ମହାନଦୀ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ: ଓଡ଼ିଶାରେ କଂଗ୍ରେସ ଆସିଲେ ଆପୋସ ସମାଧାନ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ମହାନଦୀ ବିବାଦର ସମାଧାନ ହେବ । ମହାନଦୀ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଆଜି ଏଭଳି ବୟାନ ଦେଇଛନ୍ତି । ରବିବାର ବାଘେଲ ନୂଆପଡ଼ା ଗସ୍ତରେ ଆସି ରାଜ୍ୟ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ଅବସରରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ବାଘେଲ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ଆମେ ଏକାଠି ବସି ମହାନଦୀ ବିବାଦର ଆପୋଷ ସମାଧାନ ବାଟ ବାହାର କରିଦେବୁ ।
ସେହିପରି ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ର କ୍ୟାବିନେଟ୍ ମନ୍ତ୍ରୀ ତଥା ବରିଷ୍ଠ ନେତା ଟି.ଏସ୍.ସିଂହଦେଓ ମଧ୍ୟ ବାଘେଲଙ୍କ କଥାକୁ ଦୋହରାଇଛନ୍ତି । ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତିରେ ସହଯୋଗ ପାଇଁ ଓଡ଼ିଶା ଆସିଥିବା ଶ୍ରୀ ସିଂହଦେଓ କହିଛନ୍ତି, ମହାନଦୀ ବିବାଦ ଏତେ ବଡ଼ ସମସ୍ୟା ନୁହେଁ । ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ । ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଏହା ଆହୁରି ସହଜ ହେବ । ଭୁବନେଶ୍ୱର ବିମାନବନ୍ଦରରେ ଶ୍ରୀ ସିଂହଦେଓ ଏ କଥା କହିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାର ୨୦୦୪ରୁ କ’ଣ ପାଇଁ ଚୁପ୍ ହୋଇ ବସିଥିଲେ? ସବୁ ଜାଣି ନୀରବ ରହିଥିଲେ । ଯେଉଁଥିପାଇଁ ସସମ୍ୟା ଏତେ ବଢ଼ିଗଲା । ପ୍ରକୃତ କଥା ହେଲା, ବିଜେଡି ସରକାର ଏହି ବିବାଦର ସମାଧାନ ଚାହୁଁନାହାନ୍ତି । ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିଲେ ସମାଧାନର ବାଟ ଫିଟିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ମହାନଦୀ ବିବାଦ ପ୍ରସଙ୍ଗରେ ଶନିବାର ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ଶୀଘ୍ର ସମାଧାନ ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ନଚେତ୍ ମାର୍ଚ୍ଚ ୯ରେ ଟ୍ରିବ୍ୟୁନାଲ ଏହି ବିବାଦ ନେଇ ତାଙ୍କ ରାୟ ଦେବେ ।