ଦରବୃଦ୍ଧି ଚିନ୍ତା, ଖୋଲା ବଜାରରେ ୩୦ ଲକ୍ଷ ଟନ୍ ଗହମ ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୨୬/୦୧: ଗହମ ଏବଂ ଅଟା ଦର ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଭଳି ସ୍ଥିତିରେ ଦର ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍ରୁ ଖୋଲା ବଜାରରେ ୩୦ ଲକ୍ଷ ଟନ ଗହମ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି ।
ଏହି ଗହମ ଷ୍ଟକ୍କୁ ଅଟାକଳ ଏବଂ ବ୍ୟବସାୟୀମାନଙ୍କୁ ଯୋଗାଇ ଦିଆଯିବ । ଖୋଲା ବଜାର ବିକ୍ରି ଯୋଜନା(ଓଏମ୍ଏସ୍ଏସ୍) ଅଧୀନରେ ଖାଦ୍ୟ ମନ୍ତ୍ରାଳୟ ୩୦ ଲକ୍ଷ ଟନ୍ ଗହମକୁ ଖୋଲା ବଜାରରେ ବିକ୍ରି କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, କିଲୋ ପିଛା ଅଟାର ହାରାହାରି ମୂଲ୍ୟ ୩୮ ଟଙ୍କାକୁ ବୃଦ୍ଧି ପାଇଛି । ଜାନୁଆର ୧୯ରେ ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ ଯେ, ଗହମ ଏବଂ ଅଟାର ଖୁଚୁରା ଦର ବୃଦ୍ଧି ପାଇଛି ଏବଂ ଦର ନିୟନ୍ତ୍ରଣ କରିବା ପାଇଁ ସରକାର ଖୁବ୍ଶୀଘ୍ର ପଦକ୍ଷେପ ନେବେ ।
ଓଏମ୍ଏସ୍ଏସ୍ ନୀତି ଅଧୀନରେ ସରକାର ଖାଦ୍ୟଶସ୍ୟ ବିଶେଷ କରି ଗହମ ଏବଂ ଚାଉଳକୁ ପ୍ରାକ୍-ନିର୍ଦ୍ଧାରିତ ଦରରେ ଖୋଲା ବଜାରରେ ବିକ୍ରି କରିବା ପାଇଁ ରାଷ୍ଟ୍ରାୟତ୍ତ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ)କୁ ଅନୁମତି ଦେଇଥାନ୍ତି । ଉଦ୍ଦେଶ୍ୟ ହେଉଛି ବଜାରରେ ଯୋଗାଣ ବଢ଼ାଇ ଦରକୁ ନିୟନ୍ତ୍ରଣ କରିବା ।
ଖାଦ୍ୟ ସଚିବ ଶ୍ରୀ ଚୋପ୍ରା ଗତ ସପ୍ତାହରେ କହିଥିଲେ ଯେ, କିଛି ଦିନ ହେବ ଗହମ ଏବଂ ଅଟା ଦରରେ ଆମେ ବୃଦ୍ଧି ଦେଖିବାକୁ ପାଉଛୁ । ସମସ୍ୟାକୁ ନେଇ ଆମେ ଅବଗତ ଅଛୁ । ସରକାର ବିଭିନ୍ନ ଉପାୟ ଉପରେ ତର୍ଜମା କରୁଛନ୍ତି ଏବଂ ଖୁବ୍ଶୀଘ୍ର ଏହାକୁ ନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ଏଫ୍ସିଆଇର ଗୋଦାମରେ ଯଥେଷ୍ଟ ମାତ୍ରାରେ ଗହମ ଏବଂ ଚାଉଳ ମହଜୁଦ ଥିବା ସେ କହିଥିଲେ ।
ସୂଚନାଯୋଗ୍ୟ, ଘରୋଇ ବଜାରରେ ଉତ୍ପାଦନ ହ୍ରାସ ଏବଂ ଏଫ୍ସିଆଇର ସଂଗ୍ରହ କମିବା ପରେ କେନ୍ଦ୍ର ସରକାର ଦରକୁ ନିୟନ୍ତ୍ରଣ କରିବା ପାଇଁ ମେ’ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ ।
ସୂଚନାଯୋଗ୍ୟ, ୨୦୨୧-୨୨ ଅମଳ ବର୍ଷ(ଜୁଲାଇ-ଜୁନ୍)ରେ ଭାରତର ଗହମ ଉତ୍ପାଦନ ୧୦୬.୮୪ ନିୟୁତ ଟନ୍କୁ ହ୍ରାସ ପାଇଛି । ଏହାର ପୂର୍ବବର୍ଷ ଉତ୍ପାଦନ ୧୦୯.୫୯ ନିୟୁତ ଟନ୍ ଥିଲା । କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ପାଦନ ପ୍ରଭାବିତ ହୋଇଛି ।