କୁନୋ ଜାତୀୟ ଉଦ୍ୟାନରେ ପୁଣି ଚିତା ମୃତ୍ୟୁ, ଏପର୍ଯ୍ୟନ୍ତ ୩ ଶାବକ ସମେତ ୬ଟିର ଗଲାଣି ଜୀବନ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ମାଇ ଚିତା ‘ଜ୍ବାଳା’ର ଦୁଇ ଛୁଆଙ୍କର ଆଜି (ଗୁରୁବାର) ମୃତ୍ୟୁ ଘଟିଛି । ଏହା ପୂର୍ବରୁ ମଙ୍ଗଳବାର (ମ ୨୩) ‘ଜ୍ବାଳା’ର ଆଉ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା । ମାଇ ଚିତା ‘ଜ୍ବାଳା’ ପ୍ରାୟ ଦୁଇମାସ ପୂର୍ବରୁ ଚାରି ଛୁଆ ଜନ୍ମ ଦେଇଥିଲା । ଅର୍ଥାତ୍ ଚାରି ଛୁଆଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ତିନି ଛୁଆଙ୍କର ମୃତ୍ୟୁ ଘଟିଛି । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ତିନୋଟି ବଡ ଚିତା କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ବରଣ କରିଥିଲେ । ଏଭଳି ପରିସ୍ଥିତିରେ ଏପର୍ଯ୍ୟନ୍ତ ମୋଟ ୬ ଟି ଚିତାଙ୍କର ମୃତ୍ୟୁ ଘଟିଛି।
ଚିତା ଛୁଆଙ୍କ ମୃତ୍ୟୁକୁ ନେଇ ଦକ୍ଷିଣ ଆଫ୍ରିକାର ବନ୍ୟଜନ୍ତୁ ବିଶେଷଜ୍ଞ ବିଂସେଣ୍ଟ ଭାନ୍ ଡେର୍ ମର୍ବେ ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି ଯେ ଭାରତକୁ ଦୁଇରୁ ତିନୋଟି ଚିତା ବାସସ୍ଥାନ ବାଛିବା ଉଚିତ୍ । କାରଣ ଇତିହାସରେ ଅସୁରକ୍ଷିତ ଅଭୟାରଣ୍ୟରେ ଚିତାକୁ ଛାଡିବାର ପ୍ରୟାସ କେବେ ସଫଳ ହୋଇ ନାହିଁ । ଦକ୍ଷିଣ ଆଫ୍ରିକାରେ ଏପରି ୧୫ ଟି ଚେଷ୍ଟା ହୋଇଛି, ଯାହା ପ୍ରତ୍ୟେକ ଥର ବିଫଳ ହୋଇଛି । ମର୍ବେ କହିଛନ୍ତି ଯେ ଆସନ୍ତା ମାସରେ ଚିତାକୁ ଥଇଥାନ କରାଯିବା ପ୍ରକଳ୍ପରେ ଅଧିକ ମୃତ୍ୟୁ ହେବାର ଆଶଙ୍କା ରହିଛି । କାରଣ ଚିତାମାନେ କୁନୋ ଜାତୀୟ ଉଦ୍ୟାନରେ ନିଜ ଅଞ୍ଚଳ ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ସେମାନେ କଲରାପତରିଆ ଏବଂ ମହାବଳ ବାଘର ସମ୍ମୁଖୀନ ହେବେ । ସୂଚନାଥାଉକି, ଚିତା ବିଲୁପ୍ତ ହେବାର ୭୦ ବର୍ଷ ପରେ ଭାରତରେ ଚିତାକୁ ପୁନଃ ସ୍ଥାପିତ କରିବା ପାଇଁ ‘ପ୍ରୋଜେକ୍ଟ ଚିତା’ କାର୍ଯ୍ୟକାରୀ କରାଯାଇଛି ।
ନାମିବିଆର ଏକ ଚିତା ‘ଶଶା’ର ମାର୍ଚ୍ଚ ୨୭ ରେ କିଡନୀ ରୋଗରେ ମୃତ୍ୟୁ ଘଟିଥିବା ବେଳେ ଦକ୍ଷିଣ ଆଫ୍ରିକାରୁ ଆମଦାନୀ ହୋଇଥିବା ଅନ୍ୟ ଏକ ଚିତା ଏପ୍ରିଲ ୨୩ ରେ ମୃତ୍ୟୁ ବରଣ କରିଥିଲା । ଏଥିସହିତ ଦକ୍ଷିଣ ଆଫ୍ରିକାରୁ ଆଣିଥିବା ମାଇ ଚିତା ଦକ୍ଷା ପୁରୁଷ ଚିତା ସହିତ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିବା ସମୟରେ ହିଂସାତ୍ମକ ଆଚରଣରେ ଆହତ ହୋଇଥିଲା ଏବଂ ପରେ ତାର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଦୁଇ ମାସର ଚିତା ଛୁଆ ୨୩ ମଇରେ ମୃତ୍ୟୁ ବରଣ କରିଥିଲା ।
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସ୍ଥାନ ଅଭାବକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ଚିତାକୁ ଅନ୍ୟ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି । ଚିତାକୁ ଅନ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର କରିବାକୁ ଚିନ୍ତା ପ୍ରକଟ କରିଛନ୍ତି । ଅଧିକ ଚିତାଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି । ଆଗାମୀ କିଛି ମାସ ମଧ୍ୟରେ କୁନୋ ଅଭୟାରଣ୍ୟରେ ଚିତାମାନେ ନିଶ୍ଚିତ ଭାବରେ ସେମାନଙ୍କର ଅଞ୍ଚଳ ପ୍ରତିଷ୍ଠା ଜାରି ରଖିବେ ଏବଂ ନିଜ ଅଞ୍ଚଳ ଏବଂ ମହିଳା ଚିତା ପାଇଁ ପରସ୍ପର ସହ ଲଢିବେ ଏବଂ ପରସ୍ପରକୁ ହତ୍ୟା କରିବେ । ସେମାନେ କଲରାପତରିଆ ବାଘ ସହିତ ମୁହାଁମୁହିଁ ହେବେ ।