କହ୍ନେୟାଙ୍କ ବିରୋଧରେ ଚାର୍ଜସିଟ ଗ୍ରହଣ କଲେନି କୋର୍ଟ

ନୂଆଦିଲ୍ଲୀ,୧୯ ।୧(ଏଜେନ୍ସି): ଜେଏନ୍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ଓ ଅନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୁଲିସ ଦାଖଲ କରିଥିବା ଚାର୍ଜସିଟ୍କୁ ଦିଲ୍ଲୀର ଏକ କୋର୍ଟ ଗ୍ରହଣ କରିନାହାନ୍ତି । ବରଂ ଲିଗାଲ ଡିପାର୍ଟମେଣ୍ଟ ଅନୁମତି ବିନା ଏହା ଦାଖଲ କରାଯାଇଥିବାରୁ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀ ସରକାରଙ୍କ ଆଇନ ବିଭାଗର ବିନା ଅନୁମତିରେ କିଭଳି ଭାବେ ଏହି ଚାର୍ଜସିଟ୍ ଦାଖଲ କରାଗଲା ବୋଲି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ ଶେରାୱତ ପୁଲିସକୁ ପଚାରିଛନ୍ତି । ଆସନ୍ତା ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ଅନୁମତି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୧୦ ଦିନ ଭିତରେ ଆଇନ ବିଭାଗରୁ ଅନୁମତି ଆଣିବ ବୋଲି ପୁଲିସ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛି । ଗତ ସୋମବାର ଦିଲ୍ଲୀ ପୁଲିସ ଏହି ୧୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ସେଥିରେ ପୁଲିସ ଦର୍ଶାଇଥିଲା ଯେ ସଂସଦ ଭବନ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁ ସ୍ମୃତିରେ ୨୦୧୬ ଫେବ୍ରୁଆରୀ ୯ରେ ଜେଏନ୍ୟୁରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ କହ୍ନେୟାଙ୍କ ବ୍ୟତୀତ ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଏବଂ ଜମ୍ମୁ-କାଶ୍ମୀରର ୭ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଦେଶ ବିରୋଧୀ ନାରାବାଜି କରିଥିଲେ ବୋଲି ପୁଲିସ ଦର୍ଶାଇଛି ।