ବାରିପଦାରେ ଛଉ ଏକାଡେମୀ, ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବାରିପଦା,୩୦ା୧(ଆପ୍ର): ପୁରୀ ପରେ ବାରିପଦା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାରିପଦା ଛଉ ପଡିଆରେ ଆୟୋଜିତ ମିଶନ ଶକ୍ତି ମହା ସମାବେଶରେ ସାମିଲ୍ ହୋଇଛନ୍ତି । ଏହି ଅବସରରେ ବାରିପଦାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ଟି ବଡ଼ ଘୋଷଣା କରିଛନ୍ତି । ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ସହରର ଚାରିପଟେ ଏକ ରିଂଗ ରୋଡ ନିର୍ମାଣ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ବାରିପଦାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାଛଡ଼ା ବାରିପଦା ଅର୍ବାନ ବ୍ୟାଙ୍କକୁ ପୁନଃରୁଦ୍ଧାର କରାଯିବ । ଏଥିପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ । ମୟୂରଭଞ୍ଜ ଆୟୁର୍ବେଦ କଲେଜକୁ ସରକାରୀ ମାନ୍ୟତା ଦେବାକୁ ସରକାର ବିଚାର କରିବେ । ପ୍ରସିଦ୍ଧ ଛଉ ନୃତ୍ୟ ସଂପର୍କରେ ଅଧିକ ଗବେଷଣା ପାଇଁ ଏକ ପ୍ରତିଷ୍ଠାନ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଛଉ ପଡ଼ିଆରେ ଅନୁଷ୍ଠିତ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୧୧ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ମୋଟ ୧୫୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜବାସୀଙ୍କ ପାଇଁ ଭେଟି ଦେଇଛନ୍ତି ।
ଉପସ୍ଥିତ ହଜାର ହଜାର ମହିଳାଙ୍କୁ ଏ ଅବସରରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ ହେବା ସହ ଓଡିଶାକୁ ବିକାଶ ଦିଗରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଗୁଡିକୁ ୪୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ୨୦ ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରିଥିଲେ । ଏଥିସହିତ ୨୬ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ରାଶି ଓ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯ ହଜାର ୪୧୮ ମହିଳା ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ମିଶନ ଶକ୍ତିର ମାଆମାନେ ସେମାନଙ୍କ ସଫଳତା ଓ ସଶକ୍ତିକରଣର କାହାଣୀ ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦଳା ନିର୍ବାଚନ ମଣ୍ଡଳୀର ଚମ୍ପା ନଦୀ ଉପରେ ୧୧ କୋଟି ୮୩ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ପୋଲର ଶୁଭ ଉଦଘାଟନ ସହିତ ଉଦଳା ଉପଖଣ୍ଡ ହସପିଟାଲରେ ୮ କୋଟି ୬୬ ଲକ୍ଷ ଟଙ୍କା ବିନିମୟରେ ୫୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର, ବାରିପଦା ନିର୍ବାଚନ ମଣ୍ଡଳୀର ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଏମପିସି ଜୁନିଅର କଲେଜରେ ୧୫ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ୩୦୦ ସିଟ୍ ବିଶିଷ୍ଟ ଦୁଇଟି ହଷ୍ଟେଲ ଗୃହକୁ ଉଦଘାଟନ କରିଥିଲେ । ସେହିଭଳି ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭ କୋଟି ୨୬ ଲକ୍ଷ ଟଙ୍କା ବିନିମୟରେ ମହିଳାମାନଙ୍କ ପାଇଁ ୪୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ଗୃହ, ୧ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଡିପିଆରସି ବିଲିଡିଙ୍ଗର ନିର୍ମାଣ, ମୋରଡା ନିର୍ବାଚନ ମଣ୍ଡଳୀର ଜମ୍ଭୀରା ନଦୀରେ ୮ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ଗଡିଆ- ଭାରବାଡି-କେନ୍ଦୁଡିହାକୁ ଯୋଗାଯୋଗ କରୁଥିବା ପୋଲ ଉଦଘାଟନ କରିଥିଲେ । ୯୫ ଲକ୍ଷ ଟଙ୍କା ବିନିମୟରେ ଶୁଳିଆପଦା ବ୍ଲକ ଫାନିଆ ଠାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ, ୬୧ ଲକ୍ଷ ଟଙ୍କା ବିନିମୟରେ ଜୁଆଳିଭଙ୍ଗା ଠାରେ ପାନୀୟ ଜଳ ପ୍ରକଳ୍ପ, ଉଦଳା ନିର୍ବାଚନ ମଣ୍ଡଳୀର ସୋନ ନଦୀ ଉପରେ ୫୮ କୋଟି ୨୪ ଲକ୍ଷ ଟଙ୍କା ବିନିମୟରେ ନବନିର୍ମିତ ପୋଲ, ବଡସାହି ନିର୍ବାଚନ ମଣ୍ଡଳୀର ବୁଢାବଳଙ୍ଗ ନଦୀ ଉପରେ ୧୭ କୋଟି ୯୭ ଲକ୍ଷ ଟଙ୍କା ବିନିମୟରେ ବର୍ତ୍ତନା ନିଶ୍ଚିନ୍ତପୁରକୁ ଯୋଗାଯୋଗ କରୁଥିବା ପୋଲ, ବାଙ୍ଗିରିପୋଷୀ ନିର୍ବାଚନୀ ମଣ୍ଡଳୀର ଜ୍ୟୋତିପୁର ଠାରେ ୫୫ ଲକ୍ଷ ଟଙ୍କା ବିନିମୟରେ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ ।
ସେହିପରି ୬ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା । ଏଗୁଡ଼ିକ ହେଲା, ୧୭ କୋଟି ୩୫ ଲକ୍ଷ ବିନିମୟରେ ବଡସାହି ନିର୍ବାଚନ ମଣ୍ଡଳୀର ବୁଢାବଳଙ୍ଗ ନଦୀ ଉପରେ ହେବାକୁ ଥିବା ନୂତନ ପୋଲ, ବାରିପଦା ନିର୍ବାଚନୀ ମଣ୍ଡଳୀର ଉରାନାଳ ଉପରେ ୧୧ କୋଟି ୪୮ ଲକ୍ଷ ବିନିମୟରେ ନିର୍ମିତ ପୋଲ, ଉଦଳା ନିର୍ବାଚନ ମଣ୍ଡଳୀର କପ୍ତିପଦା ବଡଗୁଡଗୁଡିଆ ଠାରେ ୭୮ ଲକ୍ଷ ଟଙ୍କା ବିନିମୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ମୋରଡା ନିର୍ବାଚନ ମଣ୍ଡଳୀର ଶୁଳିଆପଦା ଧାତିକିଆ ଠାରେ ୯୫ଲକ୍ଷ ବିନିମୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ୫ କୋଟି ୫୮ ଲକ୍ଷ ଟଙ୍କା ବିନିମୟରେ ରାସଗୋବିନ୍ଦପୁର ରାଇଡିହା ଠାରେ ଜମ୍ଭୀରା ନଦୀର ତଟ ସୁରକ୍ଷା ପାଇଁ ଆଡିବନ୍ଧ ପ୍ରକଳ୍ପ, ବାଙ୍ଗିରିପୋଷୀ ନିର୍ବାଚନୀ ମଣ୍ଡଳୀର ଶାମାଖୁଣ୍ଟା ଠାରେ ୩ କୋଟି ୪୫ ଲକ୍ଷ ଟଙ୍କା ବିନିମୟରେ ବାଲିଡିହା ବନ୍ଧର ପୁନଃଉଦ୍ଧାର କାର୍ଯ୍ୟ ।
ଏହି କାର୍ଯ୍ୟକ୍ରମରେ ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ ସ୍ୱାଗତ ଭାଷଣ ଦେଇଥିଲା ବେଳେ ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ୨୦୧୩ରେ ଫାଇଲିନ ସମୟରେ ବାରିପଦାରେ ଭୟଙ୍କର ବନ୍ୟା ବିଭୀଷିକା ଦେଖାଦେଇଥିଲା । ଏହାପରେ ଦୀର୍ଘ ବର୍ଷରୁ ବୁଢାବଳଙ୍ଗ ନଦୀ ତଟରେ ଆଡିବନ୍ଧ ପାଇଁ ପଡିରହିଥିବା ଦାବି ତେଜିଥିଲା । ଗତ ଅକ୍ଟୋବର ମାସରେ ବାରିପଦାର କେତେକ ବୁଦ୍ଧିଜୀବୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀକୁ ଏ ବାବଦରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଆଡିବନ୍ଧ ନିର୍ମାଣ ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ରିଂଗ ରୋଡ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ରକ୍ଷା କରି ଆଜି ଘୋଷଣା କରିଥିଲେ ।