• ଓଡ଼ିଶାରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
  • ନାଗରିକତା ପାଇଥିବା ବ୍ୟକ୍ତିଙ୍କ ସୁରକ୍ଷା, ସମ୍ମାନ ଓ ଉନ୍ନତି ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ

ଭୁବନେଶ୍ୱର, ୧୧।୧୨ : ଆମ ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହେଉଥିବା ସଂଖ୍ୟାଲଘୁ ମାନଙ୍କ ପାଇଁ ନାଗରିକତା (ସଂଶୋଧନ) ଆଇନ ୨୦୧୯ ହେଉଛି ପାପନାଶିନୀ ଓ ଦୁଃଖନାଶିନୀ ପବିତ୍ର ଗଙ୍ଗା ପରି । ଏହି ପବିତ୍ର ଆଇନ ବର୍ଷ ବର୍ଷ ଧରି ନିର୍ଯ୍ୟାତିତ ସଂଖ୍ୟାଲଘୁମାନଙ୍କ ପାଇଁ ଆଶା ଓ ଆଶ୍ୱାସନାର ମାର୍ଗ ପ୍ରଦାନ କରିଛି । ନାଗରିକତା (ସଂଶୋଧନ) ଆଇନ ୨୦୧୯ ଅନୁଯାୟୀ ନାଗରିକତା ପ୍ରମାଣପତ୍ର ପ୍ରଦାନ ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରକ୍ରିୟାରେ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୩୫ ଜଣ ଆବେଦକଙ୍କୁ ନାଗରିକତା ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଓଡ଼ିଶାର ଜନଗଣନା ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ  ନାଗରିକତା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏବେ ଆମ ଭବିଷ୍ୟତର ଅଂଶବିଶେଷ । ଆପଣମାନଙ୍କ ସୁରକ୍ଷା, ସମ୍ମାନ ଓ ଉନ୍ନତି ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ ।       

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶରେ ସଂଖ୍ୟାଲଘୁ ମାନଙ୍କ ସ୍ୱର ହେବା ପାଇଁ ବ୍ୟାପକ ଶକ୍ତି ରହିଛି । କିନ୍ତୁ ଆମ ପଡ଼ୋଶୀ ରାଷ୍ଟ୍ରରେ ଅଳ୍ପସଂଖ୍ୟକ ମାନଙ୍କ ନିର୍ଯ୍ୟାତନା ଉପରେ ସେମାନେ ନୀରବ ରୁହନ୍ତି । ବର୍ତ୍ତମାନ ଏ ମାନସିକତାରେ ପରବର୍ତ୍ତନ ଆସୁଛି । ଧର୍ମନିରପେକ୍ଷତା ନାଁ ରେ ଯେପରି କେବଳ ଗୋଟିଏ ଧର୍ମକୁ ଆପ୍ୟାୟିତ କରାଯାଉଥିଲା ସେଥିରେ ବିରାମ ଲାଗିଛି । ଆଜି ଦେଶରେ ଧର୍ମୀୟ ଆଧାରରେ ଆଉ ବାଛ ବିଚାର ହେଉନାହିଁ । ଆଇନ ଆଖିରେ ସମସ୍ତେ ସମାନ । ସିଟିଜେନସିପ ଆମେଣ୍ଡମେଣ୍ଟ ଆକ୍ଟ ଏହି ସିଦ୍ଧାନ୍ତର ଏକ ସଫଳ ରୂପାୟନ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବାଙ୍ଗଲାଦେଶ ଓ ପାକିସ୍ତାନରେ ନିର୍ଯାତିତ ହେଉଥିବା ନାଗରିକମାନେ ମୂଳତଃ ଭାରତର ଅଧିବାସୀ ହୁଏତ ସେମାନଙ୍କ ପୂର୍ବ ପୁରୁଷ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବେ । ଏହି ସଂଖ୍ୟାଲଘୁମାନଙ୍କ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ଯଶସ୍ୱୀ ପ୍ରଧାନମନ୍ତ୍ରୀ CAA ଆଇନ ସଂଶୋଧନର ପରିକଳ୍ପନା କରିଥିଲେ । ନୂଆକରି ନାଗରିକତା ପାଇଥିବା ନବରଙ୍ଗପୁର ଜିଲ୍ଲାର ବାସିନ୍ଦାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଆପଣମାନଙ୍କୁ ନାଗରିକତା ପ୍ରମାଣପତ୍ର ମିଳିଲା । ଭାରତର ନାଗରିକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ, ଭୂମିହୀନଙ୍କୁ ଭୂମି ପ୍ରଦାନ କରାଯିବ ଏବଂ ଆବଶ୍ୟକସ୍ଥଳେ ଜାତି ପ୍ରମାଣପତ୍ର ମଧ୍ୟ ଯୋଗାଇ ଦିଆଯିବ ।

  ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଦେଶ ସ୍ୱାଧୀନତା ପରେ ନିଜ ଭିଟାମାଟିରେ ଶରଣାର୍ଥୀ ହୋଇ ରହିବା ଅତ୍ୟନ୍ତ କଷ୍ଟଦାୟକ । ଆଜି ଏହି ନାଗରିକତା ପ୍ରମାଣପତ୍ର ପ୍ରଦାନ ମାଧ୍ୟମରେ ଏଥିରୁ ସେମାନଙ୍କୁ ମୁକ୍ତି ମିଳିଛି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ନୂଆକରି ନାଗରିକତ୍ୱ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୯୯୮ରୁ ବାଙ୍ଗଲାଦେଶରୁ ଆସିଥିବା ବାପିନ ମିର୍ଦ୍ଧା କହିଥିଲେ ଯେ, ଏହି ନାଗରିକତା ପ୍ରମାଣପତ୍ର ଆମକୁ ଭିଟାମାଟିର ବାସିନ୍ଦା ଭାବେ ନୂଆ ପରିଚୟ ଦେଇଛି । ଏହା ମାଧ୍ୟମରେ ଆମର ବହୁଦିନର ସ୍ୱପ୍ନ ପୂରଣ ହୋଇଛି । ଆଜିର ଏହି ଦିବସ ଆମକୁ ଭାରତୀୟ ନାଗରିକତ୍ୱ ଦେଇ ଗର୍ବିତ କରିଛି ।   କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କୁମାର ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଯୁଗ୍ମ ନିର୍ଦ୍ଦେଶକ  ହେମନ୍ତ କୁମାର ସିଂ ଧନ୍ୟବାଦ ଦେଇଥିଲେ।