ନୂଆଦିଲ୍ଲୀ, ୨।୬ :କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ରି-ଇଭାଲ୍ୟୁଏସନ ଅର୍ଥାତ୍ ପୁନଃମୂଲ୍ୟାୟନ) ପୋର୍ଟାଲ୍‌ରେ ପୁଣି ଥରେ ବଡ଼ଧରଣର ବୈଷୟିକ ତ୍ରୁଟି ଦେଖାଦେଇଛି । ମଙ୍ଗଳବାର ସକାଳେ ବୋର୍ଡ ପକ୍ଷରୁ ପୋର୍ଟାଲ୍ ଆରମ୍ଭ କରାଯାଇଥିବା ଦାବି କରାଯାଇଥିଲେ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ଲଗ୍-ଇନ୍ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ପୋର୍ଟାଲ୍ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି ଏବଂ ପିଲାମାନେ ନିଜର ଆବେଦନ ପତ୍ର ଦାଖଲ କରିପାରୁ ନାହାନ୍ତି ।

ସକାଳୁ ଖୋଲିଲା ପୋର୍ଟାଲ୍, କିଛି ସମୟ ପରେ ସବୁ ଠପ୍:

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ୪ଟା ୪୨ ମିନିଟ୍‌ରେ ସିବିଏସଇ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ପୋର୍ଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦିଆଯାଇଥିଲା । ଏହାପରେ ପୁନଃମୂଲ୍ୟାୟନ ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ୱେବସାଇଟ୍‌କୁ ଯାଇଥିଲେ । ମାତ୍ର କିଛି ସମୟ ପରେ ସର୍ଭର ଡାଉନ୍ ହୋଇଯାଇଥିଲା । ଛାତ୍ରଛାତ୍ରୀମାନେ ନିଜର ସଠିକ୍ ରୋଲ୍ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଏବଂ କ୍ୟାପ୍‌ଚା କୋଡ୍ ଦେଇ ଲଗ୍-ଇନ୍ କରିବାକୁ ଚେଷ୍ଟା କଲାବେଳେ ସିଷ୍ଟମ୍ ବାରମ୍ବାର “ଫେଲ୍ଡ” କିମ୍ବା “ଭେରିଫିକେସନ ଫେଲ୍ଡ” ବୋଲି ଦେଖାଉଛି । ୱେବସାଇଟ୍ ଖୋଲିବାକୁ ଅଧିକ ସମୟ ନେଉଥିବା ବେଳେ ଅନେକ ସମୟରେ ଏହା ଜମାରୁ ରେସପନ୍ସ କରୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଛାତ୍ରଛାତ୍ରୀ କଷ୍ଟେମଷ୍ଟେ ଆବେଦନ ପ୍ରକ୍ରିୟା ଶେଷ କରୁଥିଲେ ମଧ୍ୟ ସିଷ୍ଟମ୍ ସେମାନଙ୍କୁ ସବ୍‌ମିଟ୍ କରିବା ପରିବର୍ତ୍ତେ ପୁଣି ଥରେ ହୋମ୍ ପେଜ୍ ବା ଲଗ୍-ଇନ୍ ପେଜ୍‌କୁ ଫେରାଇ ଆଣୁଛି । ଏଥିଯୋଗୁଁ ଆବେଦନ ସଫଳ ହେଲା କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ମୂଲ୍ୟାୟନକୁ ନେଇ ମଧ୍ୟ ଉଠିଲା ପ୍ରଶ୍ନ:

କେବଳ ବୈଷୟିକ ତ୍ରୁଟି ନୁହେଁ, ବରଂ ବୋର୍ଡର ମୂଲ୍ୟାୟନ ପ୍ରକ୍ରିୟା ଉପରେ ମଧ୍ୟ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ପିଲା ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଉତ୍ତରଖାତାରେ କିଛି ପ୍ରଶ୍ନର ଯାଞ୍ଚ ହିଁ କରାଯାଇ ନାହିଁ । ସଠିକ୍ ଉତ୍ତର ଲେଖିଥିଲେ ମଧ୍ୟ ନମ୍ବର ଦିଆଯାଇ ନାହିଁ । ଏଭଳି ସ୍ଥିତିରେ ପୋର୍ଟାଲ୍‌ରେ କେଉଁ ବିକଳ୍ପ ଚୟନ କରିବାକୁ ହେବ, ସେ ନେଇ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବାରୁ ପିଲାମାନେ ଅଧିକ ନିରାଶ ହୋଇଛନ୍ତି ।

ସିବିଏସଇକୁ ଟାର୍ଗେଟ୍ କଲେ ଦିଲ୍ଲୀର ପୂର୍ବତନ ସିଏମ୍:

ପୋର୍ଟାଲର ଏଭଳି ବିଫଳତାକୁ ନେଇ ରାଜନୀତି ମଧ୍ୟ ଗରମ ହୋଇଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଏହାକୁ ନେଇ ସିବିଏସଇ ଉପରେ ବର୍ଷିଛନ୍ତି । ସେ ‘ଏକ୍ସ’ରେ କଟାଯ କରି ଲେଖିଛନ୍ତି, "ଆଉ ଏକ ଦିନ, ଆଉ ଏକ ସଫଳତା ! ଏବେ ସିବିଏସଇ ନିଜର ରି-ଇଭାଲ୍ୟୁଏସନ ପୋର୍ଟାଲ୍ ମଧ୍ୟ ଠିକ୍‌ଭାବେ ଲଞ୍ଚ କରିପାରୁନାହିଁ । ସକାଳୁ ପିଲାମାନେ ଚେଷ୍ଟା କରୁଥିଲେ ବି ପୋର୍ଟାଲ୍ ଖୋଲୁନାହିଁ ।"

ଅଭିଭାବକଙ୍କ କ୍ରୋଧ, ବୋର୍ଡ କହିଲା 'Direct Message' କର:

ସୋସିଆଲ ମିଡିଆରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଟ୍ୱିଟ୍ କରି ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି । ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ, ଛାତ୍ରଛାତ୍ରୀଙ୍କ ଏହି ଅଭିଯୋଗ ଉପରେ ସିବିଏସଇ ଜବାବ ରଖିଛି । ବୋର୍ଡ କହିଛି ଯେ, ଯେଉଁମାନଙ୍କର ଲଗ୍-ଇନ୍ ସମସ୍ୟା ହେଉଛି ସେମାନେ ବୋର୍ଡର ଅଫିସିଆଲ୍ ଆକାଉଣ୍ଟକୁ ସିଧାସଳଖ ଡିଏମ୍ କରି ନିଜର ସମସ୍ୟା ଜଣାଇପାରିବେ ଏବଂ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ତେବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି ଯେ, ବୋର୍ଡ କୌଣସି ଜୁଗାଡ଼ ନକରି ତୁରନ୍ତ ୱେବସାଇଟର ସମସ୍ତ ବୈଷୟିକ ତ୍ରୁଟିକୁ ସ୍ଥାୟୀ ଭାବେ ଦୂର କରୁ, ଯେପରି କାହାରି କ୍ୟାରିୟର ପ୍ରଭାବିତ ହେବ ନାହିଁ ।

ଆହୁରି ପଢ଼ନ୍ତୁ... Supreme Court: ଶପଥ ନେଲେ ୫ ନୂଆ ବିଚାରପତି, ସୁପ୍ରିମକୋର୍ଟରେ ଜଜ୍‌ଙ୍କ ସଂଖ୍ୟା ୩୭କୁ ବୃଦ୍ଧି