ୱାଶିଂଟନ,୦୨/୧୨: ଆମେରିକାରେ  ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଡୋନାଲ୍ଡ  ଟ୍ରମ୍ପ୍‌ ନିଜ ସମୁଦି ଚାର୍ଲସ କୁଶନରଙ୍କୁ  ଫ୍ରାନ୍ସରେ ଆମେରିକୀୟ ରାଷ୍ଟ୍ରଦୂତ ଭାବେ  ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି । ଚାର୍ଲସଙ୍କୁ ଟ୍ରମ୍ପ୍‌ ଜଣେ ଚମତ୍କାର ବ୍ୟବସାୟିକ  ମ୍ୟାଗ୍‌ନେଟ, ପରୋପକାରୀ ଏବଂ ଡିଲ୍‌  ମେକର ଅଭିହିତ କରିଛନ୍ତି । ରିଅଲ ଇଷ୍ଟେଟ ବ୍ୟବସାୟରୁ ଟ୍ରମ୍ପ୍‌ ଓ ଚାର୍ଲସ  ପରସ୍ପରକୁ ଜାଣିଥିଲେ । ଏହାପରେ ୨୦୦୯ରେ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଏବଂ  ଚାର୍ଲସଙ୍କ ପୁଅ ଜ୍ୟାରେଡଙ୍କ ବିବାହ  ହୋଇଥିଲା । ଫଳରେ ଉଭୟ ପରିବାର  ପରସ୍ପରର ବନ୍ଧୁ ହୋଇଥିଲେ । 

ରିପୋର୍ଟ  ମୁତାବକ, ୨୦୦୫ରେ ମିଥ୍ୟା ଟିକସ ରିଟର୍ନ  ପ୍ରସ୍ତୁତ କରିବା ଏବଂ ଫେଡେରାଲ ନିର୍ବାଚନ  କମିଶନଙ୍କୁ ମିଥ୍ୟା ବୟାନ ଦେବାକୁ ନେଇ  ଚାର୍ଲସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ମାମଲାରେ ସେ ୧୬ ମାସରୁ ଅଧିକ  ସମୟ ଜେଲଦଣ୍ଡ ଭୋଗିଥିଲେ । ୨୦୨୦ରେ  ଟ୍ରମ୍ପ୍‌ ନିଜ ରାଷ୍ଟ୍ରପତି କ୍ଷମତା ବ୍ୟବହାର  କରି ତାଙ୍କୁ ଜେଲରୁ ମୁକୁଳାଇଥିଲେ । 

ଚାର୍ଲସଙ୍କୁ ରବିବାର ଫ୍ରାନ୍ସ ରାଷ୍ଟ୍ରଦୂତ ଭାବେ ଘୋଷଣା କରି ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଲେଖିଛନ୍ତି, ଚାର୍ଲସ କୁଶନରଙ୍କୁ  ରାଷ୍ଟ୍ରଦୂତ ଭାବେ ମନୋନୀତ କରି ମୁଁ  ଖୁସି । ସେ ଜଣେ ପରୋପକାରୀ, ଚମତ୍କାର  ବ୍ୟବସାୟୀ ଏବଂ ଡିଲ୍‌ ମେକର । ଚାର୍ଲସ  କୁଶନର ଗ୍ରୁପ କମ୍ପାନିଗୁଡ଼ିକର ପ୍ରତିଷ୍ଠାତା  ଓ ଅଧ୍ୟକ୍ଷ । ତାଙ୍କ ସଂସ୍ଥା ବିଶ୍ୱର ଜଣାଶୁଣା  ତଥା ସଫଳ ଘରୋଇ ରିଅଲ୍‌ ଇଷ୍ଟେଟ  ମଧ୍ୟରେ ଅନ୍ୟତମ । ତାଙ୍କୁ ଅର୍ନଷ୍ଟ ଆଣ୍ଡ  ୟଙ୍ଗ ପକ୍ଷରୁ ନ୍ୟୁ ଜର୍ସି ଏଣ୍ଟରପ୍ରିନ୍ୟୁର  ଅଫ୍‌ ଦ ଇୟର ଆୱାର୍ଡ ଦିଆଯାଇଥିଲ।