ଭୁବନେଶ୍ୱର,୦୨/୦୬: ଆଜି ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହା ହେଉଛି ପ୍ରଥମ ଭଦ୍ରକ ଗସ୍ତ । ତାଙ୍କ ଗସ୍ତରେ ୧୨ଟି ପ୍ରକଳ୍ପ ଲୋକାର୍ପିତ ହେବ । ୩ଟି ପ୍ରକଳ୍ପ ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି । 

ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର  ଯୋଗେ ୩ଟା ୧୦ରେ ଭଦ୍ରକ ଅଭିମୁଖେ ବାହାରିବେ।  ସେ ଭଦ୍ରକ ବ୍ଲକ ଜଗଦଳପୁର ୟୁଜିଏମଇ ସ୍କୁଲ ପଡ଼ିଆରେ ଅପରାହ୍ନ ୩ଟା ୪୫ରେ ଓହ୍ଲାଇବେ । ସେଠାରୁ କାର ଯୋଗେ ସମାବେଶ ସ୍ଥଳ ବାଲି ପଡ଼ିଆକୁ ଯିବେ । ୩ଟା ୫୫ରେ  ସମାବେଶ ସ୍ଥଳରେ ପହଞ୍ଚିବେ । ୪ଟା ୫ରେ ବିଭିନ୍ନ  ପ୍ରକଳ୍ପ ଲୋକାର୍ପଣ କରିବେ । ପରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ । ୫ଟା ୨୦ ପରେ ପୁଣି ଅସ୍ଥାୟୀ ହେଲିପ୍ୟାଡ୍‌  ପଡ଼ିଆକୁ ଫେରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି । 

ରାଜ୍ୟରେ ନୂତନ ସରକାର ଗଠନକୁ ବର୍ଷେ ପୁରିବାକୁ  ଆଉ ସପ୍ତାହେ ରହୁଛି । ଏକ ବର୍ଷ ପୂର୍ତ୍ତି ପାଇଁ ସରକାର  ଅନେକ ବିକାଶ ମୂଳକ ପ୍ରକଳ୍ପର ଭେଟି ଦେଉଛନ୍ତି ।  ଏଭଳି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଭଦ୍ରକବାସୀ ଅନେକ ଆଶାବାଦୀ ହୋଇପଡ଼ିଛନ୍ତି ।