ଏବେ ଅଦାଲତରେ ଯୁଦ୍ଧ: ମମତା ବନାମ ସିବିଆଇ

ନୂଆଦିଲ୍ଲୀ/କୋଲକାତା,୪ ।୨(ଏଜେନ୍ସି): ପଶ୍ଚିମବଙ୍ଗର ମମତା ସରକାର ବନାମ ସିବିଆଇ ବିବାଦ ଏବେ ଅଦାଲତରେ ପହଞ୍ଚିଛି । ସୋମବାର ସିବିଆଇ କୋଲକାତା ପୁଲିସ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପଦକ୍ଷେପକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ସିବିଆଇ ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।
ସିବିଆଇ ଦ୍ୱାରା ଆଜି ସୁପ୍ରିମକୋର୍ଟରେ ପ୍ରଥମେ ଦୁଇଟି ମାମଲା ଦାୟର କରାଯାଇଥିଲା । ଗୋଟିକରେ କୋଲକାତା ପୁଲିସ କମିଶନର ରାଜୀବ କୁମାର ତୁରନ୍ତ ସିବିଆଇ ନିକଟରେ ଆତ୍ମସମର୍ପଣ କରନ୍ତୁ ବୋଲି ଦାବି କରାଯାଇଥିଲାବେଳେ ଅନ୍ୟଟିରେ ତାଙ୍କ ବିରୋଧରେ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଗତକାଲିର ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ସିବିଆଇ ଅଧିକାରୀମାନଙ୍କ ବିରୋଧରେ ରାଜ୍ୟ ସରକାର ନିୟମିତ ଭାବେ ନୂଆ ନୂଆ ମାମଲା ଦାୟର କରୁଛନ୍ତି ବୋଲି ଦର୍ଶାଇଥିଲେ । ସେ ମଧ୍ୟ ଅଭିଯୋଗ କରିଥିଲେ କି କୋଲକାତା ପୁଲିସ କମିଶନର ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଧାରଣା ଦେଇ ସରକାରୀ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଶୃଙ୍ଖଳା ଭଙ୍ଗ କରିଛନ୍ତି । ତାଙ୍କୁ ହାଜର ହେବା ପାଇଁ ଚାରି ଥର ସମନ ଜାରି କରାଯାଇଥିଲେ ବି ସେ ଶୁଣି ନଥିଲେ । ରାଜୀବ କୁମାର ମଧ୍ୟ ଶାରଦା ଦୁର୍ନୀତି ସହ ଜଡ଼ିତ ଇଲେକ୍ଟ୍ରୋନିକ୍ ପ୍ରମାଣ ନଷ୍ଟ କରିଦେଇପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ ।
ସେ ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ ହେଁ ଅଦାଲତ ଏହାକୁ ଗ୍ରହଣ ନକରି ମଙ୍ଗଳବାର ସକାଳେ ଏହା ଉପରେ ବିଚାର କରିବେ ବୋଲି ପ୍ରକାଶ କରିଥିଲେ । ପ୍ରଧାନ ବିଚାରପତି ଗୋଗୋଇ, ବିଚାରପତି ଖାନ୍ନା ଏବଂ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ଆବେଦନ ଉପରେ ଶୁଣାଣି କରିବେ । ତେବେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ସିବିଆଇକୁ ରାଜୀବ କୁମାର ଏବଂ ମମତା ସରକାର ପ୍ରମାଣ ନଷ୍ଟ କରୁଛନ୍ତି ବୋଲି ପ୍ରମାଣ ଦାଖଲ କରିବାକୁ କହିଥିଲେ । ଯଦି ଏଭଳି ପ୍ରମାଣ ଥାଏ, ତାହାହେଲେ ଅଦାଲତ ରାଜୀବ କୁମାରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯଦ୍ଦ୍ୱାରା ସେ ପଶ୍ଚାତାପ କରିବେ ବୋଲି ପ୍ରଧାନ ବିଚାରପତି କହିଥିଲେ ।
ସୋମବାର ଅପରାହ୍ନରେ ସିବିଆଇ ପୁଣି ସୁପ୍ରିମକୋର୍ଟରେ ଦ୍ୱିତୀୟ ମାମଲା କରି ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ଡିଜିପି ଏବଂ କୋଲକାତା ପୁଲିସ କମିଶନରଙ୍କ ବିରୋଧରେ ଅଦାଲତ ଅବମାନନା ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛି । ସେପଟେ ସିବିଆଇର ଏଭଳି ପଦକ୍ଷେପର ଜବାବରେ କୋଲକାତା ପୁଲିସ ବି ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ କି ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ଅଦାଲତ ଅବମାନନା କରିଛି । ତେବେ ସୁପ୍ରିମକୋର୍ଟରେ ଏସମ୍ପର୍କିତ ଏକ ମାମଲା ବିଚାରାଧୀନ ଅଛି ବୋଲି କେନ୍ଦ୍ର ଦର୍ଶାଇବା ପରେ ହାଇକୋର୍ଟ ଶୁଣାଣି ସ୍ଥଗିତ ରଖିଥିଲେ ।
ସେପଟେ ଗତକାଲିର ଘଟଣାକୁ ନେଇ ଆଜି ରାଜନୀତି ବେଶ୍ ସରଗରମ ହୋଇଥିଲା । ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗରେ ଜୋରଦାର୍ ହଙ୍ଗାମା ହେବା ପରେ ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଲୋକସଭାରେ ଆଜି ବିରୋଧୀ ଦଳର ସଦସ୍ୟମାନେ ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ରାଜନୈତିକ ବିରୋଧୀମାନଙ୍କ ବିରୋଧରେ ବ୍ୟବହାର କରୁଥିବାର ଅଭିଯୋଗ ଆଣିଥିଲେ । ଏହା ଅଗଣତାନ୍ତ୍ରିକ ବୋଲି ସେମାନେ ଦର୍ଶାଇଥିଲେ । ତୃଣମୂଳ କଂଗ୍ରେସ ସାଂସଦମାନେ ପ୍ରଥମେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବାବେଳେ ପରେ ବିଜେଡି, ଏନ୍ସିପି, ସପା ଓ ଆରଜେଡି ସାଂସଦମାନେ ସେମାନଙ୍କୁ ସମର୍ଥନ କରିଥିଲେ । ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ ।
ଲୋକସଭାରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହାର ଜବାବ ରଖିଥିଲେ । ସେ କହିଥିଲେ ଯେ, ସିବିଆଇ ବହୁକୋଟି ଟଙ୍କାର ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ କରୁଛି । ଯେହେତୁ ଏହା ବିଭିନ୍ନ ରାଜ୍ୟରେ ହୋଇଥିଲା ତେଣୁ ମାମଲାକୁ ସିବିଆଇକୁ ଦିଆଯାଇଥିଲା । ସେ ସଂପର୍କରେ ଏଜେନ୍ସି କୋଲକାତା ପୁଲିସ କମିଶନରଙ୍କୁ ପଚରାଉଚରା କରିବାକୁ ଚାହୁଁଥିଲା । କିନ୍ତୁ ସିବିଆଇକୁ ତାର କାମ କରିବାକୁ ଦିଆନଯିବା ଦୁର୍ଭାଗ୍ୟଜନକ । ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ । ରବିବାର ଯାହା ଘଟିଲା ତାହା ସାମ୍ବିଧାନିକ ବ୍ୟବସ୍ଥା ପ୍ରତି କୁଠାରଘାତ ବୋଲି ସେ ଦର୍ଶାଇଥିଲେ ।
ଆଜି ଅନେକ ବିରୋଧୀ ଦଳ ମମତାଙ୍କ ସମର୍ଥନରେ ଏକଜୁଟ ହୋଇଥିଲାବେଳେ ବିଜେପି ପକ୍ଷରୁ ତାହାର କଡା ସମାଲୋଚନା କରାଯାଇଛି । ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ କି ମମତା ବାନାର୍ଜୀ ଯେମିତି କଥା କଥାକେ ଧାରଣା ଦେଉଛନ୍ତି, ଏଥିରୁ ମନେହେଉଛି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅନୁସରଣ କରୁଛନ୍ତି । ସେ ଜଣେ ପୁଲିସ ଅଧିକାରୀଙ୍କୁ ସମର୍ଥନ କରି ଧାରଣା କାହିଁକି ଦେଉଛନ୍ତି? ପୂର୍ବରୁ ତୃଣମୂଳର ଅନେକ ନେତାଙ୍କୁ ସିବିଆଇ ଗିରଫ କରିଛି । କାହିଁକି ସେତେବେଳେ ତ ସେ ଧାରଣା ଦେଉନଥିଲେ? ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜୀବ କୁମାର ବହୁତ ଗୁପ୍ତ କଥା ଜାଣିଛନ୍ତି । ସେହିପରି ରାଜୀବ କୁମାର ମମତାଙ୍କ ସହ ମିଶି ଧାରଣା ଦେବାକୁ ସମାଲୋଚନା କରି ପ୍ରସାଦ କହିଥିଲେ କି ଏପରି କରି ସେ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଶୃଙ୍ଖଳା ଭଙ୍ଗ କରିଛନ୍ତି । ବିରୋଧୀ ଦଳମାନେ ମମତାଙ୍କୁ ସମର୍ଥନ କରିବା ଉପରେ ପ୍ରସାଦ କହିଥିଲେ କି ଏହା ବିରୋଧୀ ଦଳ ନେତାଙ୍କ ମେଣ୍ଟ ନୁହେଁ ବରଂ ଦୁର୍ନୀତିଗ୍ରସ୍ତ ନେତାଙ୍କ ମେଣ୍ଟ । କାରଣ ଯେଉଁମାନେ ବି ମମତାଙ୍କୁ ସମର୍ଥନ କରିଛନ୍ତି, ସମସ୍ତଙ୍କ ନାଁରେ କିଛି ନା କିଛି ଦୁର୍ନୀତି ଅଭିଯୋଗ ରହିଛି ଏବଂ ସେସବୁର ଯାଞ୍ଚ ସିବିଆଇ କରୁଛି ।
ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ରାଜ୍ୟର ଘଟଣାକ୍ରମ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ଗୋପନୀୟ ରିପୋର୍ଟ ଦେଇଛନ୍ତି । ସେ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ସମନ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି କି କୋଲକାତାରେ ଯେଉଁ ଆଇପିଏସ ଅଧିକାରୀମାନେ ସିବିଆଇ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ, ସେମାନଙ୍କ ସମ୍ପର୍କରେ ସିଏ ରାଜ୍ୟ ଠାରୁ ରିପୋର୍ଟ ମାଗିଛି । ସେମାନେ ଏପରି କରି ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ସର୍ତ୍ତାବଳୀର ଉଲ୍ଲଂଘନ କରିଛନ୍ତି । ତେଣୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପଟରେ କୋଲକାତାରେ ମମତା ବାନାର୍ଜୀ ଗତକାଲି ରାତି ଠାରୁ ଆରମ୍ଭ କରିଥିବା ଧାରଣା ଆଜିବି ଜାରି ରଖିଛନ୍ତି । ସେ ସକାଳେ ତିନି ଘଣ୍ଟା ପାଇଁ ବିରତି ନେବା ପରେ ପୁଣି ଧାରଣାସ୍ଥଳକୁ ଆସିଥିଲେ । ସେ ଧାରଣାସ୍ଥଳରେ ମଧ୍ୟ ରାଜୀବ କୁମାରଙ୍କ ସହ କିଛି ପୁଲିସ ଅଧିକାରୀଙ୍କୁ ଆଜି ପୁରସ୍କୃତ କରିଥିଲେ । ମମତା ପରେ କହିଥିଲେ କି ସେ ମରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏହି ବିବାଦକୁ ନେଇ ସେ ମୁଣ୍ଡ ନୁଆଁଇବେ ନାହିଁ । ତେବେ ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ପିଲାଙ୍କ ପରୀକ୍ଷା ଆରମ୍ଭ ହେଉଥିବାରୁ ସେହିଦିନଠାରୁ ସେ ଧାରଣା ବନ୍ଦ କରିବେ । ମମତାଙ୍କ ସମର୍ଥନରେ ଗତକାଲି ଠାରୁ ତୃଣମୂଳ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହିତ କୋଲକାତା ସମେତ ଅନ୍ୟ କେତେକ ସ୍ଥାନରେ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି ।