ଆଜି ମୋଦିଜୀଙ୍କୁ ସ୍ୱାଗତ କରିବା ଅବସରରେ ମୋର ପ୍ରିୟ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି । ଆମ ସରକାରରେ ମନ୍ତ୍ରୀ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କ ସୁଖ-ଦୁଃଖର ସାଥୀ ହୋଇ ରହିବେ । ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ସାଧାରଣ ଗରିବଙ୍କ ହିତରେ ରହିବ ।
ଆଜି ଅପରାହ୍ନରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡ଼ିଶା ଆସୁଛନ୍ତି । ସାଢ଼େ ଚାରି କୋଟି ଓଡ଼ିଆଙ୍କ ସହିତ ମିଶି ମୁଁ ଜଣେ ଓଡ଼ିଆ ଭାବରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ମାଟିକୁ ସ୍ୱାଗତ କରୁଛି ।
ଏହା ଭିତରେ ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିବାର ୧୧ବର୍ଷ ପୂରଣ ହୋଇସାରିଛି । ମୁଁ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାମ କରିବାର ପ୍ରଥମ ବର୍ଷ ପୂରଣ କରିସାରିଛି । ଗତ ଗୋଟିଏ ବର୍ଷରେ ମୋଦିଜୀ ୫ଥର ଓଡ଼ିଶାକୁ ଆସି ସାରିଛନ୍ତି । ଆଜିର ତାଙ୍କର ଗସ୍ତକୁ ମିଶାଇଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଷଷ୍ଠ ଥର ପାଇଁ ସେ ଓଡ଼ିଶା ଆସିବେ । ମୋଦିଜୀଙ୍କ ପୂର୍ବରୁ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେମାନେ ମୋଟ୍ରେ ଯେତେଥର ଆସିଛନ୍ତି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକା ତା'ଠାରୁ ଅଧିକ ଥର ଆସିଛନ୍ତି ।
ବାରମ୍ବାର ଓଡ଼ିଶାକୁ ଆସିବା ପଛରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଅନନ୍ୟ ସମର୍ପଣ ଭାବ ଏବଂ ଓଡ଼ିଶା ପ୍ରତି ତାଙ୍କର ଅହେତୁକ ଭଲପାଇବା । ବିଜେପିର ଜଣେ ବିଧାୟକ ଭାବରେ ବିଭିନ୍ନ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ମୋଦିଜୀଙ୍କ ସହ ମିଶିବା ଓ ଦେଖା ହେବାର ସୁଯୋଗ ମିଳିଥିଲା । ମାତ୍ର ଗତ ଗୋଟିଏ ବର୍ଷରେ ତାଙ୍କ ସହ କେବଳ ଅନେକ ଥର ଦେଖାହେବାର ସୁଯୋଗ ମିଳିଛି ତାହା ନୁହେଁ, ବରଂ ଓଡ଼ିଶାର ଦ୍ରୁତ ଆର୍ଥିକ ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଭାବଧାରାକୁ ମୁଁ ମର୍ମେ ମର୍ମେ ଅନୁଭବ କରିଛି । ଓଡ଼ିଶାର ବିକାଶ ସାମ୍ନାରେ ଥିବା ଆହ୍ୱାନ ସମୂହକୁ ସମ୍ଭାବନା ରୂପରେ ସେ ଦେଖିଛନ୍ତି ଏବଂ ଏହା ଖୁବ୍ଶୀଘ୍ର ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ନିଶ୍ଚୟ ଆଗୁଆ ରାଜ୍ୟରେ ପରିଣତ କରିବ । ତାଙ୍କ ମାର୍ଗଦର୍ଶନ ଓଡ଼ିଶା ବିକାଶ ପାଇଁ ଆମର ଶକ୍ତି ହୋଇଛି ।
ପିଲାଦିନୁ, ମୁଁ ସାମାଜିକ ଓ ରାଜନୈତିକ କାମରେ ସମ୍ପୃକ୍ତ ଥିବା କାରଣରୁ ଦେଶ ଓ ରାଜ୍ୟର ଲୋକଙ୍କ ଜୀବନର ମାନ କିପରି ରହିଛି ଓ ସେଥିରେ କେମିତି ଦ୍ରୁତ ବିକାଶ କରି ସେମାନଙ୍କୁ କିପରି ସୁଖ ଓ ସମୃଦ୍ଧିର ରାସ୍ତାରେ ନିଆଯାଇପାରିବ, ସେଥିପାଇଁ ଦିନ-ଦିନ ରାତି-ରାତି ବିଚାର ବିମର୍ଶ କରିଛି । ମୂଳରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ, ପରେ ଶିଶୁ ମନ୍ଦିରରେ ଶିକ୍ଷକ, ସରପଞ୍ଚ, ବିଧାୟକ ଓ ବିଧାନସଭାରେ ଜଣେ ବିରୋଧୀ ଦଳ ନେତା ଭାବେ ରାଜ୍ୟରେ ସାଧାରଣ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିବା ପାଇଁ ଉଦ୍ୟମ କରିଥିଲି । ୨୦୦୦ ମସିହାରେ ବିଧାୟକ ଭାବରେ ବିଧାନସଭାକୁ ଆସିବା ସହ ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏହି ଅଢ଼େଇ ଦଶନ୍ଧି, ମୁଁ ପୂରା ମୋ ବ୍ୟକ୍ତିଗତ ଜୀବନକୁ ଭୁଲି ଲୋକସେବାରେ ନିଜକୁ ସମର୍ପିତ କରିଛି ।
ଏବେ ଓଡ଼ିଶାର ବିକାଶର ମଙ୍ଗ ଧରିବାର ଦାୟିତ୍ୱ ଜନମଙ୍ଗଳ ପାଇଁ ମୋର ବିଗତ ତିନି ଦଶନ୍ଧିର ଅନୁଭବ, ଅନୁଭୂତି, ଅଙ୍ଗେନିଭା କଥା, ସର୍ବୋପରି ବିଜେପି ଓ ନରେନ୍ଦ୍ର ମୋଦିଜୀଙ୍କର ବିକାଶର ଅବଧାରଣା ମୋତେ ଅନେକ ସଂକଳ୍ପ ଆଣିଦେଇଛି । ସଂକଳ୍ପରୁ ସିଦ୍ଧି ରାସ୍ତାରେ ୪.୫କୋଟି ଓଡ଼ିଆ ମୋର ସହଯାତ୍ରୀ । ଯଦି ଆମେ ପ୍ରତ୍ୟେକ ଓଡ଼ିଆ ଆମର ବିକାଶ ଯାତ୍ରାରେ ସାମିଲ ହୋଇ ସମସ୍ତେ ପାଦେ ପାଦେ ଚାଲିବା ତାହେଲେ ଆମେ ମିଳିତ ଭାବେ ୪.୫କୋଟି ପାଦ ଆଗକୁ ବଢ଼ିବା । ମୋଦି ଶାସନର ପ୍ରଥମ ସର୍ତ୍ତ ହେଉଛି ଜନଭାଗିଦାରୀ । ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଆମ ପାଇଁ ମୋଦି ମନ୍ତ୍ର ।
ମୋଦିଜୀଙ୍କ ୧୧ବର୍ଷର ଶାସନ ଆମର ପଥପ୍ରଦର୍ଶକ । ସାଧାରଣ ଗରିବ ଘରୁ ଜୀବନରେ ସଂଘର୍ଷ କରିଥିବା ମୋଦିଙ୍କ ଚିନ୍ତାଧାରା ସରକାରଙ୍କ କାର୍ଯ୍ୟକ୍ରମରେ ରୂପାନ୍ତରିତ ହେଲା, ତ ଦେଶରେ ଗରିବଙ୍କ କଲ୍ୟାଣର ନୂଆ ଯୁଗ ଆରମ୍ଭ ହେଲା । ଗରିବ ପରିବାର ପାଇଁ ବିଶେଷକରି ମା' ଓ ଭଉଣୀଙ୍କ ପାଇଁ ଶୌଚାଳୟ କ'ଣ କମ୍ ବଡ଼ କଥା? ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଶୌଚାଳୟ କଥା କହି ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନ କଲେ । ଉଜ୍ଜ୍ୱଳା ଯୋଜନା ଗରିବ ପରିବାରର ରୋଷେଇ ଘରେ ଖାଲି ବିପ୍ଳବ ଆଣିଲାନି, ମହିଳାଙ୍କ ସମୟ, ପିଲାଙ୍କ ପାଠପଢ଼ା ଓ ଆର୍ଥିକ ଗତିବିଧି ଆଡ଼କୁ ଗଲା । ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଯୋଜନା ଓ ହିତାଧିକାରୀଙ୍କ ମଧ୍ୟରେ ମଧ୍ୟସ୍ଥି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଶେଷ କରିଦେଲା । ଡିବିଟି ବା ସିଧା ସିଧା ବ୍ୟାଙ୍କ ଖାତାରେ ଟଙ୍କା ଜମାହେବା ଆମ ଦେଶରେ ବଡ଼ ପରିବର୍ତ୍ତନ ଆଣିଲା । ଡିଜିଟାଲ ଇଣ୍ଡିଆରେ ନିପଟ ମଫସଲ ମଧ୍ୟ ସାମିଲ । କେନ୍ଦୁଝରର ଅପହଞ୍ଚ ଅଞ୍ଚଳରେ ବି ଆମ ପିଲା ଡିଜିଟାଲ ପେମେଣ୍ଟ କରୁଛନ୍ତି ।
ଗରିବ କଲ୍ୟାଣର ପଥପ୍ରଦର୍ଶକ ମୋଦିଜୀଙ୍କର ଓଡ଼ିଶାକୁ ଭଲପାଇବା ସ୍ୱତନ୍ତ୍ର । ଯୁବାବସ୍ଥାରେ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ତାଙ୍କର ସମୟ କଟିଛି । ୨୦୧୪ ମସିହାରେ ନିର୍ବାଚନ ପୂର୍ବରୁ ବିଜେପି କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ଭାବରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଥିବା ଭାବଗତ ସମ୍ପର୍କ ବିଷୟରେ ଅନେକ କଥା କହିଥିଲେ । ପୂର୍ବଭାରତର ଉଦିତ ସୂର୍ଯ୍ୟଙ୍କ ଆରାଧନା ପାଇଁ ଯେମିତି ସୂର୍ଯ୍ୟ ମନ୍ଦିର ରହିଛି, ଠିକ୍ ସେମିତି ପଶ୍ଚିମ ଭାରତରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପାଇଁ ଗୁଜରାଟରେ ସୂର୍ଯ୍ୟ ମନ୍ଦିର ଅଛି । ସେତେବେଳେ ମୋଦିଜୀ କହିଥିଲେ ଗୁଜରାଟରେ ଏମିତି ଜିଲ୍ଲା ନାହିଁ, ଯେଉଁଠି ଗୁଜରାଟର ବିକାଶ ପାଇଁ ଓଡ଼ିଆ ଲୋକମାନଙ୍କର ଖୁନ୍-ପସିନା ଲାଗିନାହିଁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଦେଶର ପ୍ରଧାନମନ୍ତ୍ରୀ ହେବା ୧୧ବର୍ଷ ବିତି ସାରିଲାଣି ।
ଗତ ନିର୍ବାଚନ ପ୍ରଚାର ସମୟରେ ମୋଦିଜୀ ବାରମ୍ବାର କହୁଥିଲେ, ଓଡ଼ିଶା ଧନୀ, ମାତ୍ର ଓଡ଼ିଆମାନେ ଗରିବ । ବିଗତ ୩୦ବର୍ଷ ଧରି ମୋର ସାମାଜିକ ରାଜନୈତିକ ଜୀବନରେ ଓଡ଼ିଶା ସଂପଦରେ ଭରପୂର, ମାତ୍ର ଲୋକ ଗରିବ ଉପାଖ୍ୟାନ ଶୁଣି ଶୁଣି ଆସୁଛି । ଏବେ ସମୟ ଆସିଛି, ଖୋଦ୍ ମୋଦିଜୀଙ୍କ ମାର୍ଗଦର୍ଶନରେ ସମଗ୍ର ଓଡ଼ିଶାରେ ସାଧାରଣ ଗରିବ ଓଡ଼ିଆ ଲୋକଙ୍କୁ ମଧ୍ୟ ସମାନ ଭାବରେ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବାର ।
ମହାପ୍ରଭୁ ଆମକୁ ଅମାପ ପ୍ରାକୃତିକ ଖଣିଜ ସଂପଦ, ସୁଦୀର୍ଘ ବେଳାଭୂମି, ଜଳ ସଂପଦ, ଜଙ୍ଗଲ ସଂପଦ, ଆଦିବାସୀ ଜନସଂଖ୍ୟା ତଥା ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ଦେଇଛନ୍ତି । ସମୟ ଥିଲା ଆମର ସାଧବ ପୁଅମାନେ ୧୨ ନଈ ୧୩ ସମୁଦ୍ର ଡେଇଁ ବେପାର ବଣିଜ କରୁଥିଲେ । ଓଡ଼ିଶାକୁ ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ଭୂଖଣ୍ଡ କରିବା ପାଇଁ ସବୁ ଉପାଦାନ ଅଛି ।
ଆଜି ମୋଦିଜୀଙ୍କ ଗରିମାମୟ ଉପସ୍ଥିତିରେ ଓଡ଼ିଶାର ୧ବର୍ଷର ବିକାଶ ଏବଂ ୨୦୩୬ ଓ ୨୦୪୭ର ରାଜ୍ୟ ଓ ଦେଶ ବିକାଶର ଚର୍ଚ୍ଚା ହେବ । ଏପରି ସୁନ୍ଦର ମୁହୂର୍ତ୍ତରେ ବିକଶିତ ଓଡ଼ିଶା ପାଇଁ ଆମର ପ୍ରତିଟି ସଂକଳ୍ପ ମୋ ଆଖିଆଗରେ ନାଚିଯାଉଛି । ସମୟବଦ୍ଧ ଯୋଜନା ମାଧ୍ୟମରେ ସେସବୁକୁ ସଫଳତାର ରୂପ ଦେଇ ସାଧାରଣ ଓଡ଼ିଆ ପରିବାର ବିଶେଷ ଭାବରେ ମହିଳା, କୃଷକ, ଯୁବକ ଓ ଗରିବଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାରଙ୍କ ସଂକଳ୍ପକୁ ଆପଣଙ୍କ ପାଖରେ ଦୋହରାଉଛି ।
ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର, ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ, ଘରେ ଘରେ ସ୍ୱଚ୍ଛ ଇନ୍ଧନ । ସ୍କୁଲ, ଡାକ୍ତରଖାନାର ସୁବନ୍ଦୋବସ୍ତ । ଥାନା ତଥା ସରକାରୀ ଅଫିସ୍ମାନଙ୍କ ଦ୍ୱାରା ଲୋକଙ୍କ ସୁରକ୍ଷା ଓ ଶାନ୍ତିର ବ୍ୟବସ୍ଥା ଆମର ମୂଳ ଦାୟିତ୍ୱ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଗରିବ ଓ ଆର୍ଥିକ ପଛୁଆ ଲୋକମାନଙ୍କୁ ଖାଦ୍ୟ, ଆର୍ଥିକ ସହାୟତା ଓ ମାଗଣା ସରକାରୀ ସେବା ଆମ ଗରିବ କଲ୍ୟାଣ ବିଚାରର ମୂଳ ଆଧାର ।
ନାଗରିକମାନଙ୍କର ବ୍ୟକ୍ତିଗତ ଓ ପରିବାରର ଆବଶ୍ୟକତା ପୂରଣ ଆମର ପ୍ରାଥମିକତା । କିନ୍ତୁ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଆଗକୁ ନେବାପାଇଁ ପୁଞ୍ଜି ଆକର୍ଷଣ ମାଧ୍ୟମରେ ଶିଳ୍ପାୟନକୁ ଆମେ ପ୍ରଥମ ବର୍ଷରେ ପ୍ରାଥମିକତା ଦେଇଛୁ । ମୋଦି ଗ୍ୟାରେଣ୍ଟି ସହ ଗୋଟିଏ ବର୍ଷରେ ୧୭ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସି ଅନେକ କ୍ରିୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଲାଣି । କେବଳ ଖଣି ଆଧାରିତ ପ୍ରଗତି ନୁହେଁ, ବରଂ ଆଇଟି, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ସେମି କଣ୍ଡକ୍ଟର ଆଦି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଜି ଦ୍ରୁତ ପ୍ରଗତିମୁହାଁ ।
ଓଡ଼ିଶାର ତହବିଲକୁ ଅଧିକ ଟଙ୍କା ଆସିବା ପାଇଁ ମୋଦିଜୀ ବାଟ ଖୋଲି ଦେଇଥିଲେ । ଖଣିଜ ସଂପଦରେ ପରିପୂର୍ଣ୍ଣ ଓଡ଼ିଶାର ବଜେଟ୍ ଆକାର ବୃଦ୍ଧି ପଛରେ ଥିଲା ମୋଦି ସରକାରଙ୍କ ଖଣିଜ ନୀତି । ଖଣି ନିଲାମିର ଅର୍ଥ ଏବଂ ଡିଏମ୍ଏଫ୍ ପାଣ୍ଠି ଆମ ବଜେଟ୍କୁ ବଡ଼ କରିଛି । ଏହା ମୋଦିଜୀଙ୍କ ଯୋଗୁଁ ସମ୍ଭବପର ହୋଇପାରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଆମ ବଜେଟ୍ ୨ଲକ୍ଷ ୯୦ହଜାର କୋଟି ଟଙ୍କାରେ ପହଞ୍ଚିଛି । ୨୦ବର୍ଷ ପୂର୍ବେ ପୂରା ରାଜ୍ୟ ବଜେଟର ଆକାର ଯାହା ଥିଲା ଏବେ ଗୋଟିଏ ଗୋଟିଏ ବିଭାଗର ବଜେଟ୍ ଆକାର ସେତିକି ହେଲାଣି ।
ମାତ୍ର ରାଜ୍ୟ ଧନୀ ଏବଂ ଲୋକ ଗରିବ । ଏ ଯନ୍ତ୍ରଣାରୁ ଆମକୁ ଉପରକୁ ଉଠିବାକୁ ପଡ଼ିବ । ଖଣି ଆଧାରିତ ଅର୍ଥନୀତି ନୁହେଁ, ବରଂ ଓଡ଼ିଆ ମହିଳା, କୃଷକ, ଯୁବକ ଓ ଗରିବମାନଙ୍କୁ କିପରି ବିକାଶ କାମରେ ସାମିଲ କରି ସେମାନଙ୍କର କ୍ରୟଶକ୍ତିକୁ ବଢ଼ାଯାଇପାରିବ ସେଥିପାଇଁ ଆମେ ଯୋଜନାବଦ୍ଧ ଭାବରେ କାମ ଆରମ୍ଭ କରିଛୁ ।
ଆଜି ମୋଦିଜୀଙ୍କୁ ସ୍ୱାଗତ କରିବା ଅବସରରେ ମୋର ପ୍ରିୟ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି । ଆମ ସରକାରରେ ମନ୍ତ୍ରୀ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କ ସୁଖ-ଦୁଃଖର ସାଥୀ ହୋଇ ରହିବେ । ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ସାଧାରଣ ଗରିବଙ୍କ ହିତରେ ରହିବ । ଓଡ଼ିଶା ଧନୀ, ମାତ୍ର ଓଡ଼ିଆ ଗରିବ ଏଥିରୁ ବାହାରି ପ୍ରତି ପରିବାର ପର୍ଯ୍ୟନ୍ତ ରୋଜଗାର ସୁଯୋଗ ପହଞ୍ଚାଇବା ଆମର ପ୍ରାଥମିକତା ହେବ ।
ଜୟ ଜଗନ୍ନାଥ