ନୂଆଦିଲ୍ଲୀ,୧୫।୭: ଭାରତର ବହୁ ପ୍ରତୀକ୍ଷିତ ମିଶନ୍ ଚନ୍ଦ୍ରାୟାନ-୨ର ଯାନ୍ତ୍ରିକ ସମସ୍ୟା କାରଣରୁ ତା’ର ଲଞ୍ଚିଂକୁ ଆଜି ରୋକି ଦିଆଯାଇଛି। ସୋମବାର ଭୋର ୨ଟା ୫୧ ମିନିଟରେ ଚନ୍ଦ୍ର ପୃଷ୍ଠକୁ ଉତକ୍ଷେପଣ ହେବାକୁ ଥିବାବେଳେ ଏହାର ୫୬ ମିନିଟ୍ ୨୪ ସେକେଣ୍ଡ ପୂର୍ବରୁ ଯାନ୍ତ୍ରିକ ସମସ୍ୟା କାରଣରୁ ଲଞ୍ଚିଂକୁ ରୋକିଦିଆଯାଇଥିଲା। ଲଞ୍ଚିଂର ନୂଆ ତାରିଖ ଘୋଷଣା ପରେ କରାଯିବ। ମିଶନକୁ ରୋକା ଯିବାର କିଛି ସମୟ ପରେ ଇସ୍ରୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଇସ୍ରୋର ପବ୍ଲିକ ରିଲେସନ୍ ଅଫିସର(ପିଆରଓ) ଗୁରୁପ୍ରସାଦ କହିଛନ୍ତି ‘ଲଞ୍ଚିଂ ଭେଇକିଲ ସିଷ୍ଟମରୁ ଲଞ୍ଚିଂର ପ୍ରାୟ ୨ ଘଣ୍ଟା ପୂର୍ବରୁ ଟେକ୍ନିକାଲ ସମସ୍ୟା ହୋଇଥିଲା। ଏହି କାରଣରୁ ଆଜି ଚନ୍ଦ୍ରାୟନ-୨ ମିଶନର ଲଞ୍ଚିଂକୁ ରୋକିଦିଆଯାଇଛି। ଲଞ୍ଚିଂର ନୂତନ ତାରିଖ ଘୋଷଣା ଏବେ ପରେ କରାଯିବ।’
ଦେଶର ବୈଜ୍ଞାନିକମାନେ ମଧ୍ୟ ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ଠିକ୍ ବୋଲି କହିଛନ୍ତି। ସମସ୍ତ ବୈଜ୍ଞାନିକଙ୍କ ପକ୍ଷରୁ ଏନେଇ ବୟାନ ଆସିଛି। ଇନଷ୍ଟିଚ୍ୟୁଟ୍ ଫର ଡିଫେନ୍ସ ଷ୍ଟଡିଜ ଆଣ୍ଡ ଆାନାଲିସିସର ପୂର୍ବତନ ନିର୍ଦେଶକ ଜି.ବାଲାଚନ୍ଦ୍ରନ ଚନ୍ଦ୍ରାୟାନ-୨ର ଲଞ୍ଚିଂକୁ ବର୍ତ୍ତମାନ ପାଇଁ ରୋକାଯିବା ପଦକ୍ଷେପକୁ ଠିକ୍ ବୋଲି କହିଛନ୍ତି। ସେ କହିଛନ୍ତି ଚନ୍ଦ୍ରାୟାନ-୨ ଲଞ୍ଚିଂକୁ ରୋକାଯିବା ଏକ ସାଧାରଣ କଥା। ତାଙ୍କର କହିବା ଅନୁସାରେ ଯଦି ଚନ୍ଦ୍ରାୟାନରେ କୌଣସି ଅସୁବିଧା ରହିଛି ତେବେ ଏହାକୁ ମିଶନରେ ପଠାଇ ପାରିବା ନାହିଁ। ଏଥିରେ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଜଟିଳ ସମସ୍ୟା ରହିଛି ନା ସାଧାରଣ ସମସ୍ୟା ରହିଛି ସେନେଇ ଏବେ ବୈଜ୍ଞାନିକଙ୍କ ବିଶ୍ଲେଷଣ ଉପରେ ଛାଡି ଦେବା ଦରକାର।