ଅଗଷ୍ଟ ପୂର୍ବରୁ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ !

pic-ndtv
ନୂଆଦିଲ୍ଲୀ: ଅଗଷ୍ଟ ପୂର୍ବରୁ ପ୍ରକାଶ ପାଇପାରେ ସିବିଏସ୍ଏଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ। ସିବିଏସ୍ଇ ସଚିବ ଅନୁରାଗ ତ୍ରୀପାଠି ଏହି ସୂଚନା ଦେଇଛନ୍ତି। ଏ ନେଇ ସେ କହିଛନ୍ତି “କଲେଜ୍ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାୟ ଅଗଷ୍ଟ ମାସରୁ ଆଡ୍ମିଶନ ନିଅନ୍ତି। ତେଣୁ ଏହାକୁ ନଜରେ ରଖି ଅଗଷ୍ଟ ପୂର୍ବରୁ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା କରାଯାଉଛି।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ମାର୍କିଂ ମାନଦଣ୍ଡ ଚୂଡ଼ାନ୍ତ କରିବା ଦିଗରେ CBSEର କାମ ଜାରି ରହିଛି। ଏହି କାର୍ଯ୍ୟ ପାଇଁ ସ୍କୁଲ୍ ଓ ଛାତ୍ରଛାତ୍ରୀମାନଙ୍କ ଠାରୁ ମତାମତ ନିଆଯିବ। ଏଥିପାଇଁ କିଛି ସମୟ ଲାଗିବ। ପାଖାପାଖି ଦୁଇ ସପ୍ତାହ ଭିତରେ ମାର୍କିଂ ମାନଦଣ୍ଡ ଚୂଡ଼ାନ୍ତ ହେବ ବୋଲି ତ୍ରୀପାଠି ସୂଚନା ଦେଇଛନ୍ତି।
ଜୁନ ୧ ତାରିଖରେ ସିବିଏସ୍ଇ ପରୀକ୍ଷା ବାତିଲ୍ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରର ଏହି ନିଷ୍ପତ୍ତି ଆଧାରରେ କେତେ ରାଜ୍ୟରେ ମଧ୍ୟ ସିବିଏସ୍ଇ ପରୀକ୍ଷା ବାତିଲ କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଲା- ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ମଧ୍ୟ ପରୀକ୍ଷା ବାତିଲ କରିଛନ୍ତି।
ସୂଚନା ଥାଉକି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅବ୍ଜେକ୍ଟିଭ୍ ଆଧାରରେ ମୂଲ୍ୟାୟନ କରିବାକୁ ପୂର୍ବରୁ ଘୋଷଣା କରିଛି ସିବିଏସ୍ଇ । ଦଶମ ଶ୍ରେଣୀ ପାଇଁ ମୂଲ୍ୟାୟନ ପ୍ରଣାଳୀ ସମ୍ପୂର୍ଣ୍ଣ ସାମ୍ନାକୁ ଆସିଥିବା ବେଳେ ଏଯାଏଁ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ପ୍ରାଣାଳୀ ଆସିନାହିଁ। ବର୍ତ୍ତମାନ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଜୁନ୍ ୧୭ ତାରିଖରେ ଏହାର ଶୁଣାଣି ହେବ।