ନୂଆଦିଲ୍ଲୀ, ୧୧।୪: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ନିଜର ଶକ୍ତି, ପ୍ରତିରକ୍ଷା ଏବଂ ବାଣିଜ୍ୟିକ ସ୍ୱାର୍ଥ ରକ୍ଷା ପାଇଁ ଭାରତ ନିଜର କୂଟନୈତିକ ସକ୍ରିୟତାକୁ ବୃଦ୍ଧି କରିଛି । ଗୋଟିଏ ପଟେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ୟୁଏଇ ଗସ୍ତରେ ଥିବାବେଳେ, ଅନ୍ୟପଟେ ବିଦେଶ ସଚିବ ବିକ୍ରମ ମିସ୍ରି ଆମେରିକା ପରେ ଏବେ ୟୁରୋପର ଦୁଇ ପ୍ରମୁଖ ଦେଶ ଫ୍ରାନ୍ସ ଓ ଜର୍ମାନୀ ଗସ୍ତରେ ଯାଉଛନ୍ତି । ଆମେରିକାରେ ଟ୍ରମ୍ପ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିବା ପରେ ବିଦେଶ ସଚିବ ବିକ୍ରମ ମିସ୍ରି ରବିବାରଠାରୁ ପ୍ୟାରିସ୍ ଏବଂ ବର୍ଲିନ୍ର ତିନି ଦିନିଆ ଗସ୍ତ ଆରମ୍ଭ କରୁଛନ୍ତି । ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଭାରତର ଶକ୍ତି ସୁରକ୍ଷା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ୟୁରୋପୀୟ ଦେଶଗୁଡ଼ିକ ସହ ମିଶି ବିକଳ୍ପ ରଣନୀତି ପ୍ରସ୍ତୁତ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ ।
ଏହା ବି ପଢ଼ନ୍ତୁ... ଆକାଶରେ ଥିଲା ବିମାନ, ହଠାତ୍ ସରିଗଲା ଇନ୍ଧନ ! ଲକ୍ଷ୍ନୌ ବିମାନବନ୍ଦରରେ 'ଫ୍ଲାଇ ଦୁବାଇ'ର ଜରୁରୀ ଅବତରଣ
ଫ୍ରାନ୍ସ ଓ ଜର୍ମାନୀ ଗସ୍ତର ମୁଖ୍ୟ ଏଜେଣ୍ଡା:
ପ୍ୟାରିସରେ ବିଦେଶ ସଚିବ ଭାରତ-ଫ୍ରାନ୍ସ ବିଦେଶ କାର୍ଯ୍ୟାଳୟ ପରାମର୍ଶର ସହ-ଅଧ୍ୟକ୍ଷତା କରିବେ । ଏଠାରେ ପ୍ରତିରକ୍ଷା, ପରମାଣୁ ଶକ୍ତି, ମହାକାଶ ଗବେଷଣା, ସାଇବର ସୁରକ୍ଷା ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ବର୍ଲିନରେ ଜର୍ମାନ ପ୍ରତିପକ୍ଷଙ୍କ ସହ ବାଣିଜ୍ୟ, ନିବେଶ, ସ୍ୱଚ୍ଛ ଶକ୍ତି ଏବଂ ବୈଷୟିକ ଜ୍ଞାନକୌଶଳର ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ।
ୟୁଏଇରେ ଜୟଶଙ୍କରଙ୍କ ‘ରଣନୈତିକ ବୈଠକ’
ସେହିପରି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ବର୍ତ୍ତମାନ ୟୁଏଇରେ ଅଛନ୍ତି । ସେଠାରେ ସେ ଶକ୍ତି ସୁରକ୍ଷା ଏବଂ ରଣନୈତିକ ଭାଗିଦାରୀକୁ ନେଇ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରୁଛନ୍ତି । ଇରାନ-ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଭାରତ ନିଜର ତୈଳ ଓ ଗ୍ୟାସ୍ ଆବଶ୍ୟକତା ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ । ତେଣୁ ଯୁଦ୍ଧ ପରିସ୍ଥିତିରେ ଯେପରି ଶକ୍ତି ସମ୍ପଦର ଦର ବୃଦ୍ଧି ନହୁଏ, ସେଥିପାଇଁ ଭାରତ ପୂର୍ବ ପ୍ରସ୍ତୁତି ଚଳାଇଛି ।
ଭାରତ ପାଇଁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ ?
ମଧ୍ୟପ୍ରାଚ୍ୟରେ ଯଦି ଯୁଦ୍ଧ ଲମ୍ବା ସମୟ ଧରି ଚାଲେ, ତେବେ ଭାରତକୁ ମହଙ୍ଗା ଦରରେ ଶକ୍ତି ସମ୍ପଦ କିଣିବାକୁ ପଡ଼ିପାରେ । ଏହାକୁ ଦୃଷ୍ଟିରେ ରଖି ଭାରତ ଏବେଠାରୁ ବିଶ୍ୱର ପ୍ରଭାବଶାଳୀ ଦେଶମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବାରେ ଲାଗିଛି । ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଜର୍ମାନ ଚାନ୍ସଲର ଭାରତ ଗସ୍ତ କରିଥିବା ବେଳେ, ଏହି ଗସ୍ତ ସେହି ସମ୍ପର୍କକୁ ଆଉ ଏକ ପାଦ ଆଗକୁ ନେବ ବୋଲି ଆଶା କରାଯାଉଛି ।