ଡେରାଡୁନ୍‌,୦୧/୦୩: ଉତ୍ତରାଖଣ୍ଡର ଚମୋଲି ଭୟଙ୍କର ହିମସ୍ଖଳନ ଘଟଣା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।  ବରଫ ତଳୁ ୧୪ ଜଣଙ୍କୁ ରେସ୍କ୍ୟୁ କରଛନ୍ତି ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ୮ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସେନା,  ଆଇଟିବିପି, ବିଆର୍‌ଓ, ଏନ୍‌ଡିଆର୍‌ଏଫ୍‌ ଓ  ଏସ୍‌ଡିଆର୍‌ଏଫ୍‌ର ଟିମ୍‌ ଲାଗିଛନ୍ତି । 




ସୂଚନା ମୁତାବିକ, ଚମୋଲି‌ରେ ଶୁକ୍ରବାର ସକାଳ ୭ଟା  ୧୫ରେ ଭୟଙ୍କର ହିମସ୍ଖଳନ ଘଟିଥିଲା ।  ଦୁର୍ଘଟଣା ବେଳେ ସମସ୍ତ ଶ୍ରମିକ ୮ଟି କଣ୍ଟେନର ଓ ଗୋଟିଏ ସେଡ୍‌ ତଳେ ଆଶ୍ରୟ  ନେଇଥିଲେ । ଏହି ସମୟରେ ବରଫ  ପାହାଡ଼ର ଏକ ବଡ଼ ଅଂଶ ଧସିଯାଇଥିଲା । ଏଥିରେ ବର୍ଡର ରୋଡ୍‌ ଅର୍ଗାନାଇଜେସନ (ବିଆର୍‌ଓ)ର ୫୫ ଶ୍ରମିକ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୪୭ ଜଣଙ୍କୁ  ଉଦ୍ଧାର  କରାଯାଇଛି । ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।  ୩୨ଶହ ମିଟରରୁ  ଅଧିକ ଉଚ୍ଚରେ ୬ ଫୁଟ ଜମିଥିବା ବରଫ ମଧ୍ୟରୁ ବାକି  ୮ ଜଣଙ୍କୁ ଉଦ୍ଧାର ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନା,  ଆଇଟିବିପି, ବିଆର୍‌ଓ, ଏନ୍‌ଡିଆର୍‌ଏଫ୍‌ ଓ  ଏସ୍‌ଡିଆର୍‌ଏଫ୍‌ର ଟିମ୍‌ ଲାଗିଛନ୍ତି।

ଏସ୍‌ଡିଆର୍‌ଏଫ୍‌ର ଆଇଜି ରିଧିମା  ଅଗ୍ରୱାଲ କହିଛନ୍ତି, ହିମସ୍ଖଳନ ଘଟଣା  ବଦ୍ରୀନାଥ ଧାମ ପାଖରେ ଘଟିଛି । ଏହାଯୋଗୁ  ଲାମବଗଡ଼ରେ ସଡ଼କ ଅବରୋଧ ହୋଇଛି ।  ସେନା ତାହାକୁ ଖୋଲିବା ପାଇଁ ଉଦ୍ୟମ  ଚଳାଇଛି । ଅନ୍ୟ ଏକ ଟିମ୍‌ ସହସ୍ରଧାରା  ହେଲିପ୍ୟାଡ୍‌ରେ ଆଲର୍ଟ ମୋଡ୍‌ରେ ରହିଛି । ଏସ୍‌ଡିଆର୍‌ଏଫ୍‌ର ଡ୍ରୋନ୍‌ ଟିମ୍‌ ବି ସତର୍କ  ରହିଛି ।