ବିହାରରେ ଅସହ୍ୟ ହେଉଛି ଗ୍ରୀଷ୍ମ; ଅଂଶୁଘାତ ଯୋଗୁ ୬୬ ମୃତ, କ୍ଷତିପୁରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଟନା,୧୬ା୬(ଏଜେନ୍ସି): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ୍ୟ କରିନପାରି ଗତ ୩୦ ଘଣ୍ଟା ମଧ୍ୟରେ ବିହାରରେ ୬୬ ଜଣଙ୍କର ପ୍ରାଣହାନୀ ଘଟିଛି । ରାଜ୍ୟର ଔରଙ୍ଗାବାଦ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ହୋଇଥିବାର ଜଣାପଡ଼ିଛି ।

ରବିବାର ମଧ୍ୟାହ୍ନ ସୁଦ୍ଧା ଏହି ଜିଲ୍ଲାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ଔରଙ୍ଗାବାଦ ପରେ ଗୟା ଜିଲ୍ଲାରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଅଂଶୁଘାତରେ ପୀଡ଼ିତ ୩୦ରୁ ଊଦ୍ଧ୍ୱର୍ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଗତ ୩୦ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀରୁ ୫୦ ଡିଗ୍ରୀ ମଧ୍ୟରେ ରହିଥିଲା ।

ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ । ଅଂଶୁଘାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି ।