦାଲତଙ୍କ ‘ନିର୍ଦ୍ଦୋଷରେ ଖଲାସ’ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ପିଟିସନ୍ ଦାଏର କରିଛି ।
ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରିବା ଏବଂ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପୁନର୍ବାର ଦଣ୍ଡିତ କରିବା ପାଇଁ ପ୍ରାର୍ଥନା କରି କ୍ରାଇମ୍ବ୍ରାଞ୍ଚ ଏହି ମାମଲା ଦାଏର କରିଛି । ନିମ୍ନ ଅଦାଲତଙ୍କ ରାୟକୁ ନେଇ ଚର୍ଚ୍ଚା ସୃଷ୍ଟି ହେବା ଦିନରୁ କ୍ରାଇମ୍ବ୍ରାଞ୍ଚ ଏହାକୁ ଚାଲେଞ୍ଜ କରିବ ବୋଲି ଘୋଷଣା କରିଥିଲା । ସେହି ଅନୁସାରେ ଆଜି ମାମଲା ଦାଏର କରାଯିବା ସହ ଏନେଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ।
ଉଲ୍ଲେଖଯୋଗ୍ୟ, ୨୦୧୧ ନଭେମ୍ବର ୨୯ରେ ପିପିଲି ଅର୍ଜୁନଗୋଦା ଗ୍ରାମର ଦଳିତ ଯୁବତୀ ବବିନା ବେହେରାଙ୍କୁ ଅଚେତ ଅବସ୍ଥାରେ ତାଙ୍କ ଘର ନିକଟସ୍ଥ ଚାଷଜମିରୁ ଉଦ୍ଧାର କରାଯାଇଥିଲା । ବବିନା (ବେବିନା)ଙ୍କ ପରିବାର ଲୋକେ ପ୍ରଥମେ ତାଙ୍କୁ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ବବିନାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସ୍ସିବିକୁ ଅଣାଯାଇଥିଲା । ଏପଟେ ତାଙ୍କ ପରିବାର ପକ୍ଷରୁ ପିପିଲି ଥାନାରେ ବବିନାଙ୍କୁ ଗଣବଳା+ାର କରାଯାଇଥିବା ନେଇ ଏତଲା ଦିଆଯାଇଥିଲା । ତଦନ୍ତରେ ପିପିଲି ଥାନାର ଅବହେଳା ଓ ବବିନାଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବା ଖବର ଜଣାପଡ଼ିବା ପରେ ରାଜ୍ୟ ବ୍ୟାପୀ ତମ୍ବିତୋଫାନ ସୃଷ୍ଟି ହୋଇଥିଲା । ଏନେଇ ମାନବାଧିକାର କମିସନ୍ ଓ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ମାନବାଧିକାର କମିସନ୍ଙ୍କ ହସ୍ତକ୍ଷେପ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବବିନାଙ୍କୁ କଟକ ବଡ଼ ଡାକ୍ତରଖାନାରେ ପୁଣି ଥରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଅଦାଲତ ମଧ୍ୟ ଚିକିତ୍ସା ସେବା ବିଷୟରେ ଅନୁଧ୍ୟାନ କରିଥିଲେ ।
ଅନ୍ୟପକ୍ଷରେ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ସରକାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମ୍ବ୍ରାଞ୍ଚ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନକୁ ଜଟଣୀ ଅଞ୍ଚଳରୁ ଗିରଫ କରିଥିଲା । ପରେ ପ୍ରଶାନ୍ତର ଭାଇ ସୁକାନ୍ତ ସମେତ ପୂର୍ଣ୍ଣ ସ୍ୱାଇଁ, ପ୍ରେମାନନ୍ଦ ନାୟକକୁ ଗିରଫ କରାଯାଇଥିଲା । ଏଣେ ଚିକିତ୍ସାଧୀନ ଅବସ୍ଥାରେ ବବିନାଙ୍କର କଟକ ଏସ୍ସିବିରେ ମୃତ୍ୟୁ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ଶୁଣାଣି ପୁରୀ କୋର୍ଟରୁ ସ୍ଥାନାନ୍ତର ହୋଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ଆରମ୍ଭ ହୋଇଥିଲା । ପରେ ପୂର୍ଣ୍ଣ ଏବଂ ପ୍ରେମାନନ୍ଦଙ୍କ ନାମ ଚାର୍ଜସିଟ୍ରୁ ବାଦ୍ ଦିଆଯାଇଥିଲା । କେବଳ ପ୍ରଶାନ୍ତ ଓ ତାଙ୍କ ଭାଇ ସୁକାନ୍ତ ହତ୍ୟା ଅଭିଯୁକ୍ତ ଭାବେ ବିଚାରଧୀନ ବନ୍ଦୀ ଥିଲେ । ମାମଲାରେ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣରେ ଅମେଳକୁ ଭିତ୍ତି କରି ନିମ୍ନ ଅଦାଲତ ରାୟ ପ୍ରକାଶ କରି ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।