ନୂଆଦିଲ୍ଲୀ,୧୧/୦୪; ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରୁ ମହାରାଷ୍ଟ୍ର ବାହାରିନାହିଁ । ଏବେ ଆଉ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଟଳିଛି । ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଳଙ୍କ ହେଲିକପ୍ଟର ଅବତରଣ ସମୟରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ପାଇଲଟ ହେଲିକପ୍ଟରକୁ ନିର୍ଦ୍ଧାରିତ ହେଲିପ୍ୟାଡ୍ ପରିବର୍ତ୍ତେ ସିଧାସଳଖ ଏକ କାର୍ ପାର୍କିଂ ଅଞ୍ଚଳରେ ଅବତରଣ କରିଛନ୍ତି । ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ୍ । ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ମନ୍ତ୍ରୀ ଛଗନ ଭୁଜବଳ ପୁଣେ ଜିଲ୍ଲାର ପୁରନ୍ଦର ତାଲୁକାର ଖାନୱାଡି ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଜ୍ୟୋତିବା ଫୁଲେଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ସୁରକ୍ଷିତ ଅବତରଣ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଏକ ପୃଥକ ସ୍ଥାନରେ ଏକ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ, ଯେତେବେଳେ ହେଲିକପ୍ଟରଟି ଖାନୱାଡିରେ ଅବତରଣ କଲା, ପାଇଲଟ କାର୍ ପାର୍କିଂ ଅଞ୍ଚଳର ଏକ ଖାଲି ସ୍ଥାନକୁ ହେଲିପ୍ୟାଡ୍ ଭାବି ସେଠାରେ ଅବତରଣ କରିଥିଲେ, ଯାହା ଫଳରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସୌଭାଗ୍ୟବଶତଃ, କୌଣସି କ୍ଷତି ହୋଇନାହିଁ । ପ୍ରଶାସନ ଏବେ ସତର୍କ ହୋଇଯାଇଛି ।
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦ ପାୱାର ଗୋଷ୍ଠୀ) ନେତା ରୋହିତ ପାୱାର ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ସେ କହିଛନ୍ତି, ଜଣେ ବିଶିଷ୍ଟ ନେତାଙ୍କ ହେଲିକପ୍ଟରକୁ ହେଲିପ୍ୟାଡ୍ ବଦଳରେ ପାର୍କିଂ ସ୍ଥାନରେ ଅବତରଣ କରିବା ଏକ ଅତ୍ୟନ୍ତ ଗମ୍ଭୀର ଘଟଣା । ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବିମାନ ଯାତ୍ରା ସମୟରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଅନେକ ହେଲିକପ୍ଟର ଏବଂ ବିମାନ ରକ୍ଷଣାବେକ୍ଷଣ ତ୍ରୁଟି ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦିଓ ଆଜି ଦୁର୍ଘଟଣା ଏଡାଇ ଦିଆଯାଇଛି, କିନ୍ତୁ ଏହାକୁ ସରକାରୀ ଅବହେଳା ବୋଲି କୁହାଯାଇପାରିବ ନାହିଁ । ଭବିଷ୍ୟତରେ ଏପରି ଘଟଣା ଏଡାଇବା ପାଇଁ ସେ ସରକାରଙ୍କୁ କଠୋର ସତର୍କତାମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ଏହା ବି ପଢନ୍ତୁ...ବିଶ୍ୱ ଯୁଦ୍ଧ ଚିନ୍ତା ମଧ୍ୟରେ ଭାରତର 'ମିଶନ ଏନର୍ଜି': ୟୁଏଇରେ ଜୟଶଙ୍କର, ଆମେରିକା ପରେ ଏବେ ୟୁରୋପ ଗସ୍ତରେ ବିଦେଶ ସଚିବ
କହି ରଖୁଛି କି, ବର୍ଷ ଆରମ୍ଭରେ ଏନସିପି ଅଧ୍ୟକ୍ଷ ଏବଂ ରୋହିତ ପାୱାରଙ୍କ ଦାଦା, ଅଜିତ ପାୱାର ଏକ ଭୟଙ୍କର ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ । ଅଜିତ୍ ପାୱାରଙ୍କ ସମେତ ୫ ଜଣଙ୍କ ଏହି ପ୍ଲେନ୍ ଦୁର୍ଘଟଣାରେ ଆଖି ବୁଜିଥିଲେ । ଏହି ଦୁର୍ଘଟଣାକୁ ମହାରାଷ୍ଟ୍ର ଭୁଲି ନଥିବାବେଳେ ଛଗନ ଭୁଜବଳଙ୍କ ସହ ଆଉ ଏକ ଘଟଣା ଘଟିଛି । ଅଘଟଣ ଟଳିଯାଇଛି ହେଲେ ବିମାନ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଅଜିତ ପାୱାଙ୍କ ବିମାନ ଦୁର୍ଘଟଣା ପରଠାରୁ ରୋହିତ ପାୱାର ବିମାନ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି ।