ନୂଆଦିଲ୍ଲୀ,୨୧।୮: ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସକୁ ସରଳ କରିବା ନେଇ ନେଇ ଗୁରୁବାର ଗ୍ରୁପ ଅଫ୍ ମିନିଷ୍ଟର (ଜିଓଏମ୍)ଏକ ଗୁରୁତତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ବହୁ ରାଜ୍ୟ ସମର୍ଥନ କରିଛନ୍ତି। ଏହି ସମୟରେ, ମନ୍ତ୍ରୀମାନଙ୍କ ପ୍ୟାନେଲ୍ ୧୨% ଏବଂ ୨୮% ସ୍ଲାବ୍ ହଟାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହାକୁ ହଟାଇ ୫% ଓ ୧୮% କରିବା କଥା କୁହାଯାଇଛି। ଏହାଛଡା ତମାକୁ ଓ ପାନ ମସଲା ଭଳି ଗୁଡସ୍ ଉପରେ ୪୦% ସ୍ବତନ୍ତ୍ର ଦର ଲାଗୁ ହୋଇପାରେ। ଏବେ ଏହି ଚୂଡ଼ାନ୍ତ ପ୍ରସ୍ତାବକୁ GST ପଠାଯିବ। ବିଶ୍ୱାସ କରାଯାଉଛି ଯେ GST ବିଭାଗର ଅନୁମୋଦନ ମିଳିବା ପ୍ରାୟ ସୁନିଶ୍ଚିତ। ଏହା ପରେ ଏହା ଘୋଷଣା କରାଯିବ।
ବୈଠକ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ କହିଛନ୍ତି, ନୂଆ ଦରର ଘୋଷଣା ହେବାପରେ ଚାଷୀ, ମଧ୍ୟବିତ୍ତ ବର୍ଗ, ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତି ମିଳିବ। ଏମଏସଏମଇ ଏବଂ ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଏହା ସହିତ, ଏହା ଏକ ସ୍ୱଚ୍ଛ ଏବଂ ବିକାଶ-ମୁଖୀ ଢାଞ୍ଚା ସୃଷ୍ଟି କରିବ।ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଛଅ ସଦସ୍ୟ ବିଶିଷ୍ଟ ମନ୍ତ୍ରୀମଣ୍ଡଳ ୫%, ୧୨%, ୧୮% ଏବଂ ୨୮% ର ବର୍ତ୍ତମାନ ୪-ସ୍ଲାବ୍ ଗଠନକୁ ଉଚ୍ଛେଦ କରି ଏକ ନୂତନ ବ୍ୟବସ୍ଥା ଗ୍ରହଣ କରିବାକୁ ସହମତ ହୋଇଥିଲେ। ପ୍ରସ୍ତାବିତ ଢାଞ୍ଚା ଅନୁଯାୟୀ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ସେବାଗୁଡ଼ିକ ୫% GST ଲାଗୁ ହେବ, ଷ୍ଟାଣ୍ଡାର୍ଡ ବସ୍ତୁ ଉପରେ ୧୮% ଟିକସ ଲାଗୁ ହେବ। ସେଭଳି ସିନ୍ ଗୁଡସ୍ ୪୦%ରେ ଜାରି ରହିବ। ପ୍ୟାନେଲ ମଧ୍ୟ ସୁପାରିଶ କରିଛି ଯେ ଲଗଜରୀ କାରଗୁଡ଼ିକୁ ସମାନ ୪୦% ସ୍ଲାବ୍ ଅଧୀନରେ ଅଣାଯିବ।
ଜିଏସଟି ହାର ବିଚାର କରୁଥିବା ଗୋଷ୍ଠୀରେ ଉତ୍ତର ପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା, ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ କୃଷ୍ଣ ବାଇର ଗୌଡା ଏବଂ କେରଳ ଅର୍ଥମନ୍ତ୍ରୀ କେ ଏନ ବାଲଗୋପାଳ ସାମିଲ ଅଛନ୍ତି। ବୈଠକରେ ସ୍ବାସ୍ଥ୍ୟ ଓ ଜୀବନବୀମାକୁ ଜିଏସ୍ଟିରୁ ଛାଡ ଦେବାର ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା। ଏହାଦ୍ବାରା ବାର୍ଷିକ ୯,୭୦୦ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇପାରେ, କିନ୍ତୁ ଅଧିକାଂଶ ରାଜ୍ୟ ଏହାକୁ ସମର୍ଥନ କରିଛନ୍ତି। ଏବେ ଜିଏସ୍ଟି କାଉନସିଲ ନିଜର ଆଗାମୀ ବୈଠକରେ ଜିଓଏମ୍ର ଏହି ସୁପାରିଶକୁ ସମୀକ୍ଷା କରିବ ଓ ଅନ୍ତିମ ନିଷ୍ପତ୍ତି ନେବ।