ନୂଆଦିଲ୍ଲୀ: ପାଟନାର ପାରସ ହସପିଟାଲରେ ଆଜି (ଗୁରୁବାର) ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି, ଯାହାର ଲାଇଭ୍ ଭିଜୁଆଲ ହସପିଟାଲ ସିସିଟିଭିରେ କଏଦ ହୋଇଛି। ଏହି ଭିଜୁଆଲ୍ ଏବେ ବିଭିନ୍ନ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି, ଯେଉଁଥିରେ ଅଜ୍ଞାତ ଆକ୍ରମଣକାରୀ ମାନେ ପାରୋଲରେ ଆସି ଚିକିତ୍ସାଧିନ ଥିବା ଜଣେ କଏଦୀଙ୍କୁ ଗୁଳି କରିଛନ୍ତି। ପୋଲିସର ସୂଚନା ମୁତାବକ ଏହି କଏଦୀଙ୍କୁ ଚିକିତ୍ସା ପାଇଁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କଏଦୀଙ୍କ ନାମ ଚନ୍ଦନ ମିଶ୍ର । ସେ ଆବଶ୍ୟକୀୟ ଚିକିତ୍ସା ପାଇଁ ପାରୋଲରେ ବାହାରକୁ ଆସିଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ସିସିଟିଭିରେ କଏଦ ଦୃଶ୍ୟ ଅନୁଯାୟୀ,୫ ଜଣ ଅଜ୍ଞାତ ଆକ୍ରମଣକାରୀ ହସ୍ପିଟାଲରେ ପଶି ତାଙ୍କୁ ଗୁଳି କରିଛନ୍ତି । ଚନ୍ଦନ ମିଶ୍ର ଜଣେ ଜଣାଶୁଣା ଅପରାଧୀ ଥିଲେ ଯାହାଙ୍କ ବିରୁଦ୍ଧରେ ଡଜନେରୁ ଅଧିକା ହତ୍ୟା ମାମଲା ରୁଜୁ ହୋଇଥିଲା। ଖବର ସରବରାହ ସଂସ୍ଥା ANI ଅନୁଯାୟୀ, ପୋଲିସ ବିଶ୍ୱାସ କରୁଛି ଯେ, ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ତେବେ ନିର୍ବାଚନ ମୁହାଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ପାଇଁ ବିରୋଧୀ ଦଳ ବିହାର ସରକାରଙ୍କୁ ନିନ୍ଦା କରିଛନ୍ତି।




ପୋଲିସ ଅଧିକାରୀ କାର୍ତ୍ତିକେୟ ସର୍ମାଙ୍କ ସୂଚନା ମୁତାବକ,"ବକ୍ସର ଜିଲ୍ଲାର ବାସିନ୍ଦା ଚନ୍ଦନ ମିଶ୍ର ନାମକ ଜଣେ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ହତ୍ୟାର ଡଜନ ଡଜନ ମାମଲା ରୁଜୁ ହୋଇଛି। ତାଙ୍କୁ ବକ୍ସରରୁ ଭାଗଲପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚନ୍ଦନ ପାରୋଲରେ ଥିଲା ଏବଂ ଚିକିତ୍ସା ପାଇଁ ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଏବେ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।