ଭୁବନେଶ୍ୱର,୦୩/୦୪: ସିଆଇଡି ନାଁରେ ଏକ ସଂସ୍ଥା ଖୋଲି ରାଜଧାନୀ ସାରା ଦାଦାଗିରି ଦେଖାଉଥିଲେ । ଦାଦାବଟି ନଦେଲେ, ଧାରଣା ଓ ଆନ୍ଦୋଳନର ଭୟ ଦେଖାଉଥିଲେ। ଏଭଳି ଏକ ନକଲି ସଂସ୍ଥାର ୮ଜଣ ସଦସ୍ୟ ଶେଷରେ ପୁଲିସ ପଞ୍ଝାରେ ପଡ଼ିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ୪ଜଣ ମହିଳା ଅଛନ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ କଲେଜକୁ ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ପୁଲିସ ସେମାନଙ୍କଠାରୁ ଡାକବାଜି ଯନ୍ତ୍ର, ବାଜା ସହ ପୁଳା ପୁଳା ନାଲି ପତାକା ଏବଂ ପ୍ଲାକାର୍ଡ ଜବତ କରିଛି ।

ଚନ୍ଦ୍ରଶେଖରପୁର ଥାନା ପୁଲିସ ସୂଚନା ମୁତାବକ, ‘ସିଟି ଇନ୍‌ଭେଷ୍ଟିଗେସନ ଆଣ୍ଡ ଡିଟେକ୍ଟିଭ୍’ ନାଁରେ ପାତ୍ରପଡ଼ାରେ ଏକ ଅଫିସ ଖୋଲାଯାଇଛି । ଏହି ସଂସ୍ଥାର କାର୍ପଟଦାର ଜଣକ ରାଜଧାନୀର ବଡ଼ବଡି଼ଆଙ୍କୁ ଟାର୍ଗେଟ କରୁଥିଲା । ବିଲ୍ଡର, ବ୍ୟବସାୟୀ ଓ ଅନ୍ୟ କୋଟିପତିଙ୍କ ବେଆଇନ୍ କାର୍ଯ୍ୟକଳାପ ଉପରେ ସବିଶେଷ ତଥ୍ୟ ଆଦାୟ କରୁଥିଲା । ବେଆଇନ୍ କାର୍ଯ୍ୟକଳାପର ପ୍ରମାଣ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ଦାଦାବଟି ମାଗୁଥିଲା । ଏସବୁ ବେଆଇନ୍ କାର୍ଯ୍ୟକଳାପ ବନ୍ଦ ନକଲେ, ସମ୍ପୃକ୍ତ ଲୋକଙ୍କୁ ପୁଲିସ ଦ୍ୱାରା ଗିରଫ କରିବାକୁ ଧମକ ଦେଉଥିଲା । ତଥାପି ଯଦି କେହି ଡିଲ୍‌ରେ ରାଜି ହେଉନଥିଲା, ତାଙ୍କ ସଂସ୍ଥା ସାମ୍ନାରେ ଧାରଣା ଓ ବିକ୍ଷୋଭ କରିବାକୁ ଚେତାବନୀ ଦେଉଥିଲା । ଏଥିପାଇଁ ସେ ଅନେକ ମହିଳାଙ୍କୁ ଢ଼ାଲ କରୁଥିଲା । ମହିଳାମାନେ ଉକ୍ତ ସଂସ୍ଥା ସାମ୍ନାରେ ହୋ-ହଲ୍ଲା କରିବା ସହ ନିକଟସ୍ଥ ଥାନାରେ ଅସଦାଚରଣର ଅଭିଯୋଗ ମଧ୍ୟ କରୁଥିଲେ ।

ଅଧିକ ପଢ଼ନ୍ତୁ :- ଟୋଲଗେଟ୍ ପାର୍ କଲେ କଟୁଛି ୧୦ ହଜାର, ଜରିମାନା କମାଇବାକୁ କୁନ୍ଥକୁନ୍ଥ

ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ କଲେଜ ମାଲିକ ଋଣ ନେଇଥିବା ବେଳେ ପରିଶୋଧ କରିବାରେ ବିଳମ୍ବ ହୋଇଥିଲା । କଲେଜ ମାଲିକଙ୍କଠାରୁ ଦାଦାବଟି ଆଦାୟରେ ବିଫଳ ହେବାରୁ ସିଆଇଡି ସଂସ୍ଥା ଆଜି ସକାଳୁ ଉକ୍ତ କଲେଜରେ ହଙ୍ଗାମା କରିଥିଲା । କିଛି ମହିଳା କଲେଜ ବାହାରେ ଡାକବାଜି ଯନ୍ତ୍ର, ଡ୍ରମ୍ ବାଜା, ନାଲି ପତାକା ସହ ପ୍ଲାକାର୍ଡ ଧରି ଆନ୍ଦୋଳନ ଆରମ୍ଭ କଲେ । ଏମିତିକି କଲେଜରେ ପରୀକ୍ଷା ଥିବା ବେଳେ କଲେଜ ମୁଖ୍ୟ ଫାଟକରେ ସେମାନେ ତାଲା ପକାଇ ଦେଇଥିଲେ । ବଳପୂର୍ବକ ଟଙ୍କା ମାଗୁଥିବା ଅଭିଯୋଗରେ ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।