ଚେନ୍ନାଇ,୧୨/୦୮: ଚଳିତ ଚେନ୍ନାଇ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ପଞ୍ଚମ ରାଉଣ୍ଡ୍‌ ଖେଳ ଶେଷ ହୋଇଛି । ଜର୍ମାନୀର ଭିନସେଣ୍ଟ କିମର ସର୍ବାଧିକ ୪ପଏଣ୍ଟ ସହ ଶୀର୍ଷ  ସ୍ଥାନ ବଜାୟ ରଖିଥିବାବେଳେ ଟପ୍‌ ସିଡ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସି ୩ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପଞ୍ଚମ ରାଉଣ୍ଡରେ ନେଦରଲାଣ୍ଡ୍‌ସର ଜୋର୍ଡାନ ଭାନ୍‌ ଫରେଷ୍ଟ ବିଜୟ ହାସଲ  କରିଥିବାବେଳେ ଅନ୍ୟ ସବୁ ମ୍ୟାଚ୍‌ ଡ୍ର’ ହୋଇଥିଲା । ସେ ଆମେରିକାରରେ ରବସନ୍‌ଙ୍କୁ ହରାଇଥିଲେ । 

ଅନ୍ୟପଟରେ ଏରିଗାଇସି ଓ ଭି. ପ୍ରଣବ, କିମର ଓ  ଭାରତର ବିଦିତ ଗୁଜରାଠୀ, ଭାରତର ନିହାଲ ସାରିନ ଓ ଆମେରିକାର ଆୱଣ୍ଡର ଲିୟାଙ୍ଗ ଏବଂ ଭାରତର କାର୍ତ୍ତିକେୟନ  ମୂରଲୀ ଓ ନେଦରଲାଣ୍ଡ୍‌ସର ଅନିଶ ଗିରି ପଏଣ୍ଟ ଭାଗ କରିଥିଲେ । ଗିରି, ଗୁଜରାଠୀ, ମୂରଲୀ ଓ ଲିୟାଙ୍ଗ୍‌ ପ୍ରତ୍ୟେକ ୨.୫ପଏଣ୍ଟ ସହ ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଚ୍ୟାଲେଞ୍ଜର୍ସରେ ଭାରତର ଅଭିମନ୍ୟୁ ପୌରାଣିକ ୪.୫ ପଏଣ୍ଟ  ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏମ୍‌. ପ୍ରଣେଶ, ଦୀପ୍ତାୟନ ଘୋଷ,ଲିୟୋନ ମେଡୋଙ୍କା ୩.୫ପଏଣ୍ଟ  ସହ ମିଳିତ ଦ୍ୱିତୀୟରେ ରହିଛନ୍ତି ।