ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଇମ୍ରାନ୍ ଗୁରୁତର

ଭଞ୍ଜନଗର,୧୫ା୨(ଆପ୍ର): ଗଞ୍ଜାମ ଜିଲ୍ଲା ପୁଲିସର ଆଉ ଏକ ଏନକାଉଣ୍ଟର । ପୁଲିସ ପଞ୍ଝାରେ ପଡ଼ିଲା ଦୁର୍ଦ୍ଦାନ୍ତ ମହମ୍ମଦ ଇମ୍ରାନ ଓରଫ ଇମୁ । ଭଞ୍ଜନଗର ସହରରେ ସିରିଏଲ୍ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ୍ ଇମ୍ରାନ୍ । ଶୁକ୍ରବାର ଭୋରରୁ ଇମ୍ରାନ୍ ଜଣେ ସହଯୋଗୀଙ୍କ ସହ ମୁଜାଗଡ଼ ଆଡକୁ ଯାଉଥିବା ସୂଚନା ପାଇ ପୁଲିସ ଟିମ୍ ପିଛା କରିଥିଲା । ସୋରାଦେବୀ ମନ୍ଦିର ଓ ଗଣ୍ଡିଶୁଳା ଗ୍ରାମକୁ ଯିବା ରାସ୍ତାର ଛକରେ ଇମ୍ରାନ୍ ସହ ପୁଲିସର ମୁହାଁମୁହିଁ ହୋଇଥିଲା । ଇମ୍ରାନ୍କୁ ପୁଲିସ କାବୁ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ଖସି ପଳାଇବାକୁ ଉଦ୍ୟମ କରି ପୁଲିସକୁ ଲକ୍ଷ୍ୟ କରି ବୋମା ପକାଇଥିଲା । ବୋମା ମାଡ଼ରେ ଭଞ୍ଜନଗର ଥାନା ସବ୍ଇନ୍ସପେକ୍ଟର ନିରଞ୍ଜନ ଦାଶ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚୀ ମଲ୍ଲ, ହାବିଲଦାର କାଳୀ ଗୌଡ଼ ସାମାନ୍ୟ ଆହାତ ହୋଇଛନ୍ତି । ପୁଲିସ ପାଲଟା ଆକ୍ରମଣ କରି ଗୁଳି ଫୁଟାଇଥିଲା । ଇମ୍ରାନ୍ ଓ ପୁଲିସ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା । ପୁଲିସ ଗୁଳିରେ ଇମ୍ରାନ୍ ଗୁରୁତର ହୋଇଥିଲା । ତାର ଗୋଡ଼ରେ ଗୁଳି ବାଜିବାରୁ ତଳେ ପଡ଼ି ଯାଇଥିଲା । ସହଯୋଗୀ ଜଣକ ବାଇକ୍ ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ପୁଲିସ ଇମ୍ରାନ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହାସହ ଆହତ ତିନି ପୁଲିସ ଅଫିସର ଓ କର୍ମଚାରୀ ମଧ୍ୟ ଚିକିତ୍ସିିତ ହୋଇଛନ୍ତି । ଗୁରୁତର ଇମ୍ରାନ୍ର ଦୁଇ ଗୋଡ଼ରେ ୨ଟି ଗୁଳି ବାଜି ଥିବାରୁ ତାକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଇମ୍ରାନ୍ଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ୍, ଗୋଟିଏ ଗୁଳି, ଗୋଟିଏ ପଲସର୍ ବାଇକ୍ ଓ ୫ଟି ଅଫୁଟା ବୋମା ପୁଲିସ ଜବତ କରିଛି । ଘଟଣା ସମ୍ପର୍କରେ ଏସ୍ଡିପିଓ ଉତ୍କଳ କେଶରୀ ଦାଶ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।