ନୂଆଦିଲ୍ଲୀ : ଆଇପିଏଲ ୨୦୨୬ର ୨୭ତମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗ୍ସ । ସନରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଉଭୟ ଦଳ ବିଜୟୀ ହେବା ଲଢ଼ିବେ । ପଏଣ୍ଟ ଟେବୁଲରେ ତଳେ ରହିଥିବା ଉଭୟ ଦଳ ମ୍ୟାଚ୍ ଜିତି ଉପରକୁ ଉଠିବା ପାଇଁ ପ୍ରୟାସ କରିବେ ନିଶ୍ଚୟ । ଯେଉଁ କାରଣରୁ ଆଜିର ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ଉଭୟ ଦଳ ୫ଟି ଲେଖାଏଁ ମ୍ୟାଚ ଖେଳି ୪ ପଏଣ୍ଟ ଅର୍ଜନ କରିଛନ୍ତି । ଚେନ୍ନାଇ ରନ ରେଟ୍ରେବହୁ ପଛରେ ପଡ଼ି ଯାଇଛି । ହାଇଦ୍ରାବାଦକୁ ବଡ଼ ବ୍ୟବଧାନରେ ହରାଇବା ପାଇଁ ଚେନ୍ନାଇ ଗୁରୁତ୍ୱ ଦେବା ଆବଶ୍ୟକ । ତେଣୁ ପ୍ରମୁଖ ଖେଳାଳିମାନଙ୍କୁ ଫର୍ମକୁ ଫେରିବାକୁ ପଡ଼ିବ । ବିଶେଷ କରି ଅଧିନାୟକ ଋୁତୁରାଜ ଗାଏକୱାଡଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ ପ୍ରଭାବିତ କରୁଛି । ସେ ଓପନର ଭାବେ ଖେଳି ବାରମ୍ବାର ବିଫଳ ହେଉଛନ୍ତି ।
ସନରାଇଜର୍ସ ପ୍ରଦର୍ଶନରେ ଉତ୍ଥାନ ଓ ପତନ ଲାଗି ରହିଛି । ମାତ୍ର ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଇଶାନ କିଷନଙ୍କ ନେତୃତ୍ୱ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ବିଜୟ ଏହାର ପ୍ରମୁଖ ପ୍ରମାଣ । ଉକ୍ତ ମ୍ୟାଚରେ ୨ଜଣ ନୂଆ ବୋଲର ସାକିବ ହୁସେନ ଓ ପ୍ରଫୁଲ୍ଲ ହିଙ୍ଗେଙ୍କୁ ପଦାର୍ପଣ କରାଇଥିଲା ହାଇଦ୍ରାବାଦ । ଉଭୟ ୪ଟି ଲେଖାଏଁ ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ପୂର୍ବ ରେକର୍ଡ ସବୁ ଚେନ୍ନାଇ ପକ୍ଷରେ ରହିଥିଲେ ହେଁ ବର୍ତ୍ତମାନ ସମୟ ବଦଳିଛି । ଉଭୟ ଦଳ ପରସ୍ପରକୁ ମୋଟ୍ ୨୨ଥର ଭେଟିଛନ୍ତି । ଏଥିରୁ ଚେନ୍ନାଇ ୧୫ଟି ମ୍ୟାଚ ଜିତିଛି । ଗତ ବର୍ଷ ହାଇଦ୍ରାବାଦ ୫ ୱିକେଟ୍ରେ ଚେନ୍ନାଇକୁ ହରାଇଥିଲା । ଏଥର ଚେନ୍ନାଇ ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।
ଏହାସହ ପଢ଼ନ୍ତୁ : ସଲ୍ଟଙ୍କ ଅର୍ଦ୍ଧଶତକ, ଦିଲ୍ଲୀ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଲା RCB