ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଗକୁ ଡିଲର୍‌ ପଏଣ୍ଟ୍‌ରେ ଲାଗିବ ସିସିଟିଭି ! ଜାଲ୍‌ ହିତାଧିକାରୀଙ୍କୁ ଧରିବା ପାଇଁ ସରକାରଙ୍କ ଯୋଜନା

Published By : Prameya | November 3, 2024 1:33 PM

କଟକ,୦୩/୧୦: ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା କ୍ରମଶଃ  ଜଟିଳ ହେବାରେ ଲାଗିଛି । ପ୍ରଥମେ ପ୍ରତ୍ୟେକ ଡିଲର  ପଏଣ୍ଟରେ ପିଓଏସ୍‌(ପଏଣ୍ଟ ଅଫ୍‌  ସେଲ୍‌) ମେସିନ୍‌ ଲଗାଗଲା ।  ଏବେ ଅତ୍ୟାଧୁନିକ ଓଜନ ମେସିନ୍‌କୁ ପିଓଏସ୍‌ ମେସିନ୍‌  ସହ ସଂଯୋଗ କରାଯାଇଛି । ଏହାକୁ ନେଇ ଉଭୟ ଡିଲର ଏବଂ  ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଦେଇଥିଲାବେଳେ ଏବେ  ରାଜ୍ୟ ଖାଦ୍ୟ ଏବଂ ଖାଉଟି  କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ  ଡିଲର ପଏଣ୍ଟରେ ସିସି କ୍ୟାମେରା  ଲଗାଯିବା ପାଇଁ ଯୋଜନା ଆରମ୍ଭ  ହୋଇଛି । ଏହି କ୍ୟାମେରା  ଜରିଆରେ ଡିଲର୍‌ ପଏଣ୍ଟକୁ  ଆସୁଥିବା ଜାଲ୍‌ ହିତାଧିକାରୀଙ୍କୁ ଧରିବା ପାଇଁ ଯୋଜନା ହେଉଥିବା  କୁହାଯାଉଛି ।  

ଖାଉଟି ବଣ୍ଟନ ବ୍ୟବସ୍ଥାରେ ଦୀର୍ଘବର୍ଷ ଧରି ପିଓଏସ୍‌ ମେସିନ୍‌ଜନିତ ସମସ୍ୟା ଲାଗିରହିଛି । ପିଓଏସ୍‌ ମେସିନ୍‌  ଇଣ୍ଟରନେଟ୍‌ ସହାୟତାରେ ଚାଲିଥାଏ । ରାଜ୍ୟର ଅନେକ  ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌  ସୁବିଧା ସହଜରେ ଉପଲବ୍‌ଧ ହେଉନାହିଁ । ସେହିସବୁ ସ୍ଥାନରେ ଯଦି ଘଣ୍ଟେ ଇଣ୍ଟରନେଟ୍‌ ରହୁଛି  ୪ଘଣ୍ଟା କଟିଯାଏ । ଫଳରେ ଜଣେ  ଜଣେ ଖାଉଟିଙ୍କୁ ଚାଉଳ ୧୦/୧୫  କେଜି ପାଇଁ ଗୋଟେ ଗୋଟେ  ଦିନ ଅପେକ୍ଷା କରିବାକୁ ପଡ଼େ ।  ଶହେ/୨ଶହ ଟଙ୍କାର ଚାଉଳ ପାଇଁ  ୫ଶହ ଟଙ୍କାର ଦୈନିକ ମଜୁରୀ  ହାତଛଡ଼ା କରାଇବାକୁ ପଡ଼ିଥାଏ ।  ସବୁଠାରୁ ବଡ଼କଥା, ଓଡ଼ିଶାରେ  ଯେଉଁସବୁ ପିଓଏସ୍‌ ମେସିନ୍‌  ଦିଆଯାଇଛି ତାହା ୨-ଜି । କିନ୍ତୁ  ଏବେ ଚାରିଆଡ଼େ ୫-ଜି ଚାଲୁଛି ।  ଫଳରେ ପିଓଏସ୍‌ ମେସିନ୍‌ ଠିକ୍‌  ଭାବେ କାମ କରିପାରୁନି । 

ଏଭଳି ସ୍ଥିତିରେ ଏବେ  ପିଓଏସ୍‌ ମେସିନ୍‌ ସହ ଅତ୍ୟାଧୁନିକ  ଓଜନ ମାପ ଯନ୍ତ୍ରକୁ ସଂଯୋଗ  କରି ଦିଆଯାଇଛି । ଏହି ମେସିନ୍‌  ସଂଯୋଗ ପରେ ଖାଉଟି ନାହିଁନଥିବା  ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଜଣେ ଜଣେ ଖାଉଟିଙ୍କୁ ଏଥିପାଇଁ  ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ  ପଡ଼ୁଛି । ତିନିମାସର ସାମଗ୍ରୀକୁ  ତିନିଥର କରି ଓଜନ କରି ଦେବାକୁ  ପଡ଼ୁଛି । ଫଳରେ ଯଦି ମଝିରେ  ଇଣ୍ଟରନେଟ୍‌ ସଂଯୋଗ କଟିଯାଉଛି  ତାହେଲେ ସମ୍ପୃକ୍ତ ଖାଉଟିଙ୍କୁ  ପୁଣି ନେଟ୍‌ ଆସିବା ପର୍ଯ୍ୟନ୍ତ  ଅପେକ୍ଷା କରିବାକୁ ପଡ଼ୁଛି ।  ଏହାକୁ ନେଇ ଉଭୟ ଡିଲର ଏବଂ  ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଦେଇଥିଲାବେଳେ ଏବେ  ପ୍ରତ୍ୟେକ ଡିଲର ପଏଣ୍ଟରେ  ସିସିଟିଭି କ୍ୟାମେରା ଲଗାଇବା  ଯୋଜନା ଆହୁରି ଅସନ୍ତୋଷକୁ  ତେଜିବା ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.