ନୂଆଦିଲ୍ଲୀ ୨୦/୦୨: ବିକି କୌଶଲଙ୍କ ଫିଲ୍ମ 'ଛାବା' ମଧ୍ୟପ୍ରଦେଶ ପରେ ଏବେ ଗୋଆରେ ଟିକସମୁକ୍ତ ହୋଇଛି। ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୫ ତମ ଜନ୍ମ ବାର୍ଷିକୀ ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବୁଧବାର ସନ୍ଧ୍ୟାରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ତାଙ୍କ ରାଜ୍ୟରେ 'ଛାବା' କୁ ଟିକସ ମୁକ୍ତ କରିଛନ୍ତି।

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, “ମୁଁ ଏହାକୁ ଘୋଷଣା କରି ଖୁସି ଅନୁଭବ କରୁଛି ଯେ ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନ ତଥା ବଳିଦାନ ଉପରେ ଆଧାରିତ ଏହି ଫିଲ୍ମ 'ଛାବା' ଗୋଆରେ ଟିକସମୁକ୍ତ ହେବ।“ ସେ କହିଛନ୍ତି ଯେ ଏହି ଫିଲ୍ମ ସମ୍ଭାଜୀ ମହାରାଜଙ୍କ ବୀରତ୍ୱ ଏବଂ ସାହସକୁ ଦର୍ଶାଇଛି। ଯିଏକି ଭଗବାନ, ଦେଶ ଏବଂ ଧର୍ମ ପାଇଁ ମୋଗଲ ଏବଂ ପର୍ତ୍ତୁଗୀଜ ବିରୁଦ୍ଧରେ ଲଢିଥିଲେ। 

ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହି ଫିଲ୍ମକୁ ଟ୍ୟାକ୍ସ କରିବା ଆବେଦନକୁ ସ୍ୱାଗତ କରିଥିଲେ। ସେ ଫିଲ୍ମର ଐତିହାସିକ ଉପସ୍ଥାପନାକୁ ପ୍ରଶଂସା କରି କହିଥିଲେ "ମୁଁ ଖୁସି ଯେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଏକ ବହୁତ ଭଲ ଫିଲ୍ମ ନିର୍ମାଣ କରାଯାଇଛି। ଯଦିଓ ମୁଁ ଏପର୍ଯ୍ୟନ୍ତ ତାହା ଦେଖି ନାହିଁ, କିନ୍ତୁ ମୋତେ ଯେଉଁ ପ୍ରତିକ୍ରିୟା ମିଳିଛି, ସେଥିରୁ ଜଣାପଡୁଛି ଯେ ଏହି ଫିଲ୍ମରେ ଇତିହାସକୁ ଖରାପ କରାଯାଇ ନାହିଁ।