ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଚନ୍ଦା କୋଚ୍ଚର ବହିଷ୍କୃତ, ଭିଡିଓକନ୍‌ ଋଣ ମାମଲାରେ ଚନ୍ଦା ସମ୍ପୂର୍ଣ୍ଣ ଦୋଷୀ

ନୂଆଦିଲ୍ଲୀ,୩୦ା୧(ଏଜେନ୍ସି):ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଭିଡିଓକନ୍‌ ଋଣ ମାମଲାରେ ସମ୍ପୂର୍ଣ୍ଣ ଦୋଷୀ । ବ୍ୟାଙ୍କ ଆଚରଣବିଧ ଅବମାନନା କରି ସେ ଋଣ ମଞ୍ଜୁର କରିଛନ୍ତି । ଏହାସହିତ ବ୍ୟାଙ୍କର ତ୍ରୁଟିପୂର୍ଣ୍ଣ ବାର୍ଷିକ ବିବରଣୀ ଦେଇଛନ୍ତି । ଏଭଳି ରିପୋର୍ଟ ପ୍ରଦାନ କରିଛି ମାମଲାର ତଦନ୍ତ କରୁଥିବା ଶ୍ରୀକ୍ରିଷ୍ଣା କମିଟି । ଏହି ରିପୋର୍ଟ ଆସିବା ପରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ତାଙ୍କର ଇସ୍ତଫାକୁ ବହିଷ୍କାରର ରୂପ ଦିଆଯାଇଛି । ବର୍ତ୍ତମାନ ଚନ୍ଦା ବ୍ୟାଙ୍କରୁ ଗ୍ରହଣ କରିଥିବା ସମସ୍ତ ବୋନସ୍‌କୁ ସୁଧ ସହ ଫେରାଇବେ । ବ୍ୟାଙ୍କ ଉପରେ ରହିଥିବା ତାଙ୍କର ବକେୟା ରାଶି, ବର୍ଦ୍ଧିତ ଦରମା, ବୋନସ୍‌ ଏବଂ ମେଡିକାଲ ସୁବିଧା କିଛି ମିଳିବ ନାହିଁ ।
୨୦୧୨ରେ ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୩,୨୫୦ କୋଟି ଟଙ୍କାର ଋଣ ମଞ୍ଜୁରୀରେ ଚନ୍ଦାଙ୍କ ଅନୁଗ୍ରହ ଜଡିତ ଥିଲା । ନିଜ ତଥା ନିଜ ପରିବାରର ସ୍ୱାର୍ଥ ସକାଶେ ସେ ଏହି ଋଣ ମଞ୍ଜୁର କରିଥିଲେ । ବ୍ୟାଙ୍କର ଆଦର୍ଶକୁ ଅବମାନନା କରି ଚନ୍ଦା ଭିଡିଓକନ୍‌ ଗ୍ରୁପ୍‌ ପାଇଁ ଅନୁଗ୍ରହ ଦେଖାଇଥିବାରୁ ତାଙ୍କର ଇସ୍ତଫାକୁ ଏବେ ବହିଷ୍କାର ଭାବେ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ ଏହାର ବିବୃତିରେ ପ୍ରକାଶ କରିଛି । ୨୦୦୯ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ଯାଏ ସେ ପାଇଥିବା ସମସ୍ତ ବୋନସ୍‌କୁ ସୁଧ ସହ ଅସୁଲ କରାଯିବ । ସୂଚନାଯୋଗ୍ୟ, ବିବାଦ ବଳବତ୍ତର ହେବା ପରେ ଚନ୍ଦା ଅକ୍ଟୋବର ୪ରେ ଆଗୁଆ ଇସ୍ତଫା ଦେଇଥିଲେ ।
ଆଇସିଆଇସିଆଇ ବ୍ୟାଙ୍କରୁ ୩,୨୫୦ କୋଟି ଟଙ୍କାର ଋଣ ପାଇବାର ମାତ୍ର କିଛି ମାସ ପରେ ଭିଡିଓକନ୍‌ ଗ୍ରୁପ୍‌ ମାଲିକ ବେଣୁଗୋପାଳ ଧୂତ ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ କମ୍ପାନି ନ୍ୟୁପାୱାର ରିନ୍ୱେବଲ୍ସକୁ କୋଟି କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ । ରିପୋର୍ଟ ଅନୁସାରେ ଦୀପକଙ୍କ କମ୍ପାନିରେ ନିବେଶ ପ୍ରତିବଦଳରେ ଚନ୍ଦା ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମଞ୍ଜୁର କରିଥିଲେ ।
ଭିଡିଓକନ୍‌-ଆଇସିଆଇସିଆଇ ବ୍ୟାଙ୍କ ଋଣ ମାମଲାକୁ ଜଣେ ହ୍ୱିସିଲ୍‌ବ୍ଲୋୟର ଲୋକଲୋଚନକୁ ଆଣିଥିଲେ । ଏହି ଖବର ଉକ୍ତ ସମୟରେ ଏତେ ଚର୍ଚ୍ଚିତ ହୋଇ ନ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବ୍ୟାଙ୍କର ଅଡିଟ୍‌ କମିଟି ୨୦୧୮ ଜୁନ୍‌ ୬ରେ ମାମଲାର ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ବି. ଏନ୍‌. ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲା । ଶ୍ରୀକ୍ରିଷ୍ଣା କମିଟିର ରିପୋର୍ଟ ପାଇବା ପରେ ବ୍ୟାଙ୍କ ବୁଧବାର ବୋର୍ଡ ବୈଠକରେ ଏହାକୁ ଉପସ୍ଥାପନ କରିଛି ।
ଶ୍ରୀମତି କୋଚ୍ଚରଙ୍କୁ ଦୋଷୀ ବିବେଚନା କରାଯାଇଛି । ଆଇନର ଉଲ୍ଲଂଘନ କରି ସେ ଆତ୍ମସ୍ୱାର୍ଥକୁ ଦୃଷ୍ଟିରେ ରଖି ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମଞ୍ଜୁର କରିଥିବା ବ୍ୟାଙ୍କ ପ୍ରକାଶ କରିଛି । ବର୍ତ୍ତମାନ ୩,୨୫୦ କୋଟି ଟଙ୍କାର ଉକ୍ତ ଋଣ ଏନ୍‌ପିଏରେ ପରିବର୍ତ୍ତନ ହୋଇଛି । ଏସବୁ ମଧ୍ୟରେ ବ୍ୟାଙ୍କିଙ୍ଗ୍‌ ଜଗତରେ ଶିଖରରେ ପହଞ୍ଚିଥିବା ସେଲିବ୍ରିଟି ବ୍ୟାଙ୍କର ଚନ୍ଦା କୋଚ୍ଚରଙ୍କ ଏକ ପ୍ରକାର ପତନ ଘଟିଛି ।

Copyright © 2022 - Summa Real Media Private Limited. All Rights Reserved.