ଭୁବନେଶ୍ୱର,୧୭/୦୨ : ଜଣେ ନାମକରା ହୋମିଓପାଥି ଡାକ୍ତର । କେବଳ ଅଞ୍ଚଳ ନୁହେଁ, ଖଣ୍ଡମଣ୍ଡଳରେ ତାଙ୍କ ନାଁ ଥିଲା । ଭଲ ଚିକିତ୍ସା ସେବା ପାଇଁ ଲୋକଙ୍କ ପ୍ରିୟ ହୋଇଥିଲେ । ଅଧାବାଟରେ ସେ ହାତ ଛାଡ଼ି ପରପାରିକୁ ଚାଲିଗଲେ । କ’ଣ କରିବେ, କେମିତି ପରିବାର ପୋଷିବେ ସେହି ଚିନ୍ତା ଘାରିଲା । ଏହି ସମୟରେ ସାଥୀ ହେଲା ଚାନ୍ଦୁଆ । ଚାନ୍ଦୁଆ ତିଆରି କରି ବିକ୍ରି କଲେ । ବାସ୍ ସେଇଠୁ ଆରମ୍ଭ ହେଲା ଚଞ୍ଚଳା ସାହୁଙ୍କ କାହାଣୀ । ଆଜି ଚଞ୍ଚଳା କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ପ୍ରତିଷ୍ଠିତ ଚାନ୍ଦୁଆ ଶିଳ୍ପୀ । ବୟସ ୬୩ ଛୁଇଁଲାଣି, ତଥାପି ଚଞ୍ଚଳା ଚଳଚଞ୍ଚଳ ।
ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ତୋଷାଳି ମେଳା ଅବସରରେ ଚଞ୍ଚଳାଙ୍କ ଚାନ୍ଦୁଆ ଦେଖିବାକୁ ଭିଡ଼ ଜମୁଛି । କେନ୍ଦ୍ରାପଡ଼ା ଜିଲ୍ଲା ବଣିଆପାଳ ଗ୍ରାମର ବାସିନ୍ଦା ଚଞ୍ଚଳା । ପିଲାଟି ବେଳୁ ଚଞ୍ଚଳା ପୋଷାକ ସିଲେଇ ଓ ଅନ୍ୟାନ୍ୟ ବୁଣାବୁଣି କାମ ଶିଖିଥିଲେ । ସ୍ୱାମୀ ସ୍ୱର୍ଗତ ଡା. ଅମରିଶ ସାହୁଙ୍କ ପ୍ରେରଣାରେ ସେ ଘରେ ରହି କିଛି କପଡା ସିଲେଇ କାମ କରୁଥିଲେ । ୧୯୯୧ରେ ସ୍ୱାମୀଙ୍କ ଦେହାନ୍ତ ପରେ ଚଞ୍ଚଳା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । କୋଳରେ ଥିଲେ ଦୁଇ କୁନି ପୁଅ । ପରିବାର ଓ ପଡ଼ୋଶୀଙ୍କ କଥାକୁ ଭ୍ରୂକ୍ଷେପ ନକରି ଘର ବାହାରକୁ ଗୋଡ଼ କାଢ଼ିଲେ । ଚାନ୍ଦୁଆ ତିଆରି କଲେ । ତାକୁ ନେଇ ପାଖ ବଜାରରେ ବିକ୍ରି କଲେ । ସେ ସମୟର ବଜାର ଦର ଅନୁସାରେ ଚଞ୍ଚଳାଙ୍କ ଚାନ୍ଦୁଆ ବି ଭଲ ଦରରେ ବିକ୍ରି ହେଲା । ଏହାପରେ ସେ ଟଙ୍କା ସଞ୍ଚୟ କରି ଚାନ୍ଦୁଆ ଶିଳ୍ପକୁ ନେଇ ଘରେ ଏକ କ୍ଲଷ୍ଟର ତିଆରି କରିଥିଲେ । ଯାହାର ନାଁ ଥିଲା ଭଗବତୀ କୁଟୀର ଶିଳ୍ପ ।
ଆହୁରି ପଢନ୍ତୁ -ଇମ୍ପାକ୍ଟ ସମିଟ୍ ଏଆଇ ସମ୍ଭାବନା ପ୍ରଦର୍ଶନ କଲା ଓଡ଼ିଶା, ବିକଶିତ ହୋଇଛି ୩ ମେଡ୍ ଇଣ୍ଡିଆ ଚିପ୍
ଏଥିପାଇଁ ତାଙ୍କୁ ଜିଲ୍ଲା ହସ୍ତତନ୍ତ ବିଭାଗ ବେଶ୍ ସହାୟତା ପ୍ରଦାନ କରିଥିଲା । ଏବେ ଚଞ୍ଚଳା ଜଣେ ଗୁରୁ ଭାବେ ପରିଚୟ ପାଇଛନ୍ତି । ଘରେ ଚାନ୍ଦୁଆ ପାଇଁ ସବୁ ସୁବିଧା ରହିଛି । ପ୍ରାୟ ୩୦ ଜଣ ଶିଳ୍ପୀ ସେ ତିଆରି କଲେଣି । ଏବେ ସେ ୧୨ ଜଣଙ୍କୁ କାମ ଶିଖାଉଛନ୍ତି । ଚଞ୍ଚଳା କହିଛନ୍ତି, ସେ କୋଲକାତା, କଟକରୁ କଞ୍ଚାମାଲ ଆଣି ଚାନ୍ଦୁଆ ତିଆରି କରୁଛନ୍ତି । ତାଙ୍କ ପାଖରେ ୨୦୦ ଟଙ୍କାରୁ ନେଇ ୪ହଜାର ଟଙ୍କା ପର୍ଯ୍ୟନ୍ତ ଚାନ୍ଦୁଆ ରହିଛି । ଘର ହେଉ ଅବା ମନ୍ଦିର, ଚାନ୍ଦୁଆ ଦରକାର ପଡ଼ିଲେ, ତାଙ୍କ ପାଖକୁ ବରାଦ ଆସୁଛି । ପୂର୍ବରୁ ଚାନ୍ଦୁଆ ବିକ୍ରି କରି ସେ ମାସକୁ ୫୦ ହଜାର ଟଙ୍କା ରୋଜଗାର କରୁଥିଲେ । ଏବେ ଟିକେ ବେପାର ମାନ୍ଦା ହୋଇପଡ଼ିଛି । ତଥାପି ୩୦ ହଜାରରୁ ଅଧିକ ରୋଜଗାର ହେଉଛି । ସେଥିରେ ପାଖରେ ଥିବା ପିଲାଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । କେବଳ ଚାନ୍ଦୁଆ ନୁହେଁ, ସେ ଜୈବିକ ଖତ ତିଆରି କରୁଛନ୍ତି । ଏଥିପାଇଁ ତାଙ୍କୁ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୁରସ୍କାର ମିଳିଛି ।