ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ମିଶନ ଶକ୍ତି ଜିଲ୍ଲା ଫେଡେରେସନ ପାଇଁ ଏକ କୋଟି ଟଙ୍କାର ଘୂର୍ଣ୍ଣନ ପାଣ୍ଠି

ଭୁବନେଶ୍ବର, ୦୩/୧୨: ଭୁବନେଶ୍ବରରେ ଚାଲିଥିବା ମେକ୍ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୦୧ ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ୭୦ ଲକ୍ଷ ସଶକ୍ତ ମା’ ମାନଙ୍କର ଏକ ମହାଶକ୍ତି ହୋଇଛି । ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ ବୋଲି ନବୀନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମୋର ଦୃଢ ବିଶ୍ବାସ, ମା’ ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାରେ ଆମର ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି। ଏସଏଚଜି (SHG) ମାନଙ୍କୁ ଏସଏମଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ମିଶନ ଶକ୍ତି ମା’ ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା’ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୫ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ SHG ଉପକାର ପାଉଛନ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମିଶନ ଶକ୍ତି ଫେଡେରେସନଗୁଡ଼ିକୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ର (vibrant financial hub) ରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ୩୦ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସେହିପରି ଏସଏଚଜିମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା’ ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ସ୍ଵାଗତ ଭାଷଣ ଦେଇଥିଲେ । ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।