ନୂଆଦିଲ୍ଲୀ,୨୦/୧୨: ଶୁକ୍ରବାର ସକାଳେ ଜୟପୁର-ଅଜମେର ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳକୁ ଦୋହଲାଇ ଦେଇଥିଲା। ଏକ ଗ୍ୟାସ ଟ୍ୟାଙ୍କର୍ ପେଟ୍ରୋଲ୍ ପମ୍ପ ସାମନାରେ ଅନେକ ଗାଡ଼ିକକୁ ଧକ୍କା ଦେବା ଯୋଗୁ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଜଳି ଯାଇଛନ୍ତି। ରାଜପଥ ନିକଟରେ ଥିବା କିଛି ସ୍ଥାନରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ବିସ୍ଫୋରଣ ସମୟର ଚିତ୍ର ସାମ୍ନାକୁ ଆସିଛି। ଅନ୍ୟ ଏକ ଭିଡିଓରେ ଟ୍ୟାଙ୍କର ଅନ୍ୟ ଗାଡ଼ି ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଧୂଆଁ ବାହାରୁଥିବା ଦେଖାଯାଇଥିଲା।
ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସକାଳ ପ୍ରାୟ ସାଢ଼େ ୫ଟା ବେଳେ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ଏହାର ପ୍ରଭାବରେ ପାଖାପାଖି ୧୦୦ ରୁ ୨୦୦ ମିଟର ପର୍ଯ୍ୟନ୍ତ ନିଆଁ ମାଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ନିଆଁକୁ ଆୟତ୍ତ କରିଥିବା ଏକ ବସ୍ର ଯାତ୍ରୀମାନେ ଏହି ଭୟଙ୍କର ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି। ଜଣେ ଯାତ୍ରୀ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, 'ମୁଁ ଏବଂ ମୋର ବନ୍ଧୁ ରାଜସମନ୍ଦରୁ ଜୟପୁର ଯାଉଥିଲୁ, ସେତେବେଳେ ଏହି ବିସ୍ଫୋରଣ ଘଟିଥଲା। ବସ୍ର ଡୋର୍ ବନ୍ଦ ହୋଇଗଲା ତେଣୁ ଆମେ ଝରକା ଭାଙ୍ଗି ବାହାରକୁ ଡେଇଁପଡ଼ିଲୁ। ଅନେକ ଲୋକ ଗାଡ଼ି ଭିତରେ ଜିଅନ୍ତା ଜଳିଯାଇଥିଲେ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂ ଖିମସର ଏସଏମଏସ ହସ୍ପିଟାଲରେ ପହଞ୍ଚି ସେଠାରେ ଆହତମାନଙ୍କୁ ଭେଟିଥିଲେ। ଶର୍ମା ପ୍ରଶାସନିକ ଅଧିକାରୀ ଏବଂ ଡାକ୍ତରଙ୍କ ସହ କଥା ହୋଇ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ପୋଲିସ ଅଧିକାରୀଙ୍କ ସହ କଥା ହୋଇଥିଲେ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ସୂଚନା ଆଦାୟ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜୟପୁର-ଅଜମେର ରାଜପଥରେ ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି, 'ରାଜସ୍ଥାନର ଜୟପୁର-ଅଜମେର ରାଜପଥରେ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁରେ ଗଭୀର ଦୁଃଖିତ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ କାମନା କରୁଛି।' ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସହାୟତା ଯୋଗାଉଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ପିଏମ୍ଏନ୍ଆର୍ଏଫ୍ ରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ।'