କଟକ,୦୯/୦୮: କଟକର ଘରୋଇ ନର୍ସିଂହୋମ୍‌ରେ ଯବାନଙ୍କ ପତ୍ନୀଙ୍କ ମଳନଳୀ କାଟିଦେବା ଘଟଣାରେ ତଦନ୍ତ ଆରମ୍ଭ। ନର୍ସିଂହୋମ୍‌ରେ ସ୍ଵାସ୍ଥ୍ୟ ବିଭାଗ ଓ ପୁଲିସର ମିଳିତ ଚଢାଉ। ନର୍ସିଂହୋମ୍‌ର କାଗଜପତ୍ର ସହ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି। ମାହାଙ୍ଗା ଅଞ୍ଚଳର ଦୀପ୍ତିମୟୀ ବାରିକ କେବେ ହସ୍ପିଟାଲ ଆସିଥିଲେ, ତାଙ୍କର କେବେ ଅସ୍ତ୍ରୋପଚାର କରାଯାଇଥିଲା, କେଉଁ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରିଥିଲେ, ମଳନଳୀ କାଟିବା ପରେ ପୀଡ଼ିତାଙ୍କ ପରିବାରକୁ କାହିଁକି ଜଣାଇଲେ ନାହିଁ, ଭୁବନେଶ୍ଵରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ସମୟରେ କାହିଁକି ତାଙ୍କୁ ଡିସଚାର୍ଜ ପ୍ରମାଣପତ୍ର ପ୍ରଦାନ କରାଗଲା ନାହିଁ ତା'ର ତଦନ୍ତ କରାଯାଉଥିବା ସୂଚନା ମିଳିଛି।


ସେପଟେ ଚଢ଼ାଉ ସମୟରେ ନର୍ସିଂହୋମ୍‌ର କତ୍ତୃପକ୍ଷ ଗାଏବ ଥିବା ଜଣାପଡିଛି। ଆଜି ନର୍ସିଂହୋମ୍‌ର ପଞ୍ଜିକରଣ ନେଇ ବି ଯାଞ୍ଚ କରାଯିବ। ଏନେଇ ସିଡିଏମ୍‌ଓ ଡାକ୍ତର ହୋତା କହିଛନ୍ତି ଯେ, ଦିପ୍ତୀମୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବରକାଗଜରୁ ଜାଣିବା ପରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ତେଣୁ ପୀଡ଼ିତା  କିଭଳି ନ୍ୟାୟ ପାଇବେ ସେଥିପ୍ରତି ଆମେ ସଜାଗ୍‌ ରହିଛୁ ।  ଟେକ୍ନିକାଲ୍‌ କମିଟି ରିପୋର୍ଟ ଆଧାରରେ ଯଦି ସେଥିରେ କାହାର ଭୁଲ୍‌ ଧରାପଡ଼େ ନିଶ୍ଚିତ ଭାବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  


ମାହାଙ୍ଗା ଅଞ୍ଚଳର ଦୀପ୍ତିମୟୀ ବାରିକଙ୍କ ପୂର୍ବରୁ ଦୁଇଟି ସନ୍ତାନ ଥିବାରୁ ପରିବାରର ସହମତିରେ ଗର୍ଭପାତ କରିବାକୁ କଟକ ରାଣୀହାଟର ଏକ ଘରୋଇ ନର୍ସିଂହୋମ୍‌କୁ ଆସିଥିଲେ । ଏଠାରେ ଅସ୍ତ୍ରୋପଚାର ସମୟରେ ତ୍ରୁଟିପୂର୍ଣ୍ଣ ଭାବେ ତାଙ୍କର ମଳ ନଳୀକୁ କାଟି ଦିଆଯାଇଥିବାରୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତ୍ରୁଟିପୂର୍ଣ୍ଣ ଅପରେସନ୍‌ କରିଥିବା ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ବିରୋଧରେ ପୀଡ଼ିତା ଥାନାରେ ଏତଲା ଦେଇଛନ୍ତି ।  ପୁଲିସ ଏହି ଏତଲା ଆଧାରରେ ମାମଲା ମଧ୍ୟ ରୁଜୁ କରିଛି ।